ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍‌’

0 202

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗ୍ରାମାଞ୍ଚଳ ପରି ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍‌’ । ଏଥିପାଇଁ ଏବେ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି । ତେବେ ଏଥିପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନ ଓଡ଼ିଶା ସହରାଞ୍ଚଳ ବାସଗୃହ ମିଶନ୍ (ଓୟୁଏଚ୍‌ଏମ୍‌)ର ମିଶନ୍ ନିର୍ଦ୍ଦେଶକ ଦେବାଶିଷ ସିଂ ଏସ୍‌ଏଲ୍‌ବିସି ଆବାହକଙ୍କୁ ପତ୍ର ଲେଖି ମତାମତ ଲୋଡ଼ିଛନ୍ତି ।

ଏଥିରେ କୁହାଯାଇଛି ଯେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପରିବାରଙ୍କୁ ସହରାଞ୍ଚଳରେ ବାସଗୃହ ନିର୍ମାଣ ସହାୟତା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଓୟୁଏଚ୍‌ଏମ୍ ପକ୍ଷରୁ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ।

ଏଥିରେ ଜମି ଅଧିକାର ପ୍ରମାଣପତ୍ରଧାରୀ ହିତାଧିକାରୀଙ୍କୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ବ୍ୟବସ୍ଥା ଅଛି । ହିତାଧିକାରୀଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କା ଋଣ ମିଳିବ ଆଉ ତାହା ୧୦ ବର୍ଷ ମଧ୍ୟରେ ଫେରସ୍ତ ନିଆଯିବ । ମୋ ଘର ଅର୍ବାନ୍ ଯୋଜନାରେ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ବାସଗୃହ ନିର୍ମାଣ ଶେଷ ହେବା ପରେ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ସବ୍‌ସିଡି ଜମା କରିବେ । ଏହା ଋଣଗ୍ରହୀତାଙ୍କ ଉପରୁ ଆର୍ôଥକ ବୋଝ ହ୍ରାସ କରିବ । ସେହିପରି ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସରକାର ଅତିରିକ୍ତ ସବ୍‌ସିଡି ପ୍ରଦାନ କରିବେ । ୨ କିମ୍ବା ଅଧିକ କୋଠରୀ ଥିବା, ୩୦ ବର୍ଗ ମିଟରରୁ ଅଧିକ ଆଜବେଷ୍ଟସ୍ ଘର ଥିବା ଲୋକଙ୍କୁ ଯୋଜନାରେ ସାମିଲ କରାଯାଇପାରିବ ନାହିଁ ।

ସେହିପରି ଅତୀତରେ ସହରାଞ୍ଚଳ ବାସଗୃହ ଯୋଜନାରେ ୧ ଲକ୍ଷ ଟଙ୍କାରୁ ଅଧିକ ଆର୍ôଥକ ସହାୟତା ପାଇଥିବା ହିତାଧିକାରୀ, ମାସିକ ୫୦ ହଜାର ଟଙ୍କାରୁ ଅଧିକ ଆୟ ଥିଲେ, ସରକାରୀ ଅବା ସରକାରୀ ଅଧିକୃତ ସଂସ୍ଥାରେ ଚାକିରୀ କରୁଥିଲେ, ପେନସନ୍ ଭୋଗୀ ହୋଇଥିଲେ ମୋ ଘର ଅର୍ବାନରେ ସାମିଲ ହେବେ ନାହିଁ । ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ବର୍ଗ ଭାବେ ଅଧିକ ପ୍ରାଧାନ୍ୟ ଦିଆଯିବ । ୧ ଲକ୍ଷ ଟଙ୍କା ଋଣ ନେଇଥିବା ସାଧାରଣ ବର୍ଗର ଲୋକଙ୍କୁ ୩୦ ହଜାର ଏବଂ ସ୍ୱତନ୍ତ୍ର ବର୍ଗର ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ସବ୍‌ସିଡି ମିଳିବ । ୨ ଲକ୍ଷ କିମ୍ବା ୩ ଲକ୍ଷ ଟଙ୍କା ଋଣ ଉପରେ ସାଧାରଣ ବର୍ଗର ଲୋକଙ୍କୁ ୬୦ ହଜାର ଟଙ୍କା ଏବଂ ସ୍ୱତନ୍ତ୍ର ବର୍ଗର ଲୋକଙ୍କୁ ୭୦ ହଜାର ଟଙ୍କା ସବ୍‌ସିଡି ମିଳିବ । ଋଣ ଉପରେ ୧୦ ବର୍ଷ ପାଇଁ ବ୍ୟାଙ୍କ ଗୁଡିକ ୯% ସୁଧ ଆଦାୟ କରିପାରିବେ । ରାଜ୍ୟସ୍ତରୀୟ ନୋଡ଼ାଲ ଏଜେନ୍ସି ଋଣ ଆବଣ୍ଟନ ପ୍ରକ୍ରିୟା ଉପରେ ନଜର ରଖିବେ । ଋଣ ଗ୍ରହୀତା ଚାହିଁଲେ ଅବଧି ଶେଷ ପୂର୍ବରୁ ଋଣ ଅର୍ଥ ଫେରସ୍ତ କରିପାରିବେ ବୋଲି କୁହାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy