ଆଜିଠାରୁ ଭୁବନେଶ୍ୱରରେ ରେଳସେବା ସ୍ୱାଭାବିକ

0 596

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଆଜିଠାରୁ ଭୁବନେଶ୍ୱରରେ ରେଳସେବା ସ୍ୱାଭାବିକ ହୋଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଅଗଷ୍ଟ ୧୨ରୁ ୩୦ ମଧ୍ୟରେ ନିରାପତ୍ତା ଏବଂ ପ୍ରମୁଖ ସେଙ୍କତିକ କାର୍ଯ୍ୟ ଚାଲୁଥିବାରୁ ଭୁବନେଶ୍ୱର ଦେଇ ଯାଉଥିବା ଅଧିକାଂଶ ଟ୍ରେନ୍‍ ଗୁଡ଼ିକର ଗତିପଥ ପରିବର୍ତ୍ତନ ଏବଂ ବାତିଲ କରାଯାଇଥିଲା। ଫଳରେ  ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥିଲେ। ରେଲଓ୍ବେ ପ୍ଲାଟଫର୍ମରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିଲେ। କିନ୍ତୁ ବୁଧବାର ଦିନ ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିଛନ୍ତି। 

ଭୁବନେଶ୍ୱର- ମଞ୍ଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ୍ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏହି ରେଳ ଲାଇନରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ  ସିଗନାଲ୍  ସିଷ୍ଟମକୁ ପୁନଃ ବ୍ୟବସ୍ଥିତ କରାଯାଇଛି । ତେବେ ଗୁରୁବାର ଦିନଠାରୁ ଭୁବନେଶ୍ୱରରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି । ବାରଙ୍ଗ ଓ ଖୋର୍ଦ୍ଧାରୋଡ଼ ମଧ୍ଯରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ବାରା ମଞ୍ଚେଶ୍ୱର ଓ ଭୁବେନଶ୍ୱର ମଧ୍ୟରେ ଯାଞ୍ଚ ହେବା ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ ଲିଙ୍କ କାମ ଜାରି ରହିଛି , ଯାହା ଏକ ଗୁରୁତ୍ବପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଅଟେ ।

ଏହା ସହିତ ଭବିଷ୍ୟତରେ ବାରଙ୍ଗ ଓ ଖୋର୍ଦ୍ଧା ରୋଡ଼ ମଧ୍ୟରେ ବାଧାହୀନ ଟ୍ରେନ ଚଳାଚଳ ପାଇଁ ସିଗନାଲ ସିଷ୍ଟମ କାର୍ଯ୍ୟର ଆଧୁନିକୀକରଣ ହେଉଛି । ଏହି ପ୍ରକଳ୍ପ କାମ ଶେଷ ହେବା ପରେ ବାରଙ୍ଗ ଓ ଖୋର୍ଦ୍ଧା ରୋଡ଼ ମଧ୍ଯରେ ଟ୍ରେନ ସେବା ସହଜ ହେବ ବୋଲି କୁହାଯାଉଛି । ଏଥିସହ ହରିଦାସପୁର, ସମ୍ବଲପୁର, କଟକ, ସମ୍ବଲପୁର ସିଟି ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ ଓ ଭିତ୍ତିଭୂମି ବିକାଶ ମୂଳକ କାମ ହେଉଥିବାରୁ ଟ୍ରେନ ସେବା ପ୍ରଭାବିତ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନରେ ରବିବାର ଦିନ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା । ଫଳରେ ଟ୍ରେନ୍ କୁ ଅପେକ୍ଷାରେ କରି ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବତଟ ରେଳ ବିଭାଗ  ସୂଚନା ଅନୁଯାୟୀ,  ତୃତୀୟ ରେଳ ଲାଇନ୍ କାର୍ଯ୍ୟକ୍ଷମ ହେବାକୁ ଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ  ପ୍ରଭାବିତ ହେବା ନେଇ ଆଗୁଆ ଘୋଷଣ କରାଯାଇଛି।  ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟିକେଟ୍ ବୁକିଂ ବେଳେ ଟ୍ରେନ୍ ଛାଡିବା ଓ ପହଞ୍ଚିବା ଷ୍ଟେସନ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଯାତ୍ରୀ ମାନଙ୍କୁ ସୂଚନା ଦିଆଯାଇଛି । ସିଗନାଲ୍ କାମ ଚାଲୁଥିବାରୁ ମାନୁଆଲ ମୋଡରେ ଟ୍ରେନ ଗୁଡିକ ଛଡା ଯାଉଛି । ଦିନରେ ପତକା ଓ ରାତିରେ ଲାଇଟ୍ ମାଧ୍ୟମରେ ସିଗନାଲ୍ ଦିଆଯାଉଛି । ଅଗଷ୍ଟ ୧୨ରୁ ୩୦ ମଧ୍ୟରେ ନିରାପତ୍ତା ଏବଂ ପ୍ରମୁଖ ସେଙ୍କତିକ କାର୍ଯ୍ୟ ଚାଲୁଥିବାରୁ ଭୁବନେଶ୍ୱର ଦେଇ ଯାଉଥିବା ଟ୍ରେନ୍‍ ଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯିବା ସହ ଆଉ କେତେକ ଟ୍ରେନ୍ ବାତିଲ ହୋଇଥିଲା। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy