୧୭ଟି ମିଳିତ ବିରୋଧି ଦଳର ରଣହୁଙ୍କାର: “ମୋଦୀ ହଟାଅ, ଦେଶ ବଂଚାଅ”

0 188

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ୧୭ଟି ମିଳିତ ବିରେଧୀ ଦଳର ଏକ ରାଜନୈତିକ ସମ୍ମିଳନୀ ଭୁବନେଶ୍ୱର ଠାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଣବିଜେଡ଼ି ଓ ଅଣବିଜେପି ଦଳମାନେ ସାମ୍ପ୍ରତିକ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଦୀର୍ଘ ଆଲୋଚନା ପରେ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ-

ଗତକାଲି ଲୋକସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ତାଙ୍କ ସଂସଦୀୟ ଜୀବନର ଦୀର୍ଘତମ ଭାଷଣ ଦେଇ ଅନେକ ଅବାନ୍ତର ଓ ଅପ୍ରସାଙ୍ଗିକ ବିଷୟ ଉଲ୍ଲେଖ କରିଥିଲେ । କିନ୍ତୁ ମଣିପୁରବାସୀଙ୍କ ଆଖିରୁ ଲୁହ ପୋଛିବା ପାଇଁ ସେ କେବେ ମଣିପୁର ଗସ୍ତ କରିବେ ତାହା ପ୍ରକାଶ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଅନୁରୂପ ଭାବେ ଗଣତନ୍ତ୍ରର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ କମିସନ ଓ ନିର୍ବାଚନ କମିସନଙ୍କ ନିଯୁକ୍ତି ନିମନ୍ତେ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ଓ ପ୍ରଧାନମନ୍ତ୍ରୀଙ୍କର ମନୋନୀତ ଜଣେ ମନ୍ତ୍ରୀଙ୍କୁ ସ୍ଥାନୀତ କରିବା ବିଲ ରାଜ୍ୟ ସଭାରେ ଆଗତ କରିବା ଘଟଣାକୁ ଏହି ମିଳିତ ବିରୋଧୀ ମଂଚ ଦୃଢ଼ ବିରୋଧ କରିଥିଲା । ଉଭୟ କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ନିନ୍ଦା କରାଯାଇଥିଲା ।

ଏହି ସମ୍ମିଳନୀରେ ଦେଶ ତଥା ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଯଥା ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳା ନିର୍ଯ୍ୟାତନା, ସାମାଜିକ ନ୍ୟାୟ, ଚିଟଫଣ୍ଡ, ଖଣି, ପାଣି ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ଦୁର୍ନୀତି ଓ ଟାଟାପାୱାରର ଖାଉଟି ଶୋଷଣ ନୀତି ସଂକ୍ରାନ୍ତରେ ୧୭ ଗୋଟି ବିରୋଧି ଦଳ ମିଳିତ ଭାବରେ ରାଜ୍ୟର ସମସ୍ତ ପ୍ରାନ୍ତ ତଥା ଜିଲ୍ଲା ମାନଙ୍କରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ ।

ରାଜ୍ୟରେ ବିଜେଡ଼ି ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରି ବିଜେପିର ବଶମ୍ବଦ ସାଜିବା ଓ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ମୋଦି ସରକାରଙ୍କର ସମସ୍ତ ଜନବିରୋଧୀ ନୀତି ନିଷ୍ପତିକୁ ନିଃସର୍ତ ଭାବରେ ସମର୍ଥନ କରିଚାଲୁଛି ।

ମିଳିତ ବିରୋଧି ମଂଚ ଏହାର କଠୋର ସମାଲୋଚନା କରିଥିଲା ଓ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବେ ନିରବଚ୍ଛିନ୍ନ ସଂଗ୍ରାମ ରାଜ୍ୟବ୍ୟାପି ଗଢ଼ିତୋଳିବାକୁ ସଂକଳ୍ପ ନେଇଥିଲା । ସଚେତନ ରାଜ୍ୟବାସୀ ଉଭୟ ବିଜେଡ଼ି ଓ ବିଜେପିର ଅସଲା ଚେହେରା ଚିହ୍ନିବେ ଓ ମିଳିତ ବିରୋଧୀ ମେଂଟର ପ୍ରତ୍ୟେକ ଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରାଯାଇଥିଲା ।

ଏହି ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ତଥା ସମ୍ମିଳନୀର ଆବାହକ ଶ୍ରୀ ପ୍ରସାଦ ହରିଚନ୍ଦନ ଭିତିପତ୍ର ଉପସ୍ଥାପନ କରିଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସିପିଏମର ରାଜ୍ୟ ସାଧାରଣ ସଂପାଦକ, ଅଳିକିଶୋର ପଟ୍ଟନାୟକ, ସିିପିଆଇର ରାଜ୍ୟ ସାଧାରଣ ସଂପାଦକ ଅଭୟ ସାହୁ, ଆପର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀମତୀ ଅଞ୍ଜନୀ ସୋରେନ, ଶିବାଜୀ ମୌଲିକ, ସମୃଦ୍ଧ ଓଡ଼ିଶା ରାଜ୍ୟ ସଭାପତି ଜତୀଷ ଚନ୍ଦ୍ର ମହାନ୍ତି, ତୃଣମୂଳ କଂଗ୍ରେସର ପ୍ରତିନିଧି ନନ୍ଦନ ପାଲ, ସିପିଆଇ (ଏମଏଲ) ଲିବରେସନ ସାଧାରଣ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଅଲଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରଜେଡ଼ି ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର, ସମତାକ୍ରାନ୍ତି ଦଳ ରାଜ୍ୟ ସାଧାରଣ ସଂପାଦକ ପ୍ରଭାସ ସାମନ୍ତରାୟ, ଆରପିଆଇ ରାଜ୍ୟ ସଭାପତି ସେକ୍ ଅବଦୁଲ ୱାଲି ପ୍ରମୁଖ ଅଭିଭାଷଣ ଦେଇଥିଲେ । ଜେଡିୟୁ ଓ ସିପିଆଇ ଏମଏଲ ରେଡଷ୍ଟାର ପକ୍ଷରୁ ଏହି ସମ୍ମିଳନୀକୁ ଲିଖିତ ସମର୍ଥନ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ପଂଚାନନ କାନୁନଗୋ, ଯଜେ୍ଞଶ୍ୱର ବାବୁ, ଗଣେଶ୍ୱର ବେହେରା ଅଭିଭାଷଣ ଦେଇଥିଲେ ।

ପରିଶେଷରେ ପିସିସି ସାଧାରଣ ସଂପାଦକ ଶ୍ରୀମତୀ ରଶ୍ମି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy