ଅସନ୍ତୁଷ୍ଟଙ୍କୁ ମନାଇବା ଲାଗି ବାପୁ ବାଣ୍ଟିଲେ ୩ କୋଟି!

0 5,462

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜ ନିର୍ବାଚନ ମଣ୍ଡଳୀ ଛାଡି ବିଧାୟକ ବାପୁ ଓରଫ ସୁଶାନ୍ତ ରାଉତ କିଛିଦିନ ହେଲା ‘ଭୁବନେଶ୍ୱର ମଧ୍ୟ ଆସନ’ରେ ମୁଣ୍ଡ ପୁରାଇଛନ୍ତି । ବୁନୁ ବିରୋଧୀଙ୍କୁ ମନାଇବା ଲାଗି ଆପ୍ରାଣ ଚେଷ୍ଠା ବିଫଳ ହେବା ପରେ ଏବେ ରାତିଅଧିଆ ଟଙ୍କା ଦେଇ ମ୍ୟାନେଜ କରିବାକୁ ଲାଗିପଡିଛନ୍ତି । ଗତ ଦୁଇଦିନ ମଧ୍ୟରେ ବାପୁ ପ୍ରାୟ ୩କୋଟି ଟଙ୍କା ବାଣ୍ଟିଥିବା ଜଣାପଡିଛି ।

ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନକୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ରହିଛି । କାରଣ ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବୁନୁ ଓରଫ ଅନନ୍ତ ନାରାୟଣ ଜେନାଙ୍କୁ ଲୋକେ ବିରୋଧ କରୁଛନ୍ତି । ଏପରିକି ଦଳୀୟ ନେତା ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟ ଟିକେଟ ଆଶାୟୀ ଥିବାରୁ ସେମାନଙ୍କ ସମର୍ଥକମାନେ ମଧ୍ୟ ବୁନୁଙ୍କୁ ସମର୍ଥନ କରୁନାହାନ୍ତି । ଏଥିସହିତ ବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଇ ଫର ଭୁବନେଶ୍ୱର’ ମଧ୍ୟ ଅନନ୍ତଙ୍କୁ ପସନ୍ଦ କରୁ ନାହାନ୍ତି । ଦଳ ପକ୍ଷରୁ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରାଯାଉଥିଲେ ମଧ୍ୟ ତାହା ଶତପ୍ରତିଶତ ସଫଳ ହେଉନାହିଁ ।

ସେପଟେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓରଫ ଜଗା ନୂଆ ତରିକାରେ ମୈଦାନକୁ ଓହ୍ଲାଇଛନ୍ତି । ଚଳିତ ଥର ତାଙ୍କର ଶେଷ ସୁଯୋଗ ଓ ତାଙ୍କୁ ଥରେ ମାତ୍ର ସେବା କରିବାକୁ ସୁଯୋଗ ଦେବାକୁ ସେ ଲୋକଙ୍କୁ ନିବେଦନ କରୁଛନ୍ତି । ତାଙ୍କର ସରଳ ଚେହେରା ଓ ମଧୁର କଥାରେ ଲୋକଙ୍କୁ ମୋହିତ କରିବା ସହ ଅନୁକମ୍ପା ସାଉଣ୍ଟିବାକୁ ଚେଷ୍ଠା କରୁଛନ୍ତି । ସେ ୩ଥର ପରାଜିତ ହୋଇଥିବାରୁ ଲୋକେ ଏଥର ତାଙ୍କୁ ଜିତାଇବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଜଗାଙ୍କ ପ୍ରତି ଜନସମର୍ଥ ବୃଦ୍ଧିକୁ ଦେଖି ବିରୋଧୀ ଶିବିରରେ ଛନକା ପଶିଯାଇଛି ।

ଯେକୌଣସି ମତେ ବୁନୁଙ୍କୁ ଜିତାଇବା ଲାଗି ବାପୁ ଓରଫ ସୁଶାନ୍ତ ରାଉତ ମନସ୍ଥ କରିଛନ୍ତି । ନିଜ ନିର୍ବାଚନ ଛାଡି ସେ ଦିନରାତି ‘ମଧ୍ୟ ଆସନ’ରେ ମୁଣ୍ଡ ଖେଳାଉଛନ୍ତି । ଅସନ୍ତୁଷ୍ଟଙ୍କୁ ମନାଇବା ଲାଗି ଏବେ ଶେଷ ଅସ୍ତ୍ର ଭାବେ ଆର୍ଥିକ ଲୋଭ ଦେଖାଯାଉଛି । ନିଜେ ବାପୁ ତାଙ୍କର ହାତଗଣତି କେଇଜଣ ଚେଲା-ଚାମୁଣ୍ଡାଙ୍କୁ ନେଇ ଅସନ୍ତୁଷ୍ଟଙ୍କୁ ଭେଟି ମୋଟା ଅଙ୍କର ଟଙ୍କା ଦେଉଛନ୍ତି । କେତେକଙ୍କୁ ନିଜ ଘର ଓ ସରକାରୀ ବାସଭବନକୁ ଡାକି ଟଙ୍କା ଦିଆଯାଉଛି ତ ଆଉ କାହାକୁ ରାସ୍ତା କଡରେ କାର ଭିତରେ ଟଙ୍କା ବାଣ୍ଟୁଛନ୍ତି । ଯାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ବାପୁଙ୍କୁ ଜଣେ ଦୃଢ ସମର୍ଥକ କହିଛନ୍ତି, ଭୁବନେଶ୍ୱର ଉତ୍ତରରେ ବାପୁ ଭାଇଙ୍କ ପ୍ୟାଣ୍ଟ ସାର୍ଟକୁ ଠିଆ କରାଇଲେ ବି ସେମାନେ ଜିତିଯିବେ । ବାପୁ ଭାଇ ଉତ୍ତରରେ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ବୁନୁ ଭାଇ କିପରି ଜିତବେ ସେ ନେଇ ବାପୁ ଭାଇ ଉଦ୍ୟମ କରୁଛନ୍ତି । ବୁନୁଙ୍କ ପାଇଁ ନିଜ ପକେଟରୁ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ଆଗକୁ ଆହୁରି ଅନେକ ଖର୍ଚ୍ଚ ବାକି ଅଛି । ଏଥର ପୁଣି ଯେମିତି ହେଲା ଭୁବନେଶ୍ୱରର ୩ଟି ଆସନ ବିଜେଡି ଦଖଲ କରିବ, ସେ ଦାୟିତ୍ୱ ଭାଇ (ବାପୁ) ନେଇଛନ୍ତି ।

ତେବେ ଏଥରୁ ସ୍ପଷ୍ଟ ଜଣାପଡୁଛି, ଜଣେ ବିଧାୟକ ରାଜଧାନୀରେ ଯଦି କୋଟି କୋଟି ଟଙ୍କା ବାଣ୍ଟି ପାରୁଛନ୍ତି, ତେବେ ଗାଁ ଗହଳି ଅବସ୍ଥା କ’ଣ ହେଉଥିବ । ଏଦିଗରେ ନିର୍ବାଚନ କମିଶନ ଦୃଷ୍ଟି ନଦେଲେ, ଭୋଟ କିଣାବିକାକୁ ରୋକିବା ଅସମ୍ଭବ ହୋଇପଡିବ । ତେଣୁ ବିଧାୟକ ସୁଶାନ୍ତ ରାଉତଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିରୋଧୀମାନେ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy