ପଦ୍ମ ଧରିବେ ଭର୍ତ୍ତୃହରି-ପ୍ରଦୀପ, ଚିରଞ୍ଜୀବୀଙ୍କ ଗୋଡରେ କଂଗ୍ରେସ ବେଢି!

0 963

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ନିର୍ବାଚନ ଋତୁ ଆସିଲେ ନେତାଙ୍କ ଦଳବଦଳ ଆରମ୍ଭ ହୋଇଥାଏ । ଏଥର ୨୦୨୪ ସାଧାରଣ ନିର୍ବାଚନରେ ବେଶ ବଡବଡ ନେତା ଦଳବଦଳ କରିବାର ସମ୍ଭାବନା ଦେଖାଦେଇଛି । ସେଥିମଧ୍ୟରୁ କଟକ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଭତ୍ତୃହରି ମହତାବ, ବିଜେଡିରୁ ବହିଷ୍କୃତ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସର ଚିରଞ୍ଜୀବୀ ବିଶ୍ୱାଳଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି । ଭତ୍ତୃହରି ଓ ପ୍ରଦୀପ ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି । ସେହିପରି ବିଜେଡିରୁ ଗ୍ରୀନ ସିଗନାଲ ପାଇଥିବା ଚିରଞ୍ଜୀବୀ ବିଶ୍ୱାଳଙ୍କ ଗୋଡରେ କଂଗ୍ରେସ ବେଢି ଏବେ ତାଙ୍କୁ ଚିନ୍ତାରେ ପକାଇଦେଇଛି ।

ପାଖାପାଖି ଦୁଇବର୍ଷ ହେବ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରେ କୋଣଠେସା ହୋଇରହିଛନ୍ତି । ବିଜେଡି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବା ସହ କେନ୍ଦ୍ର ବିଜେପି ନେତାଙ୍କ ସହ ତାଙ୍କୁ ମଧୁରତା ବଢୁଛି । ଏପରିକି ନିଜ ସମ୍ପାଦନାରେ ପ୍ରକାଶ ପାଉଥିବା ଖବରକାଗଜର ସ୍ୱନକ୍ଷତ୍ର ଉତ୍ସବରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତି ତାଙ୍କର ବିଜେପି ପ୍ରୀତିକୁ ପ୍ରମାଣିତ କରିଛି । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି । ଭିତିରିସୁତ୍ରରୁ ମିଳିଥିବା ଖବର ଅନୁସାରେ, ଚଳିତମାସ ଶେଷ ଆଡକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେହି ସମୟରେ ଶ୍ରୀ ମହତାବ ବିଧିବଦ୍ଧ ଭାବେ ବିଜେପି ଟୋପି ପିନ୍ଧିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡିଛି ।

ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସେହି ଏକା ସମୟରେ ପଦ୍ମ ଧରିବେ । ଚାକିରୀ ନାଁରେ ଠକେଇ ଅଭିଯୋଗରେ ଦଳରୁ ବହିଷ୍କୃତ ଓ ଗିରଫ ହେବା ପରେ ସେ ବିଜେପି ଶିବିର ସହ ଯୋଗାଯୋଗରେ ରହିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ପାଖାପାଖି ବସିବା ଓ ସାଙ୍ଗ ହୋଇ ଯିବାର ନଜୀର ମଧ୍ୟ ରହିଛି । ଗଞ୍ଜାମ ଜିଲ୍ଲାରେ ପ୍ରଦୀପଙ୍କର ଦବଦବା ଏବେ ଅକ୍ଷୁର୍ଣ୍ଣ ରହିଥିବାରୁ ସେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ବିଜେଡିରେ ଥିବା ସମୟରେ ପ୍ରଦୀପ ପ୍ରାୟ ୭ଟି ବିଧାନସଭା ଆସନକୁ ନିୟନ୍ତ୍ରଣ କରୁଥିଲେ । ସେହିକ୍ରମରେ ସେ ବିଜେପି ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରନ୍ତି ।

ଅନ୍ୟପକ୍ଷରେ ଦଳବିରୋଧି କାର୍ଯ୍ୟ ଯୋଗୁଁ କଂଗ୍ରେସରୁ ନିଲମ୍ବିତ ହୋଇଥିବା ଚିରଞ୍ଜୀବୀ ବିଶ୍ୱାଳ ‘କଂଗ୍ରେସ ଭବନ’ ମୋହଛାଡି ‘ଶଙ୍ଖ ଭବନ’ ଆଡକୁ ଆଖି ପକାଇଛନ୍ତି । ବିଜେଡିକୁ ଯିବା ଲାଗି ଉଦ୍ୟମ ଚଳାଇ ଏକ ପ୍ରକାର ସଫଳ ହୋଇଛନ୍ତି । ବିଜେଡିରୁ ତାଙ୍କୁ ଗ୍ରୀନ ସିଗନାଲ ମିଳିଛି । ହେଲେ ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ଦଳ ନୀତି-ଆଦର୍ଶରେ ପରିଚାଳିତ ହେଉଛି । କୌଣସି ଦଳରୁ ନିଲମ୍ବିତ ନେତାଙ୍କୁ ନିଜ ଶିବିରକୁ ନଆଣିବାକୁ ନିଷ୍ପତ୍ତି ନେଇଛି । ତେଣୁ ଚିରଞ୍ଜୀବୀଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର ନକରିବା ଯାଏ, ତାଙ୍କୁ ବିଜେଡି ଗ୍ରହଣ କରିବ ନାହିଁ ବୋଲି କୁହାଯାଉଛି । ଅପରପକ୍ଷରେ ଶ୍ରୀ ମନ୍ଦିର ପ୍ରକଳ୍ପ ଉଦଘାଟନ କରିବା ପରେ ଭାଇ ରଞ୍ଜୀବ ବିଶ୍ୱାଳଙ୍କୁ ଛାଡି ସେ ଏକା ବିଜେଡିରେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି । ତେବେ ଦେଖାଯାଉ, ଏହି ଦଳବଦଳ କାହା ପାଇଁ ଶୁଭଙ୍କର ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy