ଓଡ଼ିଶା ଶାସନ ବ୍ୟବସ୍ଥା ଲାଇନଚ୍ୟୁତ : ଭୂପିନ୍ଦର ଯାଦବ

0 172

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୨୫ବର୍ଷର ବିଜେଡି ଶାସନରେ କୃଷକ, ମହିଳା, ରୋଜଗାର, ଆଇନଶୃଙ୍ଖଳା, ସଂସ୍କୃତି ଓ ଗୌରବ ଆଦି କ୍ଷେତ୍ରରେ ଓଡିଶାର ଗ୍ରାଫ୍ ତଳକୁ ତଳ ଖସିଛି । ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧ ଚାର୍ଜସିଟ୍ ଲୋକାର୍ପଣ କରିିଛି ଭାରତୀୟ ଜନତା ପାର୍ଟି । ଏହି ଚାର୍ଜସିଟ୍ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । “କେତେ ଦିନ ସହିବା, ପରିବର୍ତନ ଆଣିବା” ନାଁରେ ଭାରତୀୟ ଜନତା ପାର୍ଟି ବିଜେଡି ସରକାର ବିରୋଧରେ ଚାର୍ଜସିଟ ଆଣିଛି । ପଂଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍ ଜାରି କରାଯାଇଛି । ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ବିଜୁ ଜନତା ଦଳକୁ ୨୫ଟି ପ୍ରଶ୍ନ କରିଛି ।

ଚାର୍ଜସିଟ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ଶାସକ ବିଜେଡି ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତିଶୃତି ତାକୁ ପୁରଣ କରିବାରେ ବିଫଳ ହୋଇଛି । ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ଖୋଲିବାରେ ବିଫଳ ହୋଇଛି ବିଜେଡି ସରକାର । କୃଷକଙ୍କ ଉନ୍ନତୀ ପାଇଁ ନବୀନ ବାବୁ କାଳିଆ ଯୋଜନା କରିଥିଲେ, ହେଲେ ଗରିବ କୃଷକଙ୍କ ପାଖରେ ଏହାର ଲାଭକୁ ପହଂଚାଇବାରେ ବିଫଳ ହେଲେ । ଓଡିଶାରେ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଗଲା ନାହିଁ । କୃଷକବିରୋଧୀ ନୀତି ନେଇ ବିଜେଡି ସରକାର ଚାଲିଛି । ଏନସିଆରବି ରିପୋର୍ଟ ମୁତାବକ ମହିଳା ଅପରାଧରେ ଓଡ଼ିଶା ଢେର ଆଗରେ । ରାଜ୍ୟରେ ଲିଙ୍ଗଗତ ସମସ୍ୟା ବଢିଛି ।

ଓଡିଶାର ସଂସ୍କୃତିକୁ ଅନ୍ୟ ଦେଶମାନେ ଅନୁସରଣ କରୁଛନ୍ତି ହେଲେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିପରି ଶିଶୁଅପହରଣରେ ଓଡିଶା ଢେର ଆଗରେ । ୨୪ବର୍ଷ ନବୀନ ଶାସନରେ ଯୁବକଙ୍କ ପାଇଁ ଚାକିରୀ ନାହିଁ ଫଳରେ ସୁରଟ, ବାଙ୍ଗାଲୁରୁ, ମୁମ୍ବାଇରେ ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଶାର ଯୁବ ସମାଜ । ଯୁବକଙ୍କ ଆକାଂକ୍ଷା ପୂରଣ କରିବାରେ ବିଜେଡି ସରକାର ବିଫଳ । ବର୍ଷକ ମଧ୍ୟରେ ଲକ୍ଷାଧିକ ଯୁବକ ବାହାରେ ଦାଦନ ଖଟିବାକୁ ଗଲେଣି । ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୪,୩୦୦ ଅଧ୍ୟାପକ ପଦ ଖାଲି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା କାରଣରୁ ଗରୀବ ବାସହୀନ ପକ୍କା ଘର ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟରେ ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ବଢିଛି ।

୬୧୨୪ ଗାଁକୁ ରାସ୍ତା ନାହିଁ । ଆଦିବାସୀ ଅଂଚଳରେ ଗମନାଗମନ ପାଇଁ ରାସ୍ତା ନାହିଁ । ପାନୀୟ ଜଳ ସମସ୍ୟା, ଅପପୃଷ୍ଟି, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ରୋକିବାରେ ବିଫଳ ହୋଇଛି ବିଜେଡି ସରକାର । ଓଡ଼ିଶାବାସୀ ବିଜୁଳି ୟୁନିଟ୍ ପିଛା ୨ଟଙ୍କା ୮୩ପଇସା ଦେଉଛନ୍ତି ହେଲେ ତାମିଲନାଡୁରେ ୟୁନିଟ୍ ପିଛା ୨ଟା ୫୩ପଇସା ଦେବାକୁ ପଡୁଛି । ଓଡିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି, ତାହାର ଉତର ଶାସନ ମୁଖିଆ ନବୀନ ବାବୁ ଦେବେ କି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଛି । ଗାଁ ଗାଁରେ ସଭା କରି ଲୋକଙ୍କ ପାଖକୁ ଚାର୍ଜସିଟ୍ ପହଂଚାଇବ ବିଜେପି । ସାରା ଦେଶରେ “ମୋଦି ଗ୍ୟାରେଂଟି”କୁ ନେଇ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି । ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ହେଉଛି । ବିଜେପି ଆଗାମୀ ନିର୍ବାଚନରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତାର ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ଯାଦବ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ନବୀନ ସରକାର ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା, କମିଶନ ବି ବସିଲା କିନ୍ତୁ ଫଳ ହେଲା ଶୂନ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡି ସରକାର । ଏଠି ନାଁ ଅଛି ଗଣତନ୍ତ୍ର ନା ଅଛି ଶାସନତନ୍ତ୍ର । ଏ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ଲୋକପ୍ରତିନିଧିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହିଁ ବିଜେଡି ସରକାର । ସେମାନଙ୍କ ମର୍ଯ୍ୟାଦା ରଖିପାରୁନି ସରକାର । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ସରକାରକୁ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କ ରାଜ୍ୟ ଭାବେ ନୂଆ ରୂପ ନେଇଛି ଓଡିଶା ।

୨୪ବର୍ଷ ଶାସନରେ ରହିବି ନବୀନ ବାବୁ ଗାଁକୁ ସମ୍ମାନ ଦେବା ଶିଖିନାହାନ୍ତି । ରାଜ୍ୟର ଅସ୍ମିତାକୁ ପଦଦଳିତ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଅସନ୍ତୋଷ ବିସ୍ଫୋରଣର ରୂପ ନେଇଛି, ତେଣୁ ଲୋକେ ଏବେ ପରିବର୍ତନ ଚାହୁଁଛନ୍ତି । ଗତ ୧୦ ବର୍ଷର ମୋଦି ସରକାରରେ ଓଡିଶାକୁ ଆସିଥିବା ୧୮.୮୭ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତାକୁ ହରିଲୁଟ୍ କରାଯାଇଛି । ଗ୍ରାମାଚଂଳ ଓ ସହରାଚଂଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ବିକାଶ ନାଁରେ ବିନାଶ ଦେଖାଇଛନ୍ତି ନବୀନ ସରକାର । ସେବା ନାଁରେ ଶୋଷଣ କରିଛନ୍ତି । ଗ୍ରାମାଚଂଳ ଓ ସହରାଚଂଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଂଚାୟତ ରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ସାଧାରଣ ନିର୍ବାଚନ ପାଇଁ ବିଜେପି ଯାହାର ନଗ୍ନ ନମୁନା ସାଧାରଣ ଜନତାଙ୍କ ପାଖରେ ଏହି ଚାର୍ଜସିଟି ମାଧ୍ୟମରେ ଉପସ୍ଥାପିତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ପାଂଚ ପାଂଚ ଥର ଶାସନ କ୍ଷମତାରେ ବସାଇଥିବା ଓଡିଶାବାସୀଙ୍କୁ କେବଳ ପ୍ରତାରଣା ଦେଇଛି ବିଜେଡି । ଗଣତନ୍ତ୍ରରେ ଜନତା ମାଲିକ । ଓଡିଶାବାସୀ ବିଜେଡି ପ୍ରତି ବିମୁଖ ହେଲେଣି । ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜରିଆରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ପହଂଚାଇବା ପାଇଁ ବିଜେପି ଚେଷ୍ଟା କରିଛି ବୋଲି ଚାର୍ଜସିଟ କମିଟିର ରାଜ୍ୟ ଆବାହକ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଲୋକାର୍ପଣ ଉତ୍ସବରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଶ୍ରୀ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy