ରାଜନୀତି ଛାଡିବେ ସୌମ୍ୟ, କଂଗ୍ରେସରେ ମିଶିବେ ବିଜୟ ଓ ଫେରିବେ ଶ୍ରୀକାନ୍ତ!

0 558

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସରକାରଙ୍କ ବିରୋଧରେ ମୁହଁ ଖୋଲି ବିଜେଡିରୁ ବିଦା ହୋଇଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ରାଜନୀତିରୁ ଦୂରେଇ ରହି ସାମ୍ବାଦିକତା କ୍ଷେତ୍ରକୁ ଆହୁରି ମଜବୁତ କରିବେ । ସମ୍ବାଦ ଓ କନକଟିଭିକୁ ସମୟ ନେଇ ଏହା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ପଣ କରିଛନ୍ତି ।

ବିଜେଡିରୁ ବିଦା ହେବା ପରେ ସୌମ୍ୟରଞ୍ଜନ ବିଜେପି ଶିବିର ଆଡେ ମୁହାଁଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେହିପରି ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ ନେତା ବାହାରିବାରୁ ସେ ପୁଣି ଘର ବାହୁଡା କରିବା ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଥିଲା । ମାତ୍ର ଏସବୁ ଚର୍ଚ୍ଚା ଭିତରେ ସୌମ୍ୟ ରାଜନୀତିରୁ ସନ୍ୟାସ ନେବା ନେଇ ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।

ସେହିପରି ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେଡିକୁ ଚେକ ଦେବାକୁ ବିରୋଧି ଶିବିର ଚଳଚଞ୍ଚଳ ହୋଇଉଠିଛି । ବିଜେଡିକୁ ମାତ୍ ଦେବାକୁ ହେଲେ ଓଡ଼ିଶାରେ କଂଗ୍ରେସ ନଚେତ ତୃତୀୟ ସାମୁଖ୍ୟର ଆବଶ୍ୟକତା ରହିଥିବାରୁ ଏହାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି । ଯଦିଓ ରାଜ୍ୟରେ ବିଜେପି ବିରୋଧଦଳର କାମ କରୁଛି, ତେବେ କେନ୍ଦ୍ରୀୟ ସ୍ତରରେ ବୁଝାମଣା ଥିବାରୁ ବିଜେଡି ସହ ଫାଇଟ କରିବ ନାହିଁ । ତେଣୁ କଂଗ୍ରେସ କିମ୍ବା ତୃତୀୟ ସାମୁଖ୍ୟର ଆବଶ୍ୟକତା ରହିଛି ।

ତେଣୁ ଏବେ ବରିଷ୍ଠ ନେତାମାନେ ଗୁପ୍ତ ବୈଠକ କରି ଯୋଜନା ପ୍ରସ୍ତୁତ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କଂଗ୍ରେସରେ ସାମିଲ ହୋଇ ରାଜନୀତିର ଗୋଟି ଚାଳନା କରିବେ । ତାଙ୍କର ପୁରୁଣା ବନ୍ଧୁ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ ଫେରିବା ନେଇ ଆଲୋଚନା ଚାଲିଛି । ଏହି ନେତାଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରାଥମିକ ଆଲୋଚନା କରିଥିବା କୁହାଯାଉଛି । ଗତ ଗଣେଶ ପୂଜା ଦିନ ନିରଞ୍ଜନ ପଟ୍ଟନାୟକ ଶ୍ରୀକାନ୍ତଙ୍କ ଘରକୁ ଯିବା ଏନେଇ ଆଭାସ ଦେଇଥିଲା । ଯଦି ବିଜୟ ମହାପାତ୍ର କଂଗ୍ରେସରେ ମିଶନ୍ତି, ତେବେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟ କଂଗ୍ରେସ ଫେରିବା ଏକ ପ୍ରକାର ନିଶ୍ଚିତ ।

ସେହିପରି ନିର୍ବାଚନ ପୂର୍ବରୁ ବିଜୁଙ୍କ ନାଁରେ ଏକ ନୂଆ ଦଳ ସୃଷ୍ଟି ହେବା ସମ୍ଭାବନା ମଧ୍ୟ ରହିଛି । ବିଜେଡିରେ କୋଣଠେସା ହୋଇଥିବା ବିଜୁପ୍ରେମୀମାନେ ବିଜୁଙ୍କ ନାଁରେ ଏକ ଦଳ ଗଠନ କରିବାକୁ ମସୁଧା କରୁଥିବା ଚର୍ଚ୍ଚା ହେଉଛି । ବିଜୁଙ୍କ ନାଁରେ ଏବେ ବି ଭୋଟ ମିଳୁଥିବାରୁ ଅସନ୍ତୁଷ୍ଠ ଗୋଷ୍ଠୀ ଏହାକୁ ଅସ୍ତ୍ର କରିବାକୁ ଯୋଜନା ଚଳାଇଛନ୍ତି । ଯଦି ଏହି ଚର୍ଚ୍ଚା ସତ ହୁଏ, ତେବେ ୨୦୨୪ ନିର୍ବାଚନ ଜିତିବା ବିଜେଡି ପାଇଁ ସହଜ ହେବ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy