ବଦଳିବ ପ୍ରାଥମିକ ସ୍କୁଲ୍‌ର ଚିତ୍ର, ଶ୍ରେଣୀଗୃହକୁ କରାଯିବ ଶିଶୁ ସୁଲଭ

0 170

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଦଳିବ ପ୍ରାଥମିକ ସ୍କୁଲ୍‌ର ଚିତ୍ର । ଶ୍ରେଣୀର ପରିବେଶକୁ କରାଯିବ ଆକର୍ଷଣୀୟ । ଶ୍ରେଣୀଗୃହକୁ ଶିଶୁ ସୁଲଭ କରାଯିବ । ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ କାନ୍ଥରେ ଚିତ୍ର କରାଯିବ । ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍‌ ବୋର୍ଡ, ପ୍ରଦର୍ଶନୀ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍‌ ରହିବ ।

ପିଲା ଦରିରେ ବସି ରଙ୍ଗୀନ ଡେକ୍ସରେ ଲେଖିବେ । ଶ୍ରେଣୀଗୃହର ଆବଶ୍ୟକ ମରାମତି ସହ ବିଦ୍ୟୁତୀକରଣ ଓ ଆଲୋକୀକରଣ କରାଯିବ । ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା କରାଯିବ । ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ । ଏନେଇ ବିଦ୍ୟାଳୟ ଓ ଶିକ୍ଷା ବିଭାଗ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୬ହଜାରରୁ ଅଧିକ ସ୍କୁଲ୍‌କୁ ସାମିଲ କରାଯାଇଛି । ସ୍କୁଲ୍‌ ପିଛା ଖର୍ଚ୍ଚ ହେବ ଦେଢ଼ ଲକ୍ଷ ଟଙ୍କା । ମୋଟ ୯୨କୋଟି ୩୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପର୍ଯ୍ୟାୟକ୍ରମେ ବଳକା ସମସ୍ତ ସ୍କୁଲ୍‌କୁ ଅନ୍ତର୍ଭୁକ୍ତ କରାଯିବ ।

ବିଭାଗ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ନୂଆ ପଦକ୍ଷେପ ନେଇଛି । ଗୁଣାତ୍ମକ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ବଦଳାଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ଚିତ୍ତାକର୍ଷଣ ଶିକ୍ଷଣ ସାମଗ୍ରୀ (ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀର ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି । ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ, ଆଗ୍ରହ ଓ କୌତୁହଳ ସୃଷ୍ଟି ପାଇଁ ଏପରି ନିଷ୍ପତ୍ତି ନେଇଛି ବିଭାଗ । ରୂପାନ୍ତରଣ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ରାଜଭବନ ଉଚ୍ଚ ପ୍ରାଥମିକ ସ୍କୁଲ୍‌କୁ ପାଇଲଟ୍‌ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ସ୍କୁଲ୍‌ରେ ସମସ୍ତ ଶ୍ରେଣୀଗୃହକୁ ବିକାଶିତ କରାଯାଇଛି । ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ସ୍କୁଲ୍‌ରେ ସମସ୍ତ ସୁବିଧା ସୁଯୋଗ ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାଥମିକ ଭାବେ ୧୬ ଜିଲ୍ଲାରେ ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ବରିଷ୍ଠ ଶିକ୍ଷକଙ୍କ ସହ ଜଣେ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଖୁବ୍‌ଶୀଘ୍ର ଅନ୍ୟ ସମସ୍ତ ଶିକ୍ଷକଙ୍କ ପ୍ରଶିକ୍ଷଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବରଗଡ଼ ଜିଲ୍ଲାର ୪୧ଟି ସ୍କୁଲ୍‌, ବଲାଙ୍ଗୀରର ୭୩୩, ଢେଙ୍କାନାଳର ୩୯୭, ଗଜପତିର ୩୨୭, କଳାହାଣ୍ଡିର ୭୯୬, କନ୍ଧମାଳର ୬୫୫, କୋରାପୁଟର ୮୦୧, ମାଲକାନଗିରିର ୪୯୬, ମୟୂରଭଞ୍ଜର ୧୩୩, ନବରଙ୍ଗପୁର ୫୮୯, ନୟାଗଡ଼ର ୪୮, ନୂଆପଡ଼ାର ୨୬୮, ରାୟଗଡ଼ାର ୭୨୮, ସମ୍ବଲପୁରର ୪୮ ଏବଂ ସୁନ୍ଦରଗଡ଼ର ୯୯ଟି ସ୍କୁଲ୍‌ର ଗୃହ ପରିବେଶ ବଦଳାଯିବ ବୋଲି ଜଣାପଡ଼ିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy