ସାବଧାନ! ରଙ୍ଗରୁଟ୍‌ରେ ଗାଡି ଚଳାଉଛନ୍ତି କି?

0 555

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାବଧାନ! ଆପଣ ରଙ୍ଗରୁଟରେ ଗାଡି ଚଳାଉଛନ୍ତି କି? ୟୁଟର୍ନ ନନେଇ ଆପଣ ଶୀଘ୍ର ଯିବାକୁ ରଙ୍ଗରୁଟ୍‌ର ସାହାରା ନେଉଛନ୍ତି କି? ଏଣିକି ସାବଧାନ ହୋଇଯାଆନ୍ତୁ । କମିଶନରେଟ ପୁଲିସ ଏଭଳି ବେପରୁଆ ଗାଡି ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଯାଞ୍ଚକୁ ଜୋରଦାର କରି ଗାଡି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହିକ୍ରମରେ ଗତ ଦୁଇଦିନ ମଧ୍ୟ ପୁଲିସ ୨୦୧ଟି ଗାଡି ଜବତ କରି କୋର୍ଟକୁ ପ୍ରୋସିକ୍ୟୁସନ ରିପୋର୍ଟ ପଠାଇଛି ।

ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର-କଟକର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ତା ୦୭.୧୦.୨୦୨୩ ଏବଂ ୦୮.୧୦.୨୦୨୩ ରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା । ଏହି କ୍ରମରେ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗରୁଟ ଡ୍ରାଇଭିଂ, ମୋଡିଫାଏଡ ସାଇଲେନ୍ସର, ବେଆଇନ ପାର୍କିଂ, ନିଶା ସେବନ କରି ଗାଡି ଚାଳନା କରୁଥିବା ଆଇନ ଉଲଂଘନ କାରୀଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା ।

ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗରୁଟ ରେ ଡ୍ରାଇଭିଂ କରୁଥିବା ଖିଲାପକାରୀମାନଙ୍କର ସମୁଦାୟ ୨୦୧ଟି ମୋଟରସାଇକେଲ ଏବଂ ମୋଡିଫାଏଡ ସାଇଲେନ୍ସର ବ୍ୟବହାର କରୁଥିବା ସମୁଦାୟ ୧୩ଜଣ ଆଇନ ଉଲଂଘନ କାରୀଙ୍କ ମୋଟରସାଇକେଲ ଗୁଡିକୁ ଜବତ କରାଯାଇଛି । ସେହି ପରି ନିଶା ସେବନ କରି ଗାଡି ଚାଳନ କରୁଥିବା ସମୁଦାୟ ୬ ଜଣ ଆଇନ ଖିଲାପକାରୀଙ୍କୁ ନିକଟସ୍ଥ ଥାନାରେ ଜିମ୍ମା ଦିଆଯାଇଛି । ଜବତ ହୋଇଥିବା ମୋଟରସାଇକେଲ ବ୍ୟବହାରକାରୀ ତଥା ମାଲିକମାନଙ୍କ ବିରୁଦ୍ଧରେ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି ।

ପୁଲିସ ଜନସାଧରଙ୍କୁ ନିବେଦନ କରିଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲଂଘନ କରନ୍ତୁ ନାହିଁ ଏବଂ ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରନ୍ତୁ । ଆଗକୁ ମଧ୍ୟ ଏହି ପରି ଡ୍ରାଇଭ ଜାରି ରହିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy