‘ସଂରକ୍ଷଣ ସହିତ ଉନ୍ନୟନକୁ ଦୃଷ୍ଟିରେ ରଖି ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ’

0 288

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଜଙ୍ଗଲ(ସଂରକ୍ଷଣ) ସଂଶୋଧନ ଆଇନ୍-୨୦୨୩ ସଂପର୍କିତ ଏକ କର୍ମଶାଳା ବୁଧବାର ସ୍ଥାନୀୟ ମେଫେୟାର କନ୍ଭେନ୍ସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସଂପ୍ରତି ଜଙ୍ଗଲ ସଂରକ୍ଷଣ ସଙ୍ଗେ ସଙ୍ଗେ ଉନ୍ନୟନକୁ ଦୃଷ୍ଟିରେ ରଖି ସନ୍ତୁଳିତ ବିକାଶ ଦିଗରେ ପୂର୍ବ ଆଇନ୍ରେ ଆବଶ୍ୟକ ସଂଶୋଧନ କରାଯିବା ସଂପର୍କରେ କର୍ମଶାଳାରେ ବ୍ୟାପକ ଆଲୋଚନା କରାଯାଇଥିଲା ।

୧୯୮୦ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଜଙ୍ଗଲ ସଂରକ୍ଷଣ ଆଇନ୍ରେ ଆବଶ୍ୟକୀୟ ସଂଶୋଧନ କରାଯାଉଥିବା ପ୍ରସଙ୍ଗଗୁଡିକ ଉପରେ ତର୍କ, ଅନୁଶୀଳନ ଓ ଆଲୋଚନା ପୂର୍ବକ ଏଦିଗରେ ସଂପୃକ୍ତ ସବୁ ସ୍ତରରୁ ମତାମତ ଓ ସହମତିର ଆବଶ୍ୟକତା ଥିବା ସଂପର୍କରେ ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା ।

ଜଙ୍ଗଲ(ସଂରକ୍ଷଣ) ସଂଶୋଧନ ଆଇନ୍ -2023 ପରିପ୍ରେକ୍ଷୀରେ ଏକ କମିଟି ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି । ଏହି କମିଟି ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କ ଠାରୁ ମତାମତ ଗ୍ରହଣ କରି ଭାରତ ସରକାରଙ୍କୁ ବିବରଣୀ ପଠାଇବ । ବିଶ୍ୱ ସମୁଦାୟ ନିକଟରେ ୨୦୭୦ ମସିହା ସୁଦ୍ଧା ‘ଶୂନ’ କାର୍ବନ୍ ନିର୍ଗମନର ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ନିଶ୍ଚିତ କରିବାରେ କାର୍ଯ୍ୟକାରୀ ହେବାକୁ ଥିବା ସଂଶୋଧିତ ଆଇନ୍ ସହାୟକ ହେବ ବୋଲି କର୍ମଶାଳାରେ ସୂଚନା ପ୍ରକାଶ କରାଯାଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି କର୍ମଶାଳାରେ ଯୋଗଦେଇ କହିଲେ ଯେ, ଜଙ୍ଗଲ ସଂରକ୍ଷଣ ସହିତ ଓ ସନ୍ତୁଳିତ ବିକାଶ ପରିପ୍ରେକ୍ଷୀରେ ସଂପୃକ୍ତ ଅଂଚଳର ଜନସାଧାରଣ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଜଙ୍ଗଲ ସଂରକ୍ଷଣ ଓ ବିକାଶକୁ ଦୃଷ୍ଟିରୁ ରହିଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ପୂର୍ବକ ସରକାତ୍ମକ ପ୍ରସଙ୍ଗରେ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବାକୁ ସେ ମତ ରଖିଥିଲେ । ଜଙ୍ଗଲ ବ୍ୟବହାର କରୁଥିବା ବ୍ୟବହାରୀ ସଂସ୍ଥାମାନେ ଜଙ୍ଗଲ ସଂରକ୍ଷଣ ନିୟମ(ସଂଶୋଧନ) ସଂପର୍କରେ ଭଲଭାବେ ଜାଣିବା, ଜଙ୍ଗଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ପୋଷଣୀୟ ଖଣିଜ ସଂପଦର ଉତ୍ତୋଳନ ଓ ଆଇନ୍ ବିଭାଗୀୟ ଦିଗ ଉପରେ ଅନୁଶୀଳନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଦେଓ ରଂଜନ କୁମାର ସିଂ ଯୋଗଦେଇ କହିଥିଲେ ଯେ ବିକାଶ ପାଇଁ ଖଣିର ଉପଯୋଗ ଆବଶ୍ୟକତା ରହିଛି । ଦୈନନ୍ଦିନ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଉତ୍ପାଦ ଇସ୍ପାତରୁ ପ୍ରସ୍ତୁତ । ସମ ଭାବରେ ପରିବେଶ ସୁରକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଏଣୁ ବିକାଶ ସହିତ ପରିବେଶର ସୁରକ୍ଷାକୁ ଦୃଷ୍ଟି ଦେଇ ସନ୍ତୁଳିତ ବିକାଶ ପାଇଁ ଜଙ୍ଗଲ(ସଂରକ୍ଷଣ) ଆଇନ୍ ର ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଥିଲେ । ବନ୍ୟ ପ୍ରାଣୀ ସୁରକ୍ଷା ସହ ସଂପୃକ୍ତ ଅଂଚଳରେ ଉଭୟ ଜୀବନ ଓ ଜୀବିକାକୁ ଦୃଷ୍ଟି ଦେଇ ଜୀବିକା ନିର୍ବାହ କାର୍ଯ୍ୟକ୍ରମ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟ ସରକାରଙ୍କ ପ୍ରଧାନ ବନ ସଂରକ୍ଷଣ(ବନ୍ୟପ୍ରାଣୀ) ଏସ୍.କେ. ପୋପଲି, ପ୍ରଧାନ ବନ ସଂରକ୍ଷକ ତଥା ମୁଖ୍ୟ ବନପାଳ ଦେବୀଦତ୍ତ ବିଶ୍ୱାଳ ଯୋଗଦେଇ ଏହି ଆଇନ୍(ସଂଶୋଧନ) ରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଅବଗତ କରାଇଥିଲେ । ପିସିସିଏ(ନୋଡାଲ) ସୁଶାନ୍ତ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସଙ୍ଗ ଉପରେ ବିଶେଷଜ୍ଞମାନଙ୍କ ସହିତ ପ୍ୟାନେଲ୍ ଆଲୋଚନା କରାଯାଇଥିଲା । ଡିଡିଜିଏଫ(ସେଣ୍ଟ୍ରାଲ) ଏ. ତିୱାରୀଙ୍କ ସମେତ ପିସିସିଏଫ୍ ବିଶ୍ୱାଳ, ପିସିସିଏଫ୍ ( ନୋଡାଲ ) ଶ୍ରୀ ନନ୍ଦ, ଅନ୍ୟାନ୍ୟ ଜଙ୍ଗଲ ଓ ପରିବେଶବିତ୍ ବିଶେଷଜ୍ଞମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଆବଶ୍ୟକ ମତ ଓ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ, ବିଭିନ୍ନ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ବିଭାଗ, ଖଣି ବିଭାଗ ଓ ଜଙ୍ଗଲ ସଂରକ୍ଷଣ ସଂପର୍କିତ ବିଭିନ୍ନ ସଂସ୍କାର କର୍ତ୍ତୃପକ୍ଷମାନେ ଯୋଗଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy