ବୈପାରୀଗୁଡା ଥାନା ଅଧିକାରୀ ବନ୍ଧା ହେଲେ

0 1,180

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କୋରାପୁଟର ବୈପାରୀଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଇନ୍ସପେକ୍ଟର ଶ୍ରୀ ଶତପଥୀ ଗତକାଲି ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା । ବସ୍ ଭିତରେ ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶ୍ରୀ ଶତପଥୀଙ୍କଠୁ ୩୭.୨୭ଲକ୍ଷ ଟଙ୍କା ନଗଦ ଜବତ କରିଛି ।

ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, କୌଣସି ସୂତ୍ରରୁ ତଥ୍ୟ ମିଳିବା ପରେ ଭିଜିଲାନ୍ସ ଶ୍ରୀ ଶତପଥୀ କଟକ ଆସୁଥିବା ବସକୁ ପିଛା କରିଥିଲେ । ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ଏକକାଳୀନ ଚଢ଼ଉ କରି ତାଙ୍କର ବୈପାରୀଗୁଡ଼ା ସରକାରୀ କ୍ୱାର୍ଟର୍ସରୁ ୩ଲକ୍ଷ ଟଙ୍କା, ବୈପାରୀଗୁଡ଼ା ପୁଲିସ ଷ୍ଟେସନସ୍ଥିତ ଅଫିସରୁ ୧.୮୦ଲକ୍ଷ ଟଙ୍କା ଓ କଟକସ୍ଥିତ ସରକାରୀ କ୍ୱାର୍ଟର୍ସରୁ ୨୯.୭୭ଲକ୍ଷ ଟଙ୍କା ନଗଦ ଜବତ କରିଛି । ଏହି ସମସ୍ତ ନଗଦ ଅର୍ଥକୁ ମିଶାଇଲେ ମୋଟ ୩୭.୨୭କ୍ଷ ଟଙ୍କା ହେବ । ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ ମାମଲା ଶ୍ରୀ ଶତପଥୀଙ୍କ ବିରୁଦ୍ଧରେ ରୁଜୁ କରାଯାଇଥିଲା । ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

୧୯୭୮ ମସିହାରେ ଜନ୍ମିତ ସୁଶାନ୍ତ ଶତପଥୀ ୧୯୯୯ ମସିହାରେ ଭୁବନେଶ୍ୱର ଜିଲ୍ଲା ପୁଲିସରେ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ । ତେବେ ୨୦୦୮ ମସିହାରେ ପୁଲିସ ସବଇନ୍ସପେକ୍ଟର ପରୀକ୍ଷା ଦେଇ ଚାକିରି ପାଇବା ପରେ ୨୦୦୮-୦୯ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇଥିଲେ । ୨୦୦୯ରୁ ୨୦୨୩ ମସିହା ଜୁଲାଇ ମାସ ମଧ୍ୟରେ ସେ କେନ୍ଦୁଝର ଜିଲ୍ଲାରେ ପୁଲିସ ଏସଆଇ, ନରସିଂହପୁର ଥାନା, ତିଗିରିଆ ଥାନା, ଆଠଗଡ଼ ଥାନା, ମଙ୍ଗଳାବାଗ ଥାନା, ନାଉଗାଁ ଥାନା ଓ ରମାନଗୁଡ଼ା ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ଚଳିତବର୍ଷ ଜୁଲାଇ ମାସରେ ସେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇବା ପରେ କୋରାପୁଟ ଜିଲ୍ଲାର ସାଇବର ଥାନା ଦାୟିତ୍ୱରେ ରହିଥିଲେ । ତେବେ ୨୦୨୩ ଅଗଷ୍ଟ ମାସରେ ତାଙ୍କୁ ବୈପାରୀଗୁଡ଼ା ଥାନା ଆଇଆଇସି ଭାବେ ବଦଳି କରାଯାଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy