ମହିଳାଙ୍କ ସୁରକ୍ଷା ଲାଗି ସଜାଗ ହେଲା ସ୍ୱତନ୍ତ୍ର ପୋଲିସ ଟିମ

0 639

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ସଜାଗ ହୋଇଉଠିଛି । ବିଶେଷ କରି କର୍ମଜୀବୀ ମହିଳାମାନେ ରୋଡରୋମିଓଙ୍କ ଦୁର୍ବ୍ୟବହାରର ଶିକାର ହେଉଥିବାରୁ ଏହାକୁ ରୋକିବା ଲାଗି ପୁଲିସ ଏକ ନୂଆ ପକ୍ଷକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଏହି ରୋଡ ରୋମିଓଙ୍କ ଉପରେ କଡା ନଜର ରଖାଯାଇଛି । ଏହି ଟିମର ନାଁ ‘ହର୍‌’ ବା ‘ଏଚ୍‌ଇଆର’ ରଖାଯାଇଛି । ଏଚଇଆରର ଅର୍ଥ ‘ହାଇ ଏଫିସିଏନ୍ସି ରେସପନ୍ସ’ । ଏହି ଟିମର ମଙ୍ଗ ଧରିଛନ୍ତି ମହିଳା ଏସିପି ଅଞ୍ଜନା ଟୁଡୁ ।

ଗତ କିଛିଦିନ ହେଲା ରାଜଧାନୀ ଓ ଉପକଣ୍ଠରେ ରୋଡରୋମିଓଙ୍କ ଉତ୍ପାତ ବଢିଯାଇଛି । ରାସ୍ତାରେ ମହିଳା ଓ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିବା ସହ କମେଣ୍ଟ କରୁଛନ୍ତି । ଏଭଳି ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏ ଟିମ ର ନେତୃତ୍ୱ ଏସିପି ଅଞ୍ଜନା ଟୁଡୁ ନେଉଥିବା ବେଳେ ମୋଟ ୧୪ ଜଣ ମହିଳା ପୁଲିସ ଅଫିସର ଏହି ଟିମର ମେମ୍ବର ରହିଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।

ଏହି ନମ୍ବର ହେଉଛି ୬୩୭୨୫୦୦୪୦୦ । ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ । ଯଦି କେହି କଣ୍ଟ୍ରୋଲ ରୁମକୁ ଫୋନ କରୁଛି, ଉକ୍ତ କଲକୁ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି । ଅଭିଯୋଗ ଆସିବା ମାତ୍ରେ ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି । ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ଏହି ମହିଳା ସ୍କ୍ୱାର୍ଡ ପଇଁତରା ମାରୁଛନ୍ତି । ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି ଡିସିପି କହିଛନ୍ତି ।

ଉଲ୍ଲେଖଥାଉ କି, କିଛିଦିନ ତଳେ ହାଇଟେକ୍ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଏହି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ସନ ନେଇଛି । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଟିମ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଜଣଙ୍କୁ ଗିରଫ କରିଛି ।

ଅପରପକ୍ଷରେ ମହିଳାଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ପୂର୍ବରୁ ଅନେକ ପଦକ୍ଷେପ ନିଆଯାଇଛି । ମାତ୍ର ତାହା ସଫଳପ୍ରଦ ହୋଇପାରିନାହିଁ । ତେବେ ଏହି ଟିମ ମହିଳାଙ୍କୁ ସୁରକ୍ଷା ଦେବାରେ କେବେ ସଫଳ ହେବ, ତାହା ସମୟ କହିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy