ବିଦ୍ରୋହୀଙ୍କ ଲାଗି ଖୋର୍ଦ୍ଧା ଓ ବେଗୁନିଆ ଅଙ୍କ ଛିଡୁନି!

0 489

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଲାଣି । ହେଲେ ଅଦ୍ୟାବଧି ତିନି ପ୍ରମୁଖ ରାଜନୈତିକ ଦଳ ନିଜର ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ । ବିଶେଷ କରି ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ବିଜେଡି ମଧ୍ୟ ଆଉ ୨୧ଟି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଆସନ ମଧ୍ୟ ରହିଛି । ଖୋର୍ଦ୍ଧା ଓ ବେଗୁନିଆ ଆସନରେ ଦଳ ନିଜର ପ୍ରାର୍ଥୀ ଚୁଡାନ୍ତ କରିପାରୁନାହିଁ । ଏହା ପଛରେ ଆଂଶଙ୍କା, ସମ୍ଭାବନା, ବିଦ୍ରୋହ ଓ ଅସନ୍ତୋଷ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଖୋର୍ଦ୍ଧା ବିଧାୟକ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଟିକେଟ ଦାବିଦାର ଅଛନ୍ତି । ସେ ୨୦୧୯ ନିର୍ବାଚନରେ ୮୪,୫୫୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର କାଳୁଚରଣ ଖଣ୍ଡାୟତରାୟଙ୍କୁ ୧୦,୦୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । କିନ୍ତୁ ଏଥର ଖୋର୍ଦ୍ଧାରୁ ବିଧାୟକ ରାଜେନ୍ଦ୍ର ସାହୁ ଓ ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି । ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆରେ ଘୋର ବିରୋଧ ହେବାରୁ ସେ ଆଉ ସେଠାରୁ ନିର୍ବାଚନ ଲଢିବାକୁ ଇଚ୍ଛୁକ ନାହାନ୍ତି । ତେଣୁ ସେ ଖୋର୍ଦ୍ଧାରୁ ଟିକେଟ ଦାବିଦାର ସାଜିଛନ୍ତି । ତେଣୁ ବିଜେଡି ଜ୍ୟୋତିରିନ୍ଦ୍ରଙ୍କୁ ଟିକେଟ୍ ଦେବ କି ଆଉ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ପଡିଯାଇଛି । ଏହି ୩ ଆଶାୟୀଙ୍କ ମଧ୍ୟରୁ ଦଳ ଯାହାକୁ ଟିକେଟ ଦେବ ଆଉ ଦୁଇ ଜଣ ଅସନ୍ତୁଷ୍ଟ ହେବେ । ତେବେ ଦଳ କାହାକୁ ମ୍ୟାନେଜ କରିବ ଓ କାହାକୁ ଟିକେଟ ଦେବ, ତାହାକୁ ନେଇ ଅଙ୍କ ଛିଡୁନଥିବା ଚର୍ଚ୍ଚା ହେଉଛି ।

ସେହିପରି ବେଗୁନିଆରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଲୋକେ ରାଜେନ୍ଦ୍ର ସାହୁଙ୍କୁ ବିରୋଧ କରିବା ସହ ଏଥର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଚାହୁଁଛନ୍ତି । ଲୋକେ ନିର୍ବାଚନ ମଣ୍ଡଳୀ ବାହାର ଲୋକଙ୍କୁ ପ୍ରତ୍ୟାଖାନ କରିବେ ବୋଲି ସର୍ଭେରୁ ଜଣାପଡିବା ପରେ ଦଳ ବିକଳ୍ପ ଚିନ୍ତା କରିବା ଆରମ୍ଭ କରିଛି । ତେବେ ସ୍ଥାନୀୟ ନେତା ହିସାବରେ ପ୍ରଦୀପ ସାହୁ ଏହି ଦୌଡରେ ଆଗରେ ରହିଛନ୍ତି । ଏହା ସତ୍ୟ ଯେ ଦଳୀୟ ଶୀର୍ଷ ନେତୃବୃନ୍ଦଙ୍କ ସହ ତାଙ୍କର ଉତ୍ତମ ବୁଝାମଣା ରହିଥିବା ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଦଳକୁ ସହଯୋଗ କରୁଛନ୍ତି । ମାତ୍ର ସେ କଂଗ୍ରେସରୁ ବିଜେଡିକୁ ଆସିଥିବାରୁ ତଣମୂଳସ୍ତରରେ ଲୋକେ ତାଙ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି ମୂଳ ବିଜେଡି ସଂଗଠନ ସହ ସେ ଖାପଖୁଆଇ ପାରୁନାହାନ୍ତି ।

ଯଦି ମୂଳ ବିଜେଡି ତାଙ୍କୁ ସହଯୋଗ ନକରେ, ତେବେ ବିଜେଡିର ପାଖାପାଖି ୭୪ ହଜାର ନିଜସ୍ୱ ଭୋଟ ବିଭାଜନ ହେବା ଏକ ପ୍ରକାର ନିଶ୍ଚିତ । ୨୦୧୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୭୩ ହଜାର ୧୭୮ ଖଣ୍ଡ ଭୋଟ ପାଇଥିଲେ । ଯାହା କେବଳ ବିଜେଡି ଭୋଟ । ସେହିପରି ପ୍ରଦୀପଙ୍କ ପାଖରେ କିଛି କଂଗ୍ରେସ ଭୋଟ ରହିଛି । ହେଲେ ତାହା ଯଥେଷ୍ଟ ନୁହେଁ । କାରଣ ୨୦୧୯ରେ ପ୍ରଦୀପ ସାହୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୫୩ ହଜାର ୧୩୦ ଖଣ୍ଡ ଭୋଟ ପାଇଥିଲେ । ମାତ୍ର ମୂଳ କଂଗ୍ରେସ ଭୋଟର ତାଙ୍କ ସହ ଆଉ ନାହାନ୍ତି । ଯଦିଓ କିଛି ଭୋଟ କଂଗ୍ରେସରୁ ଆସିବା ଆଶା କରାଯାଉଥିଲା, ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବହ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବହ୍ଲଭ ପ୍ରାର୍ଥୀ ହେବା ପରେ ସେ ଆଶା ମଉଳୀ ଯାଇଛି । ପୃଥିବହ୍ଲଭ ପ୍ରର୍ଥୀ ହେବା ପରେ ମୂଳ କଂଗ୍ରେସର ୩୫ ହଜାରରୁ ଅଧିକ ଭୋଟ ତାଙ୍କ ଖାତାକୁ ଯିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଦଳ ତାଙ୍କ କଥାକୁ ମଧ୍ୟ ସହଜରେ ବିଚାର କରିପାରୁନାହିଁ ।

ଏସବୁ ଭିତରେ ଦଳ ତୃତୀୟ ଚେହେରା କଥା ବିଚାର କରୁଛି । ରାଜନୀତିରେ ନୂଆ ଓ ସ୍ୱଚ୍ଛ ଭାବମୂର୍ତ୍ତୀ ଥିବା ପ୍ରବୋଧ ଦାଶଙ୍କ କଥାକୁ ଗମ୍ଭୀରତାର ସହ ନେଇଛି । କାରଣ ସେ ଜଣେ ନିର୍ବିବାଦୀୟ ଚେହେରା ହୋଇଥିବାରୁ ବିଜେଡିର ୭୪ ହଜାର ଭୋଟ ସହ ଅନ୍ୟ ଦଳର ୧୦ରୁ ୧୫ ହଜାର ଭୋଟ ତାଙ୍କ ଖାତାକୁ ଆସିବା ସମ୍ଭାବନା ରହିଛି । ହେଲେ ପ୍ରଦୀପ ଓ ରାଜେନ୍ଦ୍ର ଦୁଇ ଆଶୟୀ ନେତା ଲୋକଙ୍କ ତୃତୀୟ ମହଲାର ଭୟ ଦେଖାଇ ନିଜ ନିଜ ସପକ୍ଷରେ ଜନମତ ଯୋଗାଡ କରିବାରେ ଲାଗିପଡିଛନ୍ତି । ମାତ୍ର ଲୋକେ ତୃତୀୟ ଚେହେରା ସପକ୍ଷରେ ରହିଛନ୍ତି । ଦଳ କିନ୍ତୁ ପ୍ରଦୀପ ଓ ପ୍ରବୋଧଙ୍କ ନାଁକୁ ନେଇ ବିଚାର ବିମର୍ଶ କରୁଥିବା ଜଣାପଡିଛି । ତେବେ ଶେଷରେ ଦଳ କାହାକୁ ଟିକେଟ ଦେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy