ବୁନୁ ଲାଗି ବାପୁଙ୍କ ମୁଣ୍ଡ ବିନ୍ଧୁଛି!

0 512

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜ ଚିନ୍ତା ଛାଡି ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ଆସନରେ ମୁଣ୍ଡ ପୁରାଇଛନ୍ତି । ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ନିଜ ଅଞ୍ଚଳରେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ ନକରି, ବାପୁ ମଧ୍ୟ ଆସନରେ ମୁଣ୍ଡ ଖେଳାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁଙ୍କୁ ଘୋର ବିରୋଧ କରାଯାଉଛି । ୱିଇ ଫର ଭୁବନେଶ୍ୱର ସଂଗଠନ ସମେତ ଆଶାୟୀ ପ୍ରାର୍ଥୀ ଅମରେଶ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ ବିରୋଧ କରୁଥିବାରୁ ବୁନୁ ଶିବିର ଚିନ୍ତାଶୀଳ ହୋଇପଡିଛି । ଏହାର ସମାଧାନ ପାଇଁ ବୁନୁ ଦଳ ଓ ବାପୁଙ୍କ ଶରଣ ପଶିଛନ୍ତି । ଦଳ ପକ୍ଷରୁ ଅମରେଶ ଓ ରୁଦ୍ରଙ୍କୁ ଡାକି ଏକ ପ୍ରକାର ମ୍ୟାନେଜ କରାଯାଇଥିବା ବେଳେ ୱିଇ ଫର ଭୁବନେଶ୍ୱର ଓ କେତେକ ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟରଙ୍କୁ କିଏ ବୁଝାଇବ, ତାହାକୁ ନେଇ ବୁନୁ ଚିନ୍ତାରେ ପଡିଯାଇଥିଲେ ।

ଏହି ଦାୟିତ୍ୱ ବାପୁ ହିଁ ତୁଲାଇ ପାରିବେ ବୋଲି ସେ ଜାଣିବାକୁ ପାଇଥିଲେ । ପରେ ସେ ବାପୁଙ୍କ ପ୍ରାର୍ଥୀପତ୍ର ଦାଖଲରେ ସାମିଲ ହୋଇ ତାଙ୍କର ପ୍ରିୟପାତ୍ର ହୋଇଥିଲେ । ପ୍ରାର୍ଥୀପତ୍ର ଦାଖଲରେ ବୁନୁ ସାମିଲ ହେବା ପରେ ବାପୁଙ୍କ ଦରଦ ବଢିଥିଲା । ପରେ ସେ ନିଜ ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପରିବର୍ତ୍ତେ ମଧ୍ୟ ଆସନରେ ମୁଣ୍ଡ ପୁରାଇଥିଲେ । ଅସନ୍ତୁଷ୍ଟ କର୍ପୋରେଟର, ପୂର୍ବତନ କର୍ପୋରେଟର ଓ ୱିଇ ଫର ଭୁବନେଶ୍ୱର ସଦସ୍ୟଙ୍କୁ ଡାକି ବୁଝାସୁଝା କରୁଛନ୍ତି । ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତେ ଉଦ୍ଧାର ହେଉ…’ ନିତୀରେ ବାପୁ ନିଜ ଚିନ୍ତା ଛାଡି ମଧ୍ୟ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଖେଳାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅନ୍ୟପକ୍ଷରେ ବାପୁଙ୍କ ଉତ୍ତର ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ବଢିବାରେ ଲାଗିଛି । ଗତ କର୍ପୋରେଟର ନିର୍ବାଚନ ସମୟରେ ସଠିକ ପ୍ରାର୍ଥୀ ଚୟନ ନହେବାରୁ ତୃଣମୂଳ ସଂଗଠନରେ ଫାଟ ସୃଷ୍ଟି ହୋଇଥିଲା । ବାପୁଙ୍କ ଭୂଲ ନିଷ୍ପତ୍ତି ଯୋଗୁଁ ବିଜେଡି କେତେକ କର୍ପୋରେଟର ସିଟ୍ ହାତଛଡା କରିଥିଲା । ସେହି ଫାଟ ଏବେ ବଢିବାରେ ଲାଗିଛି । କେତେକ ୱାର୍ଡକୁ ଯାଇ ବାପୁ ଏହାର ସମାଧାନ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । କାରଣ ଯେଉଁମାନଙ୍କର କର୍ପୋରେଟର ଟିକେଟ କଟିଥିଲା, ସେମାନେ ଏବେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ସମର୍ଥନ କରୁଛନ୍ତି । ଯଦି ଏଭଳି ସ୍ଥିତି ଶେଷ ପର୍ଯ୍ୟନ୍ତ ଲାଗି ରହେ, ତେବେ ବିଜେଡି ପାଇଁ ସମସ୍ୟା ହେବା ନିଶ୍ଚିତ ବୋଲି କୁହାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy