ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0 2,817

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିପୁଳ ପରିମାଣର ସମ୍ପତ୍ତି ଠାବ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ପୂର୍ବରୁ ଶ୍ରୀଜେନା ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲଦାର ଭାବେ କାମ କରୁଥିଲେ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ ବଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଚଢାଉ କରିଥିଲା । ତାଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘର ସମେତ ୪ଟି ଜାଗାରେ ଏକକାଳୀନ ଚଢାଉ କରାଯାଇଥିଲା ।

ଚଢାଉ ବେଳେ ବାଲୁଗାଁରେ ଥିବା ଶ୍ରୀଜେନାଙ୍କ ତିନି ମହଲା ବିଶିଷ୍ଟ କୋଠା(୧.୩୬ କୋଟି), ଟାଙ୍ଗୀ ଥାନାର ହରିପୁରରେ ଥିବା ତାଙ୍କର ଏକ ଘର, ବାଲୁଗାଁ ଓ ବାଣପୁରରେ ୬ଟି ପ୍ଲଟ, ବାଣପୁରର ଛୋଟରାୟପୁରଶାସନରେ ଥିବା ୩ଟି ପ୍ଲଟ୍‌, ବାଲୁଗାଁ ଶାରଳାପଦରରେ ଥିବା ଗୋଟିଏ ପ୍ଲଟ ଠାବ ହୋଇଛି । ସେହିପରି ଏକ ବେନାମୀ ପ୍ଲଟ ଲାଗି ୧୧ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ବେଳେ ୩ଟି ୪ଚକିଆ ଗାଡି, ୨ଟି ଦୁଇ ଚକିଆ ଗାଡି ସହ ବ୍ୟାଙ୍କ ଆକାଉଣ୍ଟ ଓ ବୀମାର କାଗଜପତ୍ର ଜବତ କରାଯାଇଛି । ସେହିପରି ସୁନା-ରୂପା ଗହଣା ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ୩ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy