ବାପା ଟିଉସନ୍ ଫି’ ମାଗିବାରୁ ପୁଅକୁ ହତ୍ୟା

0 1,503

ଭୁବନେଶ୍ୱର/ଜଟଣୀ, (ରିପୋଟର୍ସ ପେନ୍‌): ରାଜଧାନୀ ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଘଟଣାର ୨୪ ଘଣ୍ଟା ଭିତରେ ଜୋନ-୩ ଏସିପି ଓ ଟିମ୍ ଏକ ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାସ କରିବା କମିଶନରେଟ ପୋଲିସର ମନୋବଳକୁ ବଢାଇ ଦେଇଛି । ମାତ୍ର ୩ ହଜାର ଟଙ୍କା ଟିଉସନ ଫି’ ପାଇଁ ଜଣେ +୨ ଛାତ୍ର ସାର୍‌ଙ୍କ ନାବାଳକ ପୁଅକୁ ହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେପଟେ ମୃତ ଛାତ୍ରଙ୍କ ବାପା ପୋଲିସ ତଦନ୍ତକୁ ନାପସନ୍ଦ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିିସିପି ପ୍ରତୀକ ସିଂ କହିଛନ୍ତି, ଗତାକାଲି ସନ୍ଧ୍ୟାରେ ଜଟଣା ଥାନା ବେଣାପଞ୍ଜରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ସେହି ଗାଁର ଶିକ୍ଷକ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପଙ୍କୁ ନିଜ ଘରେ ଛୁରାମାଡ କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଏସିପି ଜୋନ-୩ ପ୍ରଦୀପ ରାଉତ ଓ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ହତ୍ୟାକାରୀକୁ ତୁରନ୍ତ ଚିହ୍ନଟ କରିବା ସହ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣ ଜଣେ +୨ ଛାତ୍ର ଓ ସେ ନାବାଳକ ବୋଲି ଜଣାପଡିଛି । ପୋଲିସ ତାକୁ ଆସନ୍ତକାଲି ଜୁଭେନାଇଲ କୋର୍ଟକୁ ପଠାଇବ ।

ଘରେ ପହଞ୍ଚି ଚେତାଶୂନ୍ୟ ହେଲା
ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ +୨ ଛାତ୍ର ସାଇକେଲ ଯୋଗୁଁ ସିଧା ଘରକୁ ଯାଇଥିଲା । ଘରେ ପହଞ୍ଚି ସାଇକେଲକୁ ଫୋପାଡି ଦେଇ ଚେତାଶୂନ୍ୟ ହୋଇପଡିଥିଲା । ପରିବାର ଲୋକେ ପାଣି ଛାଟିବା ପରେ ସେ ଉଠିଥିଲା ଓ ଘଟଣା ସମ୍ପର୍କରେ କହିଥିଲା । ପରେ ପରିବାର ଲୋକେ ତାକୁ ଘରେ ରଖି ପୋଲିସକୁ ଅପେକ୍ଷା କରିଥିଲେ । ପୋଲିସ ପହଞ୍ଚିବା ପରେ ତାଙ୍କ ପରିବାର ଲୋକେ କୌଣସି ଯୁକ୍ତି ନକରି ତାକୁ ହସ୍ତାନ୍ତର କରିଦେଇଥିଲେ । ଟିଉସନ ଫି’ ପାଇଁ ଏଭଳି ଘଟିଥିବା ସେମାନେ ମଧ୍ୟ ସ୍ୱିକାର କରିଛନ୍ତି ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଟିଉସନ୍ ଫି’ ମୁଖ୍ୟ କାରଣ ବୋଲି ତଦନ୍ତ ବେଳେ ଜଣାପଡିଛି । ତଦନ୍ତରୁ ଜଣାପଡିଛି ଯେ, ହତ୍ୟାକାରୀ +୨ ଛାତ୍ରଙ୍କ ଘର ନୟଗଡ ଇଟାମାଟିରେ ହୋଇଥିବା ବେଳେ ସେ ଜଟଣୀ ବାଛରାପାଟଣାରେ ରହି ପାଠପଢୁଥିଲା । ୨୦୨୨ରେ ସେ ମନୋଜ ପାଲଟାସିଂଙ୍କ ପାଖରେ ଟିଉସନ୍ ହେଉଥିଲେ । ଟିଉସନ୍ ବାବଦକୁ ଆଉ ୩ ହଜାର ଟଙ୍କା ବାକି ରହିଯାଇଥିଲା । ସେ +୨କୁ ଯିବା ପରେ ଆଉ ତାଙ୍କ ପାଖରେ ଟିଉସନ ହୋଇନଥିଲେ, ହେଲେ ସେ ତାଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ । ଏପରିକି ସେ ସେହି ସାହିରେ ଥିବା ତା’ ସାଙ୍ଗ ଘରକୁ ଆସୁଥିବାରୁ ସାର ଓ ତାଙ୍କ ପରିବାର ଲୋକେ ତାଙ୍କୁ ଟଙ୍କା ମାଗୁଥିଲେ, ଯାହା ତାଙ୍କୁ ମର୍ମାହତ କରୁଥିଲା । ଯେଉଁଥି ପାଇଁ ସେ ପ୍ରତିଶୋଧ ପରାୟଣ ହୋଇପଡିଥିଲା ।

ଘଟଣାଦିନ ଅର୍ଥାତ କାଲି ସନ୍ଧ୍ୟାରେ ହତ୍ୟାକାରୀ ତା’ ସାଙ୍ଗ ଘରକୁ ଆସିଥିଲା । ହେଲେ ସାଙ୍ଗ ଘରକୁ ନଯାଇ ମନୋଜ ସାର୍‌ଙ୍କ ଘରକୁ ଯାଇଥିଲା । ଘର ପଛ ଗେଟ୍ ଦେଇ ସେ ଭିରତକୁ ପଶିଥିଲା । ପୋଟିକରେ ଥିବା କାର ପାଖରେ ନିଜ ଟିଉସନ ବ୍ୟାଗ ରଖି ସେଥିରୁ ଏକ ଛୁରୀ ବାହାର କରି ଭିତରକୁ ପଶିଥିଲା । ଘରେ ଏକୁଟିଆ ଥିବା ପୁଅ ଶୁଭମ ସ୍ୱରୂପକୁ ଛୁରାମାଡ କରିଥିଲା । ଛୁରା ମାଡରେ ଶୁଭମର ବେକ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ସେ ଚିତ୍କାର କରିବାରୁ ଉପର ଘରେ ଥିବା ଶୁଭମର ମା’ ଓ ଭଉଣୀ ଧାଇଁ ଆସିବାରୁ ଅଭିଯୁକ୍ତ ତା’ ବ୍ୟାଗ ଛାଡି ସାଇକେଲ ଯୋଗେ ଚମ୍ପଟ ମାରିଥିଲା । ପୋଲିସ ଉକ୍ତ ବ୍ୟାଗକୁ ଆଧାର କରି ହତ୍ୟାକାରୀ ପାଖରେ ପହଞ୍ଚିଥିଲା । ପୋଲିସ ତାକୁ ହେପାଜତକୁ ନେବା ପରେ ସେ ନିଜର ଦୋଷ ସ୍ୱିକାର କରିବା ସହ ହତ୍ୟାକାଣ୍ଡର ଟିକନିଖ ତଥ୍ୟ ଦେଇଥିଲା ।

ଅନ୍ୟପକ୍ଷରେ ପୋଲିସର ଏଭଳି ବୟାନକୁ ମୃତ ଶୁଭମଙ୍କ ବାପା ନାପସନ୍ଦ କରିଛନ୍ତି । ସେ କହିଛନ୍ତି, ମୋ ପୁଅକୁ ହତ୍ୟା କରିବା ଲାଗି କେହି ସୁପାରି ଦେଇଛି । ଟିଉସନ ଫ’ ପାଇଁ ହତ୍ୟାକାଣ୍ଡ ଘଟିଥିବାକୁ ସେ ଗ୍ରହଣ କରିପାରୁନାହାନ୍ତି । ତେଣୁ ପୋଲିସ ନୁହେଁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy