ଖଣ୍ଡଗିରି ତ୍ରିପଲ ମର୍ଡର କେସ୍‌: ହତ୍ୟାକାରୀକୁ ଆଜୀବନ ଜେଲ୍‌

0 1,326

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବହୁ ଚର୍ଚ୍ଚିତ ଖଣ୍ଡଗିରି ତ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଦୌରା ଜଜ୍ ଦେବାଶିଷ ରାଉତ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାଟି ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲାର ସମସ୍ତ ସାକ୍ଷୀ ଓ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ମାମଲାର ପ୍ରକାଶ ଯେ, ୨୦୧୪ ଅକ୍ଟୋବର ୧୪ ତାରିଖ ସକାଳ ପ୍ରାୟ ୭.୩୦ ସମୟରେ ଅଭିଯୋଗକାରୀ ହୃଷୀକେଶ ମେହେର ଖଣ୍ଡଗିରି ଛକରେ ତାଙ୍କର ପୁଅକୁ ଛାଡି ଦେଇ କୋଳଥିଆ ଆଡକୁ ଯାଉଥିବା ସମୟରେ ମୃତ ଡ. ଅତୁଲ୍ୟ ଚନ୍ଦ୍ର ମେହେରଙ୍କ ଘର ସାମ୍ନାରେ ଜଣେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ “ମାରିଦେଲା” କହି କାନ୍ଦୁଥିବାର ଦେଖିଥିଲେ । ସେ ତୁରନ୍ତ ସେଠାକୁ ଯାଇଥିଲେ ଓ ମୃତ ଅତୁଲ୍ୟ ଚନ୍ଦ୍ର ମେହେର ସହ ତାଙ୍କର ଘରୋଇ ସହାୟକ ପ୍ରଶାନ୍ତ ଚନ୍ଦ୍ର ବେହେରା ଓ ତାଙ୍କର ୧୪ବର୍ଷର ପୁଅ ମିନୁ ବେହେରାଙ୍କ ରକ୍ତରେ ଜୁଡୁବୁଡୁ ଶରୀରକୁ ଘରର ଅଗଣାରେ ପଡିରହିଥିବାର ଦେଖିଥିଲେ ।

ସେହି ସମୟରେ ମୃତ ଅତୁଲ୍ୟଙ୍କ ସ୍ତ୍ରୀ ଓ ମା’ଙ୍କ ଠାରୁ ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ଅପରାଧ ଘଟାଇ ସ୍ଥାନୀୟ ସୁଲଭ ଶୌଚଳୟ ପାର୍ଶ୍ୱକୁ ଯାଉଥିବାର ଶୁଣିବା ପରେ ହୃଷୀକେଶ ତୁରନ୍ତ ସେଠାକୁ ଯାଇଥିଲେ ଏବଂ ଚିତ୍କାର କରି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଜଣକ ନିଜ ସୁରକ୍ଷାରେ ଉକ୍ତ ରକ୍ତ ଜୁଡୁବୁଡୁ ଛୁରୀ ଦେଖାଇ ବିରୋଧ କରିବାରୁ ବହୁ କଷ୍ଟରେ ସ୍ଥାନୀୟ ଲୋକ ସେମାନଙ୍କୁ କାବୁ କରିଥିଲେ । ଏହି ସମୟରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିି ଥିଲେ ଏବଂ ଅଭିଯୁକ୍ତକୁ ଥାନାକୁ ଆଣିଥିଲେ । ଏନେଇ ହୃଷୀକେଶ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା କେସ ନଂ-୪୮୩, ଭାରତୀୟ ପିଙ୍ଗଳ କୋଡ୍ ଦଫା- ୩୦୨/୩୦୭/୪୫୦ରେ ଏକ ମାମଲା ରୁଜୁ କରାଯାଇ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ତଥା ବର୍ତ୍ତମାନ ବ୍ରହ୍ମପୁର ଅତିରିକ୍ତ ଏସପି ଅସୀମ ପଣ୍ଡା ଏହାର ତଦନ୍ତ ଭାର ନେଇଥିଲେ । ଶ୍ରୀ ପଣ୍ଡା ଏହି ମାମଲାର ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୨୬ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ଦଫା ୩୦୨ ରେ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୧୦,୦୦୦/- ଟଙ୍କା ଜୋରିମାନା ଆଦେଶ ଦେଇଥିବା ବେଳେ ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୧ବର୍ଷ ଜେଲଦଣ୍ଡ ଲାଗି ଆଦେଶ ଶୁଣାଇଛନ୍ତି । ସେହିପରି ଦଫା ୩୦୭/୪୫୦ ରେ ୭ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫୦୦୦/- ଟଙ୍କା ଜୋରିମନା ଆଦେଶ ସହ ଜୋରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ମାସର ଜେଲଦଣ୍ଡ ଲାଗି ଆଦେଶ ମଧ୍ୟ ଶୁଣାଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ଘଟଣା ଦିନ ଜୀବନ ସହ ସଂଗ୍ରାମ କରୁଥିବା ରୁନୁ ବେହେରାଙ୍କୁ ପୁଲିସ ସମ ହସ୍ପିଟାଲରେ ଚିକିତ୍ସା କରାଇବାର ସମସ୍ତ ଦାଇତ୍ୱ ନେଇଥିଲେ ଓ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତ ହେବା ପରେ କମିସନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ସାରା ଜୀବନ ବଞ୍ଚିବା ପାଇଁ ଏକ ଗୃହରକ୍ଷୀ ଚାକିରିରେ ନିଯୋଜିତ କରାଯାଇଥିଲା ଓ ତାଙ୍କୁ ଖଣ୍ଡଗିରି ଥାନା ଭିତରେ ରହିବା ପାଇଁ ବାସଗୃହ ଯୋଗାଇ ଦିଆଯାଇଛି । ଘଟଣାଦିନ ତାଙ୍କର ଏକ ମାତ୍ର ୬ବର୍ଷର ପୁଅ ଲୁଚି ପଡିବା ହେତୁ ଆସାମୀ ଠାରୁ ବଞ୍ଚିି ଯାଇଥିଲେ । ସେହି ପୁଅଟି ଏବେ +୨ ରେ ପଢୁଅଛି ଓ ମାଙ୍କ ସହିତ ରହୁଅଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଚନ୍ଦ୍ରକାନ୍ତ ଦାସ (ଓଏସପିଏସ-୧) ପରିଚାଳନା କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy