ମାର୍କେଟ୍‌ ବିଲ୍ଡିଂ ଉଠାଦୋକାନୀଙ୍କ ପାଇଁ ୩ ଜାଗା ଚିହ୍ନଟ

0 253

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ-ଉଠାଦୋକାନୀ ମଧ୍ୟରେ ଲାଗିଥିବା ବିବାଦର ପୂର୍ଣ୍ଣଛେଦ ପଡ଼ିବ । ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରୁ ସ୍ଥାନାନ୍ତର କରାଯିବ । ଏନେଇ ୟୁନିଟ-୨ରେ ୩ଟି ଜାଗା ଚିହ୍ନଟ କରାଯାଇଛି । ଜିଏ ବିଭାଗ ପାଖରୁ ସବୁଜ ସଙ୍କେତ ମିଳିବା ପରେ ଥଇଥାନ କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିବାଦକୁ ନେଇ ସୋମବାର ବିଏମ୍‌ସି କାର୍ଯ୍ୟାଳୟରେ ଜରୁରୀ ବୈଠକ ବସିଥିଲା । ବୈଠକରେ ଆଇନ୍‌କୁ ତର୍ଜମା କରିବାକୁ ଲିଗାଲ ସେଲ୍‌ର ଡେପୁଟି କମିଶନରଙ୍କୁ କୁହାଯାଇଛି । ସେହିପରି ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ସେ କହିଛନ୍ତି ଯେ ଜିଏକୁ ଏନେଇ ଅବଗତ କରାଯାଇଛି । ଜାଗା ପାଇଁ ସବୁଜ ସଙ୍କେତ ମିଳିଲେ ଆମେ ଆଗକୁ ବଢିବୁ । ସେପଟେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ତେଣୁ ୨ରୁ ୩ ଦିନ ଏନେଇ ସମୟ ମାଗିଛନ୍ତି କମିଶନର ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ନର୍ସରୀ, ପାର୍କ ନିକଟରେ ଥିବା ଜାଗାକୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ଏହି ଜାଗାରେ ଉଠାଦୋକାନୀଙ୍କୁ ବସାଯିବ ।ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କିନ୍ତୁ ଜିଦ୍‌ରୁ ହଟିନି । ମାର୍କେଟ ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି, ଆମକୁ ବିଏମ୍‌ସି ଲିଖିତ ଆକାରରେ ଦେଉ । ଏହା ସହ ଉଠାଦୋକାନୀଙ୍କୁ ତୁରନ୍ତ ଉଠାନ୍ତୁ । ସେଣ୍ଟ୍ରାଲ ମାର୍କେଟ ସଂଘର ସହ ସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି, ଆସନ୍ତାକାଲି ମାର୍କେଟ ବିଲ୍ଡିଂ ସଂଘର କୋର୍‌ କମିଟି ବୈଠକ ବସିବ । ଏଥିରେ ଭୁବନେଶ୍ୱରର ସବୁ ବ୍ୟବସାୟୀ ସଂଘ ଯୋଗ ଦେବେ । ଏହା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଉଠାଦୋକାନୀ ସଂଘର ଅରୁଣ କୁମାର ରାୟ କହିଛନ୍ତି, କୋର୍ଟର ନିଷ୍ପତ୍ତି ଅନୁସାରେ ଆମେ ବସିଛୁ । ଆମକୁ ଉଚ୍ଛେଦ ଆଦୌ ଠିକ୍‌ ନୁହେଁ । ବିଏମ୍‌ସି ପ୍ରଥମେ ଆମ ପାଇଁ ସ୍ଥାୟୀ ମାର୍କେଟ ନିର୍ମାଣ କରୁ । ଘର ଦେଉ, ତା ପରେ ଆମେ ଜାଗା ଛାଡିବୁ । ଯେ ପର୍ଯ୍ୟନ୍ତ ବିଏମ୍‌ସି ଆମକୁ ଉପଯୁକ୍ତ ଥଇଥାନ ନ କରିଛି ଆମେ ଉଠିବାର ପ୍ରଶ୍ନ ନାହିଁ । ମାର୍କେଟ ବିଲ୍ଗିଂ ଖୋଲିଲେ ଆମେ ପୁଣି ବସିବୁ ।

ମାର୍କେଟ ବିଲ୍ଡିଂ ବନ୍ଦକୁ ସପ୍ତାହେ ବିତିଲା । ହେଲେ କୌଣସି ସମାଧାନ ବାହାରି ପାରିଲା ନାହିଁ । ସେପଟେ ମାର୍କେଟ ବିଲ୍ଡିଂ ବନ୍ଦ ଯୋଗୁଁ ପ୍ରାୟ ୨୦ରୁ ୨୨ କୋଟି ଟଙ୍କାର କାରବାର ଠପ୍‌ ହୋଇଛି । ହଜାର ହଜାର ଲୋକ ମାର୍କେଟ ବିଲ୍ଡିଂରୁ ଫେରୁଛନ୍ତି । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜେଜିବାରେ ଲାଗିଛି। ତେଣୁ ମାର୍କେଟ ବିଲ୍ଡିଂ ତୁରନ୍ତ ଖୋଲିିବାକୁ ସାଧାରଣରେ ଦାବି ଉଠିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy