ଦେଶବ୍ୟାପୀ ୧.୨୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0 126

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦେଶରେ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ଲଗାତାର ଭାବେ କୃଷକକଲ୍ୟାଣ ଯୋଜନାର ସଫଳ କ୍ରିୟାନ୍ୱୟନ କରୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଫସଲ ବୀମା, ପିଏମ କୃଷି ସିଂଚାଇ ଯୋଜନା, ପିଏମ କୈାଶଳ ବିକାଶ ଯୋଜନା, ସଏଲ ହେଲ୍‌ଥ କାର୍ଡ, ଇ-ନାମ୍‌, ତରଳ ୟୁରିଆ ପ୍ରଚଳନ ଆଦି ସହିତ ନିରନ୍ତର ଭାବେ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିଚାଲିଛନ୍ତି ମୋଦି ସରକାର । ଆଜି ଆଉ ଗୋଟିଏ ନୂତନ ଫର୍ଦ୍ଦ ଏଥି ସହ ଯୋଡି ନୂତନ ଇତିହାସ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

କୃଷକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶବ୍ୟାପୀ ୧.୨୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଉଦ୍‌ଘାଟନ କରିବା ସହ କିଷାନ ସମ୍ମାନ ଯୋଜନାର ୧୪ତମ କିସ୍ତି ବାବଦରେ ୮.୫ କୋଟି ଚାଷୀଙ୍କୁ ୨ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଂକ ଖାତାକୁ ପଠାଇଛନ୍ତି । ରାଜସ୍ଥାନର ଶିକରଠାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ଦେଶରେ ସମୁଦାୟ ୨.୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଖୋଲାଯିବ । ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡିଶାର ପାଖାପାଖି ୫ ହଜାର “କିଷାନ ସମୃଦ୍ଧି କେନ୍ଦ୍ର” ସାମିଲ ଅଛି । “କିଷାନ ସମୃଦ୍ଧି କେନ୍ଦ୍ର” ଦ୍ୱାରା ଫସଲର ବୃଦ୍ଧି, ଆବଶ୍ୟକ ପୋଷକ ତତ୍ୱ, ମୃତିକା ପରୀକ୍ଷଣ, ମାଟିର ସ୍ଥିତି, ସାରର ଆବଶ୍ୟକତା ଯଥା ଜୈବିକ ସାଗର ପ୍ରୟୋଗ, ନାନୋ ସାରର ପ୍ରୟୋଗ ଆଦି ସମ୍ପର୍କରେ ଯଥେଷ୍ଟ ତଥ୍ୟ ଚାଷୀଙ୍କୁ ସୁବିଧାରେ ଯୋଗାଇ ଦିଆଯିବ । ଏହା ଚାଷୀଙ୍କ ପାଇଁ ବିରାଟ ବୈପ୍ଳବିକ ପରିବର୍ତନ ଆଣିଦେବା ସହିତ ତାଙ୍କ ଆର୍ଥୀକ ସ୍ଥିତି ସୁଦୃଢ ହେବାରେ ନିଶ୍ଚିତ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅନ୍ୟ ପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ୨୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି । ଏହା ଦ୍ୱାରା ଦେଶର ସାଢ଼େ ୮କୋଟି କୃଷକଙ୍କୁ ୧୭ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ମାତ୍ର ରାଜ୍ୟରେ ବିଜେଡି ସରକାର ସଠିକ୍ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ନଦେଉଥିବା କାରଣରୁ ଲକ୍ଷ ଲକ୍ଷ ଚାଷୀ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଯୋଜନା ଅନ୍ତର୍ଗତ ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପାଇବାରୁ ବଂଚିତ ରହୁଛନ୍ତି । ଏହି ଯୋଜନାରେ ପ୍ରତି ଥର ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ବିଜେଡି ସରକାରର ଚାଷୀମାରଣ ନୀତିକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀନାରାୟଣପୁରଠାରେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ “ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ)” ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । “କିଷାନ ସମୃଦ୍ଧି କେନ୍ଦ୍ର” ଲକ୍ଷ୍ୟ ହେଲା କୃଷି ସମ୍ବନ୍ଧୀୟ ସମସ୍ତ ପ୍ରକାର ଗୁଣାତ୍ମକ ଦ୍ରବ୍ୟ ଯଥା ରାସାୟନିକ ସାର, ବିହନ, ପୋକମରା ଔଷଧ ସୁଲଭ ମୂଲ୍ୟରେ ଗୋଟିଏ ଜାଗାରେ ମିଳିବ, ମୃତିକା, ବିହନ ଓ ରାସାୟନିକ ସାରର ଗୁଣବତା ପରୀକ୍ଷଣ ପାଇଁ କେନ୍ଦ୍ରର ସୁବିଧା, ଚାଷ ପାଇଁ ଆବଶ୍ୟକୀୟ ଉପକରଣ ବିକ୍ରୟ ବା କଷ୍ଟମ ହାୟାରିଙ୍ଗ ସେଂଟରରେ ଭଡାରେ ମିଳିବ, କୃଷକମାନଙ୍କ ଭିତରେ ଉନ୍ନତମାନର କୃଷି ପାଇଁ ଜାଗରଣ ସୃଷ୍ଟି ହେବା ସହ ବ୍ଲକ, ଉପଖଣ୍ଡ, ଜିଲ୍ଲାସ୍ତରରେ ଖୁଚୁରା ଦୋକାନୀମାନଙ୍କ ଭିତରେ ଦକ୍ଷତା ବୃଦ୍ଧିକୁ ସୁନିଶ୍ଚିତ କରାଯିବ ।

ସେହିପରି ଆଜି ଶୁଭାରମ୍ଭ ହୋଇଥିବା ସଲଫର୍ କୋଟେଡ୍ ୟୁରିଆ (ୟୁରିଆ ଗୋଲ୍ଡ) ଚାଷୀଙ୍କ ଆୟକୁ ବୃଦ୍ଧି କରାଇବାରେ ସହାୟକ ହେବ । ମୋଦି ସରକାର ଚାଷୀଙ୍କ ପ୍ରତି ସୁବ୍ୟବସ୍ଥା କରୁଥିଲେ ବି ରାଜ୍ୟରେ ବିଜେଡି ସରକାର କଟନୀ ଛଟନୀରେ କରି ଚାଷୀଙ୍କୁ ହଇରାଣ କରୁଛନ୍ତି । ସେହିପରି ରାଜ୍ୟ ସରକାର ଚାଷୀଙ୍କ ପାଇଁ ୨୦୦୯ରେ ୩୩ ପ୍ରିତଶତ ଜଳସେଚନ କରିବେ ବୋଲି କହିଥିଲେ କିନ୍ତୁ କଲେ ନାହିଁ । ୨୦୧୯ରେ ୩୫ ପ୍ରତିଶତ ଜଳସେଚନର ନିର୍ବାଚନୀ ପ୍ରତିଶୃତକୁ ଭୁଲି ଗଲେ ରାଜ୍ୟ ସରକାର । ସେହିପରି ଚାଷୀଙ୍କ ସାରକୁ କଳାବଜାରୀ କଲେ ରାଜ୍ୟ ସରକାର । ମୋଦିଜୀ ୨୦୧୪ରେ ଶାସନକୁ ଆସିବା ପରେ ଚାଷୀ ସାରର ଉଚିତ ମୂଲ୍ୟ ପାଇଲେ । ଘୋଷଣା ଓ ପ୍ରତିଶ୍ରୁତି ସର୍ବସ୍ୱ ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରିବା ତ ଦୂରର କଥା ପରିକଳ୍ପନା କରିବାରେ ମଧ୍ୟ ବିଫଳ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy