ରାଜ୍ୟର ସର୍ବାଙ୍ଗିନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ବିଫଳ ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା

0 395

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଗତ ୯ବର୍ଷ ସମୟରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଟିକସର ଅଂଶଭାଗ, ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଏବଂ ସାମାଜିକ କ୍ଷେତ୍ର ଯୋଜନାରେ ଆର୍ôଥକ ସହାୟତା ପୂର୍ବବତୀ ଉପା ସରକାର ତୁଳନାରେ ପ୍ରାୟ ୯ଗୁଣ ବୃଦ୍ଧି ପାଇଥିଲେ ମଧ୍ୟ ଓଡ଼ିଶାର ଦାରିଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନାରୀ ଓ ଜନଜାତୀର ସୁରକ୍ଷା, କୃଷି, ନିଯୁକ୍ତି ଇତ୍ୟାଦି ଦିଗରେ ଦୟନୀୟ ଉପଲବ୍ôଧ ପାଇଁ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ରାଜ୍ୟ ମୁଖପାତ୍ର ସତ୍ୟବ୍ରତା ପଣ୍ଡା ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର ୬୫୪କୋଟି ଟଙ୍କାର ସହାୟତା ମିଳିଥିବାବେଳେ ପୂର୍ବବତୀ ଉପା ସରକାରର ୯ବର୍ଷ ଶାସନ କାଳରେ ତାର ପରିମାଣ ଥିଲା ମାତ୍ର ୨ଲକ୍ଷ ୬୩ହଜାର୨୪୩କୋଟି ଟଙ୍କା । ଅନୁଦାନର ଏହି ବିଶାଳ ଅଭିବୃଦ୍ଧି ସତ୍ୱେ ଆଜିବି ରାଜ୍ୟର ଗର୍ଭବତୀ ମହିଳା ଖଟିଆରେ ହସ୍ପିଟାଲ ଯାଉଛନ୍ତି । ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଓ ଜୁଲୁମୁର ଶିକାର ହୋଇ ପ୍ରାଣ ହରାଉଛନ୍ତି ।

ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି କିଭଳି ଫମ୍ଫା ଆବାଜ ତାହାର ଉଦାହରଣ ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏନସିଆରବି ରିପୋର୍ଟ ଅନୁଯାୟୀ, ଗତ ୩ବର୍ଷରେ ଓଡ଼ିଶାର ୭୦,୨୨୨ଜଣ ମହିଳା ଓ ୧୬,୬୪୯ ଝିଅ ନିଖୋଜ ହୋଇଛନ୍ତି । ରାଜ୍ୟର ୬ ରୁ ୫୯ମାସ ଶିଶୁଙ୍କ ଭିତରେ ୪୨.୩ପ୍ରତିଶତ ରକ୍ତହୀନତାର ଶିକାର । ସେହିପରି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ, ୧୦-୧୯ବର୍ଷ ଝିଅଙ୍କ ମଧ୍ୟରେ ୫୯.୭ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ମଧ୍ୟରେ ୬୨.୭ପ୍ରତିଶତ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଭିତରେ ୬୮.୬ପ୍ରତିଶତ ରକ୍ତହୀନତା ବ୍ୟାଧିରେ ଆକ୍ରାନ୍ତ । ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍ ।

ସେହିପରି ମିଶନଶକ୍ତି ଯୋଜନାରେ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭିତରୁ ପ୍ରାୟ ୯୨ପ୍ରତିଶତ କୌଣସି ଋଣ ବା ସରକାରୀ ପ୍ରୋତ୍ସାହନ ପାଇବାରୁ ବଂଚିତ ହୋଇଛନ୍ତି । ଏହି ମିଶନଶକ୍ତି ଯୋଜନା ରାଜ୍ୟର କେତେ ଜଣ ମହିଳାଙ୍କୁ ଆୟକର ଦେବା ଯୋଗ୍ୟ କରିପାରିଛି ତାହାର ହିସାବ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ଅନ୍ୟପକ୍ଷରେ ଲାଲକିଲା ପ୍ରାଚୀର ଉପରୁ ଗତ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି “୨କୋଟି ଲକ୍ଷପତି ମହିଳା” ସୃଷ୍ଟିର ଉଦ୍‌ଘୋଷଣା କରିଛନ୍ତି । ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଡିଶାରେ ଖୋଲା ଯାଇଥିବା ମୋଟ୍ ୧କୋଟି ୯୯ଲକ୍ଷରୁ ଅଧିକ ଜନଧନ ଖାତା ମଧ୍ୟରୁ କେବଳ ମହିଳାଙ୍କ ଖାତା ସଂଖ୍ୟା ୧କୋଟି ୧୨ଲକ୍ଷରୁ ଅଧିକ । ଏଥିରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଯେ କେବଳ ପ୍ରଚାରରେ ସୀମାବଦ୍ଧ ନୁହେଁ ତାହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଗ୍ରାମୀଣ ପରିବାରକୁ ସୁଦ୍ଧଜଳ ଟ୍ୟାପ ଦ୍ୱାରା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନରେ ଓଡ଼ିଶାକୁ ଗତ ୫ବର୍ଷରେ ୫,୨୮୦କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଅଥଚ୍ ୨୦୨୩ ଅଗଷ୍ଟ ସୁଦ୍ଧା ଭାରତର ୬୬.୧୩ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଦ୍ୱାରା ଜଳ ସଂଯୋଗ କରାଯାଇଥିବାବେଳେ ଓଡ଼ିଶା ପାଇଁ ଏହି ପରିସଂଖ୍ୟାନ ୬୨.୭୨ପ୍ରତିଶତ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା ଓ ବଡ ବଡ ପାଣି ଟ୍ୟାଙ୍କରକୁ ନିଜ ଦଳୀୟ ଚିହ୍ନରେ ରଙ୍ଗେଇବା ଦ୍ୱାରା ଜନସାଧାରଣଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ପହଂଚିଯାଏ ନାହିଁ ଏକଥା ରାଜ୍ୟ ସରକାର ଯେତେ ଶୀଘ୍ର ବୁଝିବେ ତାହା ରାଜ୍ୟ ପାଇଁ ସେତେ ମଙ୍ଗଳ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ପ୍ରଧାନମନ୍ତ୍ରୀ କୃଷକସମ୍ମାନ ନିଧିର ୧୪ଟି କିସ୍ତି ପ୍ରଦାନ କରା ସରିଲାଣି । ଦେଶର ୮କୋଟି ୫୦ଲକ୍ଷ ଚାଷୀ ଓ ଓଡ଼ିଶାର ୩୦ଲକ୍ଷ ୬,୭୯୨ଚାଷୀଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପଠାଇ ଦିଆଯାଇଛି । ଅଥଚ୍ ୨୦୧୯ ଡିସେମ୍ବର ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାରେ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ପାଖକୁ ବାର୍ଷିିକ ୧୦ହଜାର ଟଙ୍କା ପଠାଯାଇଛି କି? ବରଂ ୧୦,୬୬୬ଚାଷୀଙ୍କ କେୱାଇସି ଅପଡେଟ ନହୋଇଥିବା କାରଣରୁ ସେମାନେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଅର୍ଥରାଶି ପାଇପାରି ନାହାନ୍ତି । ପ୍ରଧାନମନ୍ତ୍ରୀ ୨୦୨୩ସୁଦ୍ଧା ୧୦ଲକ୍ଷ ସରକାରୀ ନିଯୁକ୍ତିର ଲକ୍ଷ୍ୟ ଧାର୍ଯ୍ୟ କଲେ ଏବଂ ଜୁଲାଇ ୨୦୨୩ ସୁଦ୍ଧା ୭ଟି ରୋଜଗାର ମେଳାରେ ୪ଲକ୍ଷ ୯୯ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀକୁ କପି କରୁଥିବା ରାଜ୍ୟ ସରକାରଙ୍କର ସରକାରୀ ନିଯୁକ୍ତିର ଲକ୍ଷ୍ୟ ଓ ସ୍ଥିତାବସ୍ଥା କ’ଣ ତାହା ସ୍ପଷ୍ଟ ନୁହଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରାଜ୍ୟ ସରକାରଙ୍କୁ ଏକ ଆଦିବାସୀ ବିରୋଧୀର ଆଖ୍ୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟ ଜନସଂଖ୍ୟାର ୨୩ପ୍ରତିଶତ ଆଦିବାସୀ ସଂପ୍ରଦାୟର । ୨୦୦୮ରୁ ଓଡ଼ିଶାରେ ଜଙ୍ଗଲଜମି ଅଧିକାର ଆଇନ ଲାଗୁ ହେଲାଣି କିନ୍ତୁ ୨୦୨୩ ସୁଦ୍ଧା ୧୫ବର୍ଷରେ ମାତ୍ର ୩ଲକ୍ଷ ପରିବାରକୁ ଜଙ୍ଗଲଜମି ପଟ୍ଟା ମିଳିଛି । ୨୦୧୨ରେ ଟ୍ରାଇବାଲ ଆଡଭାଇଜରି କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୬ ସୁଦ୍ଧା ଓଡିଶାର ସମସ୍ତ ଭୂମିହୀନ ଆଦିବାସୀଙ୍କୁ ଜମି ଅଧିକାର ଦିଆଯିବ । ଆଜି ୭ବର୍ଷ ପରେ ରାଜ୍ୟ ସରକାର ଛାତିରେ ହାତରଖି କହି ପାରିବେ କି ଓଡ଼ିଶାରେ ଜଣେ ହେଲେ ଆଦିବାସୀ ଭୂମିହୀନ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାଇବାଲ ଆଡଭାଇଜରି କାଉନସିଲ୍ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମିଳୁନାହିଁ । ୫ବର୍ଷ ପରେ ଗତ ଜୁଲାଇ ୧୨ରେ ଏହି ବୈଠକକୁ “ଆଭାସୀ” ଦ୍ୱାରା ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ ଓ ବୈଠକ ଶେଷ ନହେବା ପୂର୍ବରୁ ଚାଲିଯାଇଥିଲେ । ଏଥିରୁ ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶ ବେଶ୍ ସ୍ପଷ୍ଟ । “ପେସା” ୧୯୯୬ ଅଧିନିୟମ ଅନୁଯାୟୀ ଅନୁସୂଚିତ ଅଂଚଳରେ ନିର୍ବାଚିତ ପ୍ରତିନିଧିଙ୍କୁ ମିଳିବାକୁ ଥିବା କ୍ଷମତାକୁ ସଂକୁଚିତ କରାଯାଇଛି ।

ରାଜ୍ୟର ରେଳ ପ୍ରକଳ୍ପଗୁଡିକ ଉପା ସରକାର ସମୟରେ ବାର୍ଷିକ ହାରାହାରି ୮୩୮କୋଟି ଟଙ୍କା ମିଳୁଥିବାବେଳେ ବିଜେପି ଶାସନର ଗତ ୯ବର୍ଷ କାଳରେ ତାହା ବାର୍ଷିକ ହାରାହାରି ୧୦ହଜାର କୋଟି ଟଙ୍କାକୁ ଅତିକ୍ରମ କରିଗଲାଣି । ପ୍ରଧାନମନ୍ତ୍ରୀ ମୋଦିଜୀ କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାରେ ମାତ୍ର ୩ଟି ସରକାରୀ “ଭେଷଜ ମହାବିଦ୍ୟାଳୟ” ଥିବାବେଳେ ଗତ ୯ବର୍ଷରେ ୬୦ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଦ୍ୱାରା ଆଉ ୮ଟି ମହାବିଦ୍ୟାଳୟ କାର୍ଯ୍ୟକାରୀ କରାଯାଇଛି । ସିଟ୍ ସଂଖ୍ୟା ୫ଗୁଣା ବଢ଼ିଛି ତଥାପି କଟକ ମେଡିକାଲ କଲେଜ ହେଉ ଅବା ଅପନ୍ତରା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହେଉ କୌଣସି ଡାକ୍ତରଖାନାରେ ମଞ୍ଜୁରୀ ସଂଖ୍ୟକ ଚିକିତ୍ସକ ପଦବୀ ପୂରଣ ହୋଇପାରି ନାହିଁ ।

ମାଧ୍ୟମିକ ଶିକ୍ଷାରେ ଦେଶର ସର୍ବାଧିକ ୨୭.୩ପ୍ରତିଶତ ଓଡ଼ିଶାର ଛାତ୍ର ପାଠପଢ଼ା ଅଧାରୁ ଛାଡୁଛନ୍ତି । ବିଶ୍ୱବିଦ୍ୟାଳୟମାନଙ୍କ ‘ନାକ୍‌’ ମାନ୍ୟତା ହ୍ରାସ ପାଉଛି । “ପରପର୍‌ମାନ୍ସ ଗ୍ରେଡିଂ ଇନ୍‌ଡେକ୍ସ” ବା ପିଜିଆଇରେ ଓଡ଼ିଶାର ସ୍ଥାନ ଦୟନୀୟ ଆକାଂକ୍ଷି-୨ରେ । ସ୍କୁଲରେ ଶିକ୍ଷକ ନାହାନ୍ତି ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ମରୁଡି । ରାଜ୍ୟ ସରକାର ଆତ୍ମ ପ୍ରଚାରରେ ବିଭୋର । ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ମୋଦିଜୀ ରାଷ୍ଟ୍ରର ବିଭିନ୍ନ ସାମ୍ବିଧାନିକ ଓ ପ୍ରଶାସନିକ ପଦପଦବୀରେ ଓଡ଼ିଆଙ୍କୁ ଅବସ୍ଥାପିତ କରି ଓଡ଼ିଶାର ଅସ୍ମିତା ଓ ସମ୍ମାନକୁ ଗୁରୁତ୍ୱ ଦେଇଛନ୍ତି ।

ରାଷ୍ଟ୍ରପତିଭାବେ ଶ୍ରୀମତୀ ଦୈପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ସିଏଜି ଭାବେ ଗିରିଶଚନ୍ଦ୍ର ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଭାବେ ପିକେ ମିଶ୍ର, ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଭାବେ ଶକ୍ତିକାନ୍ତ ଦାଶ, ଇଣ୍ଡିଆ ମେଟୋରଲଜିକାଲ୍ ଡିପାଟମେଂଟର ଡାଇରେକ୍ଟର ଜେନେରାଲଭାବେ ଡ. ମୃତୁଞ୍ଜୟ ମହାପାତ୍ର ଓ ନ୍ୟାସନାଲ ନାରକୋଟିଭ ବିୁ୍ୟରୋରେ ସତ୍ୟନାରାୟଣ ପ୍ରଧାନଙ୍କ ନିର୍ବାଚନ ଓ ନିଯୁକ୍ତି ଦ୍ୱାରା ଓଡ଼ିଶାର ଗୌରବକୁ ପ୍ରଧାନମନ୍ତ୍ରୀ ମୋଦି ବହୁଗୁଣିତ କରିଛନ୍ତି । ସେ ଦୃଷ୍ଟି କୋଣରୁ ଓଡ଼ିଶାର ଅସ୍ମିତା ପ୍ରତି ଆଂଚଳିକ ଦଳ ବିଜେଡିର ପ୍ରତିବଦ୍ଧତା କେଉଁଠାରେ ବୋଲି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy