ଅନ୍‌ଫିଟ୍ ଅରୂପ : ପୋଲିସ ଠାଣି ପୁଣି ମହଙ୍ଗା ପଡିବ!

0 507

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡି ରାଜନୀତିରେ ଅରୂପ ପଟ୍ଟନାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଆଇପିଏସ୍ ଅଫିସର ଭାବେ ଅବସର ଗ୍ରହଣ କରିବା ପରେ ଅରୂପ ରାଜନୀତିକୁ ଆସିଥିଲେ । ହେଲେ ପୋଲିସିଆ ଠାଣି ଯୋଗୁଁ ସେ ୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତ୍ୟାଖିତ ହୋଇଥିଲେ । ଏବେ ଦଳ ତାଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ମାତ୍ର ତାଙ୍କର ପୋଲିସିଆ ଠାଣି ଯୋଗୁଁ ଲୋକେ ତାଙ୍କୁ ‘ଅନଫିଟ୍ ଅରୂପ’ ବୋଲି କହିବା ଆରମ୍ଭ କଲେଣି । ଯଦି ଏହି ନାରା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜାରି ରୁହେ, ତେବେ ପୁଣି ଥରେ ପୋଲିସିା ଢାଣି ଅରୂପଙ୍କୁ ମହଙ୍ଗା ପଡିବ ବୋଲି କୁହାଯାଉଛି ।

ଅରୂପ ପଟ୍ଟନାୟକ ମୁମ୍ବାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଓଡ଼ିଶା ଫେରି ବିଜେଡିରେ ଯୋଗ ଦେଇଥିଲେ । ରାଜନୀତିର ‘କ’ ଅକ୍ଷର ଜାଣିନଥିବା ଅରୂପ ବିଜେଡିରେ ମିଶିବା ପରେ ସମସ୍ତଙ୍କୁ ପୋଲିସିଆ ଠାଣି ଦେଖାଇଥିଲେ । ବ୍ରିଟଶ ଅମଳର ସାହେବ ଭଳି କର୍ମୀ ଓ ନେତାଙ୍କୁ ବ୍ୟବହାର କରିଥିଲେ । ଏହା ଜାଣିଥିଲେ ମଧ୍ୟ ବିଜେଡି ତାଙ୍କୁ ୨୦୧୯ରେ ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା । ଏହି ଆସନରୁ ୬ଟି ବିଧାନସଭା ଆସନ ବିଜେଡି ଜିତିଥିଲା, ହେଲେ ସାଂସଦ ପ୍ରାର୍ଥୀ ପରାଜିତ ହୋଇଥିଲେ । କୌଣସି ଗୋଟିଏ ବିଧାନସଭା ଆସନ ଜିତିନଥିବା ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ଏହା ପରେ ଅରୂପ ଆଉ ପ୍ରତ୍ୟେକ୍ଷ ରାଜନୀତିରେ ରହିନଥିଲେ । କେବଳ ଓଡ଼ିଶା ମୋ ପରିବାର ଆବାହକ ଭାବେ କାର୍ଯ୍ୟ ତୁଲାଇଥିଲେ । ଲୋକଙ୍କ ସହ ମିଶିନଥିଲେ କିମ୍ବା ନେତା ଓ କର୍ମୀଙ୍କୁ ନିଜର କରି ସଙ୍ଗଠନ ସଜାଡି ପାରିନଥିଲେ । ଏବେ କିନ୍ତୁ ଦଳ ତାଙ୍କ ଉପରେ ପୁଣି ଥରେ ଭରସା କରିଛି । ପୁରୀ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି । ଅରୂପଙ୍କ ଘର ପିପିଲି-ଡେଲାଙ୍ଗ ଅଞ୍ଚଳରେ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତ ଅଞ୍ଚଳ ସହ କୌଣସି ସମ୍ପର୍କ ନାହିଁ । ସେ ମଧ୍ୟ ଲୋକଙ୍କ ସହ ମିଶିବାକୁ ଚାହିଁନାହାନ୍ତି । ଯେଉଁ କେତେଜଣ ଲୋକଙ୍କ ମିଶୁଛନ୍ତି, ତାଙ୍କୁ ପୋଲିସିଆ ଠାଣିରେ ନିର୍ଦ୍ଦେଶ ଦେବା ଭଳି କଥା କହୁଛନ୍ତି । ଯାହାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପିପିଲି ଲୋକେ ତାଙ୍କୁ ରାଜନୀତି ପାଇଁ ଅରୂପ ଅନଫିଟ୍ ବୋଲି କହୁଛନ୍ତି । ଯଦି ଅରୂପ ତାଙ୍କ ଠାଣିରେ ପରିବର୍ତ୍ତନ ନଆଣନ୍ତି, ତେବେ ତାଙ୍କୁ ଏହା ମହଙ୍ଗା ପଡିବ ବୋଲି ଲୋକେ କହୁଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy