ପୂଜା ମଣ୍ଡପ ନିକଟରେ ଆମିଷ, ରାବଣ ପୋଡ଼ିରେ ବାଣ ମନା

0 325

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୁବ ଶୀଘ୍ର ଧରା ପୃଷ୍ଠରେ ପଦାର୍ପଣ କରିବେ ମା’ ଜଗତଜନନୀ । ସଜେଇ ହେଲାଣି ପୂଜା ମଣ୍ଡପ । ପୂଜା କମିଟିଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ସମସ୍ତେ ହେଲେଣି ତତ୍ପର । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏଥର ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ଶାନ୍ତି କମିଟି ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପୂଜା କମିଟିର ସଦସ୍ୟ ଓ ବିଧାୟକ, ମେୟରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ନବରାତ୍ର ଠାରୁ ଭସାଣି ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଉପରେ ଆଲୋଚନା ହୋଇଥିଲା। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଗୁଡିକ ହେଲା-

ଶାନ୍ତି କମିଟି ନିଷ୍ପତ୍ତି ଅନୁସାରେ, ପୂଜା ମଣ୍ଡପ ନିକଟରେ ଆମିଷ ବିକ୍ରି ହେବନି । ଆଖପାଖରେ ଖୋଲୁଥିବା ଫାଷ୍ଟଫୁଡ୍ ଦୋକାନ ଉପରେ କଟକଣା ବି ଲାଗିବ । ସେହିପରି ମୂର୍ତ୍ତିରେ କେମିକାଲ ରଙ୍ଗ ବ୍ୟବହାର ହେବନି । ପ୍ଳାଷ୍ଟର ପ୍ୟାରିସରେ ମୂର୍ତ୍ତି ନିର୍ମାଣ ହେବନି । ପଲିଥିନରେ ଭୋଗ ବି ମା’ଙ୍କ ପାଖରେ ପୂଜା କରାଯିବନି । ମେଲୋଡି ସମୟରେ କମ୍ ସାଉଣ୍ଡ ବ୍ୟବହାର କରିବା ସହ ମଦ ଉପରେ କଟକଣା ଜାରି କରାଯିବ ।

ସେହିପରି ରାବଣ ପୋଡ଼ିରେ ବାଣ ଫୁଟିବନି କି ଭସାଣରେ ଡିଜେ ବାଜିବନି । ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ପାଣି ରଖାଯିବା ସହ ସ୍ବେଚ୍ଛାସେବୀ ନିଯୁକ୍ତ ରହିବେ । ଏହି ସବୁ ନିୟମ କଡାକଡି ପାଳନ କରିବା ପାଇଁ ବିଏମସିକୁ ଶାନ୍ତି କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ଶାନ୍ତି କମିଟି ପକ୍ଷରୁ ଏକ ଟିମ ମଧ୍ୟ ଗଠନ କରାଯିବ ।

ପୂଜା ପୂର୍ବରୁ ରାସ୍ତା କାମ, ଆଲୋକୀକରଣ, ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy