ଭସାଣୀରେ ଟ୍ରାଫିକ ବ୍ୟବସ୍ଥା ଫେଲ୍‌, ଘଣ୍ଟାଏ ଫସିଲା ଆମ୍ବୁଲାନ୍ସ

0 341

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ ଏସିପି ଜୟନ୍ତ ଦୋରା ପର୍ଯ୍ୟନ୍ତ ଦୁର୍ଗାପୂଜା ଭସାଣୀରେ ଟ୍ରାଫିକ ବ୍ୟବସ୍ଥା ନେଇ ତର୍ଜମା କଲେ । ରୁଟ୍‌ଲାଇନ ଚୟନ କରାଯାଇ ସାଧାରଣ ଲୋକଙ୍କ ଲାଗି କଟକଣା ଜାରି କରାଗଲା । ଆଶା କରାଯାଉଥିଲା ଏଥର ଭସାଣୀ ବେଳେ ଟ୍ରାଫିକ ପରିଚାଳନା ବେଶ୍ ସୁରୁଖୁରୁରେ କରାଯିବ । ମାତ୍ର ଟ୍ରାଫିକ ପୋଲିସର ଦାୟିତ୍ୱହୀନତା ଯୋଗୁଁ ଭସାଣୀ ବେଳେ ରାସ୍ତାରେ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଫସି ରହିଲା । ଶେଷରେ ପୂଜା କମିଟି ସଦସ୍ୟ ଓ ସାଧାରଣ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସଟି ଭିଡରୁ ବାହାରିବାରେ ସଫଳ ହୋଇଥିଲା । ଭିଡରେ ଆମ୍ବୁଲାନ୍ସ ଫସିବା ଟ୍ରାଫିକ ଏସିପିଙ୍କ ପରିଚାଳନାରେ ଏକ ବଡ ତ୍ରୁଟି ଘଟିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

ସୂଚନା ଅନୁସାରେ, ଭସାଣୀ ସମୟରେ ବାଣୀବିହାରରୁ ରାଜମହଲ ରାସ୍ତାରେ କୌଣସି ଯାନବାହନ ଯିବା ଉପରେ କଟକଣା ଜାରି କରାଯାଇଥିଲା । କାରଣ ସେହି ରାସ୍ତାରେ ମେଢଗୁଡିକ ଭସାଣୀ ଲାଗି ମେଢ ଶୋଭାଯାତ୍ରାରେ ଯାଇଥାନ୍ତି । ଅପରପାଶ୍ୱର୍ ଅର୍ଥାତ ରାଜମହଲରୁ ବାଣୀବିହାର ରାସ୍ତାରେ ଯଦିଓ କଟକଣା ନଥିଲା, ତଥାପି ଭିଡ଼ ଯୋଗୁଁ ସାଧାରଣ ଲୋକେ ଯିବା ଆସିବା ପ୍ରାୟତଃ କମ୍ ରହିଥିଲା । ମାତ୍ର ଜରୁରୀକାଳିନ ଗାଡି ଲାଗି ରାସ୍ତାଟି ଫ୍ରି ରଖାଯାଇଥିଲା । ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ବାହାରିଥିଲା ।

ଆମ୍ବୁଲାନ୍ସଟି ଆଇଡିବିଆଇ ଛକ ଅତିକ୍ରମ କରିବା ପରେ ଜାମରେ ଫସି ଯାଇଥିଲା । ଆଗରେ ଏକ ମେଢ ଶୋଭାଯାତ୍ରା କରି ଭସାଣୀ ଉତ୍ସବକୁ ଯାଉଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଯାଇଥିଲା । ଚେଷ୍ଠା କଲେ ମଧ୍ୟ ଆମ୍ବୁଲାନ୍ସଟି ଶୋଭାଯାତ୍ରାକୁ ଅତିକ୍ରମ କରିପାରିନଥିଲା । ପ୍ରାୟ ଅଧଘଣ୍ଟା ଅଟକିବା ପରେ ସାଧାରଣ ଲୋକେ ଓ ପୂଜା କମିଟି ସଦସ୍ୟମାନେ ଆମ୍ବୁଲାନ୍ସକୁ ବାଟ କଢେଇବାକୁ ଆଗେଇ ଆସିଥିଲେ । ବେଶ କିଛି ସମୟ ଭିଡରେ ଫସିବା ପରେ ଆମ୍ବୁଲାନ୍ସଟି ଭିଡ଼ରୁ ବାହାରି ହସପିଟାଲ ଅଭିମୁଖେ ଯାଇଥିଲା । ତେବେ ଆମ୍ବୁଲାନ୍ସଟି ଭିଡରେ ଫସିବା ପାଇଁ ଦାୟୀ କିଏ? ଯଦି ଆମ୍ବୁଲାନ୍ସରେ ଥିବା ରୋଗୀର କିଛି ହୋଇଥାନ୍ତା, ସେଥିପାଇଁ କିଏ ଦାୟୀ ରହିଥାନ୍ତା?

ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆମ୍ବୁଲାନ୍ସ ଫସିବା ଲାଗି ଟ୍ରାଫିକ ପୋଲିସ ତଥା ଏସିପି ଟ୍ରାଫିକ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ । କାରଣ ଯେଉଁ ରାସ୍ତାରେ ଆମ୍ବୁଲାନ୍ସ ଯାଉଥିଲା, ସେ ରାସ୍ତାରେ କୌଣସି କଟକଣା ନଥିଲା । ରାସ୍ତାକୁ କ୍ଲିୟର ରଖିବା କାମ ଟ୍ରାଫିକ ଏସିପିଙ୍କର ଗୁରୁଦାୟିତ୍ୱ । ଯଦି ଆଗରେ ଶୋଭାଯାତ୍ରା ଯାଉଛି ଓ ରାସ୍ତା ଜାମ ଅଛି, ପୂର୍ବ ଛକରୁ ଟ୍ରାଫିକ ପୋଲିସ ଆମ୍ବୁଲାନ୍ସକୁ ଦିଗ ବଦଳାଇ ଯିବାକୁ ପରାମର୍ଶ ଦେଇପାରିଥାନ୍ତା । ଏଠାରେ ତାହା ମଧ୍ୟ କରାଯାନଥିଲା । ତେଣୁ ଟ୍ରାଫିକ ଏସିପିଙ୍କର ଏହା ସମ୍ପୂର୍ଣ୍ଣ ତ୍ରୁଟି ବୋଲି କୁହାଯାଇପାରେ ।

ଅନ୍ୟପକ୍ଷରେ ଆମ୍ବୁଲାନ୍ସକୁ ପ୍ରାଧାନ୍ୟ ଦେଇ ଯଦି ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକି ଯାଇପାରୁଛି, ତେବେ ଟ୍ରାଫିକ ପୋଲିସ ଏଠାରେ ଏତେ ଦାୟିତ୍ୱହୀନତା ହେଲା କେମିତି? ଅନଭିଜ୍ଞ ଟ୍ରାଫିକ ଏସିପିଙ୍କ ଏହା ପରିଚାଳନାଗତ ତ୍ରୁଟି ନୁହେଁ ତ? ଭିଡ଼ରେ ଆମ୍ବୁଲାନ୍ସ ଫସିବା ଘଟଣାକୁ ପୋଲିସ ଡିଜି, ପୋଲିସ କମିଶନର, ଡିସିପି ଓ ଗୃହବିଭାଗ ତର୍ଜମା କରିବା ସହ ଆଗକୁ ଏଭଳି ତ୍ରୁଟି ନହେବା ଦିନରେ ଧ୍ୟାନ ଦେବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy