୨୦ ବର୍ଷରେ ନ୍ୟୁଜଲ୍ୟାଣ୍ଡକୁ ହରାଇଲା ଭାରତ

0 1,268

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ରେ ଏକ ରୋମାଞ୍ଚକର ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ଦୀର୍ଘ ୨୦ ବର୍ଷ ପରେ ଆଇସିସି ଟୁର୍ନାମେଣ୍ଟରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଟିମ ଅଲଆଉଟ ହୋଇ ୨୭୩ ରନ୍ ସ୍କୋର କରିଥିଲା । ଏହି ଟାର୍ଗେଟକୁ ପିଛା କରି ଭାରତ ୬ ୱିକେଟ୍ ବିଜୟ ହାସଲ କରିନେଇଥିଲା ।

ବିଜୟ ପାଇଁ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ) ଓ ଶୁଭମନ ଗିଲ (୨୬ରନ) ଭଲ ଆରମ୍ଭ କରିଥିଲେ । କିନ୍ତୁ ମଧ୍ୟକ୍ରମରେ ବେଶ କେତୋଟି ଓ୍ବିକେଟ ହରାଇବା ପରେ ଟିମ ଇଣ୍ଡିଆ ଚାପକୁ ଆସିଯାଇଥିଲା । କିନ୍ତୁ ବିରାଟ କୋହଲି ପୁଣି ଥରେ ଟିମ ଇଣ୍ଡିଆ ପାଇଁ ସଂକଟ ମୋଚକ ସାଜିଥିଲେ । ସେ ୯୫ ରନ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶ୍ରେୟସ ଆୟର ୩୩ ରନ କରିଥିବାବେଳେ କେଏଲ ରାହୁଲ ୨୭ରନ କରିଥିଲେ । ରବୀନ୍ଦ୍ର ଜାଦେଜା (୩୫ ରନ) ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୯ ରନ ହୋଇଥିବାବେଳେ ଦଳ ଦୁଇ ଓପନର ଦେଓ୍ବନ କନଓ୍ବେ ଓ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମିଚେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ ଓ ଶେଷ ଓଭରରେ ମହମ୍ମଦ ସମିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ରବୀନ୍ଦ୍ର ୭୫ ରନ କରିଥିଲେ ।

ତେବେ ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଳ ଆଉଟ କରିବାରେ ସଫଳ ହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡର ସ୍କୋର ୩୦୦ ଟପିପାରିନଥିଲା ଓ ୨୭୩ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମୀ ୫ଟି ଓ୍ବିକେଟ ନେଇଥିଲେ । ସେହିପରି କୂଳଦୀପ ଯାଦବ ୨ଟି ଏବଂ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy