ଅଷ୍ଟ୍ରେଲିଆକୁ ହରାଇ ସିରିଜ ଜିତିଲା ଭାରତ

0 1,493

ରାୟପୁର : ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ଦେଇଛି । ଏହି ବିଜୟ ସହ ଭାରତ ପାଞ୍ଚ ଟିକିଆ ଟି-୨୦ ସିରିଜକୁ ଜିତି ନେଇଛି । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ମାଥ୍ୟୁ ଓ୍ବାଡେ ୩୬ ରନ, ଟ୍ରାଭିସ୍ ହେଡ୍ ୩୧ରନ ଓ ମାଥ୍ୟ ସର୍ଟ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଏକ୍ବାଡ୍ ଓ ଯଶସ୍ବୀ ଜୟସ୍ବାଲ ସତର୍କତାର ସହ ଇନିଂସ ଆରମ୍ଭ କରିବା ସହ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୦ ରନ କରିଥିଲେ । ଜୟସ୍ବାଲ ୩୭ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୮ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ମାତ୍ର ୧ ରନରେ ଆଉଟ ହୋଇଥିଲେ ।

ଏହି ସମୟରେ ଭାରତର ସ୍କୋର ୬୩/୩ ଥିଲା । ତେବେ ଏହା ପରେ ଆସିଥିବା ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ପ୍ରଥମେ ଗାଏକ୍ବାଡ୍ ଓ ଜିତେଶ ଶର୍ମାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଗାଏକ୍ବାଡ୍ ୩୨ରନ କରିଥିବାବେଳେ ରିଙ୍କୁ ୪୬ ରନ ଓ ଜିତେଶ ୩୫ରନ କରିଥିଲେ । ତେବେ ଶେଷବେଳକୁ ଭାରତ ଲଗାତାର ବେଶ କେତୋଟି ଓ୍ବିକେଟ ହରାଇବା ପରେ ସ୍କୋର ୧୭୪/୯ ରେ ସୀମିତ ରହିଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡ୍ବାରସୁଇସ୍ ୩ଟି ଓ୍ବିକେଟ ନେଇଥିବାବେଳେ ଜାସନ ବେହେରେନଡ୍ରଫ ଓ ତନବୀନ ସାଙ୍ଗା ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy