ଲଘୁଚାପରୁ ପ୍ରବଳ ବର୍ଷା, ଭୁବନେଶ୍ୱରରେ ଯାତାୟତ ଠପ୍‌

0 279

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉପରେ ସକ୍ରିୟ ଲଘୁଚାପ ସୋମବାର ସୁଦୃଶ ଲଘୁଚାପର ରୂପ ନେଇ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ସକ୍ରିୟ ରହିବା ସହ ଏହା ଆଗାମୀ ୧୨ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୩ ଯାଏଁ ପ୍ରବଳରୁ ଅତିପ୍ରବଳ ହେବ? ସୁଦୃଶ ଲଘୁଚାପ କାରଣରୁ ରାଜ୍ୟରେ ଗତ ୨୪ ଘଣ୍ଟାରେ ଭାରି ବର୍ଷା ରେକର୍ଡ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ୧୮୬ ମିମି ରେକର୍ଡ ହୋଇଛି । ବହୁଳ ବର୍ଷା କାରଣରୁ ସହରର ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣିପଶିଛି । ଆପାର୍ଟମେଣ୍ଟ ଅଞ୍ଚଳରେ ବେସମେଣ୍ଟରେ ପାଣି ଭର୍ତ୍ତି ହୋଇଥିବାବେଳେ ରାସ୍ତାଘାଟ ସବୁଠି ପାଣି ଜମିଛି । ଏମ୍ସ ନିକଟରେ ପାଚେରୀ ଭୁଶୁଡିବା ଫଳରେ ୩ ଜଣ ଗରୁତର ଆହତ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଗଛ ଉପୁଡି ପଡିବାରୁ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଛି । ଏହାବାଦ୍‌ ବର୍ଷାରେ ସବୁଠୁ ବେଶୀ ଅସୁବିଧାର ସମୁଖୀନ ହୋଇଛନ୍ତି ସ୍କୁଲ ପିଲା । ସ୍କୁଲ ଛୁଟି ହେବା ସମୟରେ ବର୍ଷା ଲାଗି ରହିବାରୁ ପାଣି ଜମିଥିଲା । ସେହି ପାଣି ଭିତରେ ପିଲା ଘରକୁ ଫେରୁଥିବା ନଜରକୁ ଆସିଛି । ରାଜଧାନୀର ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ନ୍ୟୁ ଫରେଷ୍ଟ ପାର୍କ, ଲକ୍ଷ୍ମୀସାଗର, ବମିଖାଲ, ଜଗନ୍ନାଥନଗର, ସତ୍ୟବିହାର ଆଦି ଅଞ୍ଚଳରେ ଏହିଚିତ୍ର ନଜରକୁ ଆସିଛି । କେତେକ ସ୍ଥାନରେ ଅଗ୍ନିଶମବାହିନୀ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ସେହିପରି ମଙ୍ଗଳବାର ଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ଓ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ସହ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଥିବାବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ମୌସୁମୀ ନିମ୍ନଚାପରେଖାର ପ୍ରଭାବ ଓଡିଶା ଉପରେ ସକ୍ରିୟ ଥିବାବେଳେ ଭଲ ବର୍ଷା ରେକର୍ଡ ହେଉଛି । ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ସ୍ଥିତି ସମାନ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, କଟକ ଓ ବାଲେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କେନ୍ଦ୍ରାପଡା, ଜଗତସିଂହପୁର, ଝାରସୁଗୁଡା, ବରଗଡ, ନୟାଗଡ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାକୁ ୟେଲୋ ୱାର୍ଣ୍ଣିଂ ରହିଛି । ବୁଧବାର ମଧ୍ୟ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ସେହିପରି ୬ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ରହିଛି । ୩ ତାରିଖରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୪ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy