କଲଭର୍ଟ ଭୁଶୁଡ଼ି ୫ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

0 180

ଭୁବନେଶ୍ୱର/ରାୟଗଡା, (ରିପୋଟର୍ସ ପେନ୍‌): ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ଫଳରେ ୫ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଛି ।

ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ କେହି ଭଙ୍ଗା କଲର୍ଭଟ ତଳେ ନଥିବା ସ୍ପଷ୍ଟ ହୋଇଛି । ଜଣାପଡିଛି ଯେ କିଛି ଦିନ ଧରି ନିର୍ମାଣ ଚାଲିଥିବା ଏହି କଲଭର୍ଟର ସେଟରିଂ ମଧ୍ୟ ଖୋଲା ଯାଇନଥିଲା । ଏପରିକି ଅଧା କାମ କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଭୁଶୁଡି ପଡିଛି କଲର୍ଭଟ ତାର ଅନୁଧ୍ୟାନ ଚାଲିଛି ।

ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକମାନେ ହେଲେ ୩୨ ବର୍ଷୀୟ ଲାଛିନ୍ଦ୍ରନ ମିଣିଆକା, ପୁଅ ପିନିୟନ୍ସ ମିଣିଆକା, ୭ ବର୍ଷୀୟ ମନୋଜ କୁଲିସିରା, ୫ ବର୍ଷୀୟ ଚୁମାନ ମିଣିଆକା ଓ ୯ ବର୍ଷର ତାରା ମିଣିଆକା । ଘଟଣାସ୍ଥଳରେ ତହସିଲଦାର, ଏସପି ପହଞ୍ଚିଛନ୍ତି ।

ସେହିପରି ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy