ଓମଫେଡ଼ କ୍ଷୀର ପ୍ୟାକେଟରେ ଭୋଟର ସଚେତନତା 

0 125

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତା ମେ ମାସ ୨୫ ତାରିଖରେ ରାଜଧାନୀ ଭୁବନେଶ୍ବରରେ ହେବ ମତଦାନ । ତେଣୁ ଭୁବନେଶ୍ବରରେ କ୍ରମାଗତ ହ୍ରାସ ପାଉଥିବା ଭୋଟ ହାର ବଢାଇବା ପାଇଁ ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତଦାନ ସଚେତନତା ବାର୍ତ୍ତାଯୁକ୍ତ ଓମଫେଡ଼ କ୍ଷୀର ପ୍ୟାକେଟର ଉନ୍ମୋଚନ କରିଛନ୍ତି । ଏହି ଓମଫେଡ଼ କ୍ଷୀର ପ୍ୟାକେଟ୍‌ରେ ଭୋଟର ସଚେତନତା ପାଇଁ ‘ମେ ୨୫, ୨୦୨୪ରେ ମତଦାନ ପାଇଁ ଭୁଲନ୍ତୁ ନାହିଁ ‘ ବୋଲି ମୁଦ୍ରିତ କରାଯାଇଛି । ଖୋର୍ଦ୍ଧାର ସମସ୍ତ ଓମଫେଡ଼ ବୁଥରେ ଏହି ସଚେତନତା ବାର୍ତ୍ତାଯୁକ୍ତ କ୍ଷୀର ପ୍ୟାକେଟ ବିକ୍ରି ହେବ । ଏହା ଦ୍ବାରା ସମଗ୍ର ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ହୋଇପାରିବ ।

ଓମଫେଡ଼ର ଏମଡ଼ି ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଗଣତନ୍ତ୍ରର ଏହି ମହାପର୍ବରେ ଭୋଟର ସଚେତନତା ସୃଷ୍ଟି ପାଇଁ ଓମଫେଡ଼କୁ ଏକ ସହଭାଗୀ ରୂପେ ସୁଯୋଗ ଦେଇଥିବାରୁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓମଫେଡ଼ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କରି ଜନସାଧାରଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ଆସୁଛି । ଏବେ କ୍ଷୀର ପ୍ୟାକେଟ ମାଧ୍ୟମରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ମତଦାନ ସଂକ୍ରାନ୍ତୀୟ ସଚେତନତା ବାର୍ତ୍ତା ସୃଷ୍ଟି କରିବ । ଦେଶର ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ପରିପୁଷ୍ଟ କରିବାର ସୁଯୋଗ ଓମଫେଡ଼ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, କ୍ଷୀର ପ୍ୟାକେଟ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ପାଇଁ ଓମଫେଡ଼କୁ ସାଧୁବାଦ । ବିଗତ ନିର୍ବାଚନରେ ଜାତୀୟ ମତଦାନ ହାରଠୁ ଓଡ଼ିଶାର ମତଦାନ ହାର ଅଧିକ ରହିଥିଲା । ମାତ୍ର ଭୁବନେଶ୍ବର ଅନ୍ତର୍ଗତ ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ରାଜ୍ୟ ମତଦାନ ହାରଠୁ କମ ରହିବା ସହିତ ୫୦ ପ୍ରତିଶତରୁ କମ ରହିଥିଲା । ଏହାକୁ ପ୍ରତିହତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ‘ମୁଁ ବି ମିତା’ କ୍ୟାମ୍ପେନ ଆରମ୍ଭ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶତପ୍ରତିଶତ ଯୁବ ଭୋଟରଙ୍କୁ ମତଦାତା ତାଲିକାରେ ସାମିଲ କରିବା ପାଇଁ ପାର୍କ, ମଲ ଆଦି ସମସ୍ତ ସ୍ଥାନରେ ଭୋଟର ସଚେତନତା ସୃଷ୍ଟି କରାଯାଇଛି । ଯେଉଁଠି ମହିଳା ମତଦାନ ହାର କମ ରହିଛି, ସେହି ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ବୁଥସ୍ତରୀୟ ଅଧିକାରୀମାନଙ୍କ ସଫଳ ଉଦ୍ୟମ ଦ୍ବାରା ସବୁ ବର୍ଗ ଓ ଅଞ୍ଚଳର ନାଗରିକମାନଙ୍କୁ ମତଦାତା ତାଲିକାରେ ସାମିଲ କରାଯାଇଛି ।

ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବିଏମସି ମଧ୍ୟ ୱାକାଥନ, ମିନି ମାରାଥନ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ସଚେତନତା ସୃଷ୍ଟି କରୁଛନ୍ତି । ଏଣୁ ଏକ ସାମୂହିକ ସହଭାଗିତା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବରରେ ମତଦାନ ହାର ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ମତଦାନ କେନ୍ଦ୍ରକୁ ଆସି ମତଦାନ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସେ ମତଦାତାଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓମଫେଡ଼ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy