ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା

0 186

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ପଶ୍ଚିମ- କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୋମବାର ସଂଧ୍ଯାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଅବପାତର (Deep Depression) ରୂପ ନେଇପାରେ । ପରେ ଏହା ଧୀରେ ଧୀରେ ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର- ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ମଧ୍ଯ ଦେଇ ଗତି କରିବା ନେଇ ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ଲଘୁଚାପ ଓ ମୌସୁମୀ ପ୍ରବାହ ହେତୁ ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳ ତଥା ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ମଧ୍ଯ ବୋହିପାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ବର୍ଷା ବେଳେ ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବା, ତୀବ୍ର ବୃଷ୍ଟିପାତ ସମୟରେ ରାସ୍ତାରେ ଦୃଶ୍ୟମାନ ଦୂରତା କମିବା, ଯାତାୟାତ ବାଧାପ୍ରାପ୍ତ ହେବା, ସହରାଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବା  ନେଇ ଆଶଙ୍କା ରହିଛି। ଏନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ରାୟଗଡା, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ପୁରୀ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ବୁଧବାର ଦିନ ପାଇଁ ନବରଙ୍ଗପୁର, କଳାହାଣ୍ତି, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ଏହି ସମୟ ମଧ୍ଯରେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy