ରାଜ୍ୟରେ ଜାରି ରହିବ ପ୍ରବଳ ବର୍ଷା, ସତର୍କ ନିର୍ଦ୍ଦେଶ

0 223

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଆସନ୍ତା ୧୯ ତାରିଖ ଯାଏ ଏହିଭଳି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ପରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ ଏବେ ପୁଣି ଥରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଓ ପ୍ରଭାବ ବଢ଼ିବ। ଏଣୁ ତୀବ୍ର ବୃଷ୍ଟିପାତଜନିତ ବିଭିନ୍ନ ସମସ୍ୟା ସହ ଲଢ଼ିବାକୁ ସତର୍କ ରହିବା ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ, ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ରାଜସ୍ବ ବିଭାଗୀୟ ଆୟୁକ୍ତ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ, ମହାନିରୀକ୍ଷକ, ଅଗ୍ନିଶମ ବିଭାଗ, ଏନ୍‌ଡିଆର୍‌ଏଫ୍, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ଏନେଇ ସତର୍କ ରହିବାକୁ ତଥା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଓ ଓଡ଼ିଶା-ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପରବର୍ତୀ ୨ରୁ ୩ ଦିନ ମଧ୍ୟରେ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶାକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଏଥିସହ ସକ୍ରିୟ ମୌସୁମୀ ଓ ୧୮ ତାରିଖର ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲଗାତାର ବର୍ଷା ହେବାର ସମ୍ଭାବନା ରହୁଛି।

ଏଣୁ ସମ୍ଭାବ୍ୟ ଅଚାନକ ବନ୍ୟା/ଜଳବନ୍ଦୀ ସମସ୍ୟା ଯୋଗୁଁ ବିପଦସଙ୍କୁଳ ସ୍ଥାନମାନଙ୍କରେ କ୍ଷେତ୍ରୀୟ ଅଧିକାରୀମାନେ ଆଗୁଆ ପ୍ରସ୍ତୁତ ରହି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ଓ ସେମାନେ ସେମାନଙ୍କର ମୁଖ୍ୟାଳୟରେ ଅବସ୍ଥାନ କରିବେ। କେ‌ତେକ ପୌରାଞ୍ଚଳରେ ତଳିଆ ସ୍ଥାନରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିପାରେ। ଡ୍ରେନ୍‌ ଓ ରାସ୍ତା ବର୍ଷା ପାଣି ଦ୍ବାରା ଜଳମଗ୍ନ ହୋଇପାରେ। ଏଭଳି ପରିସ୍ଥିତିରେ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ସାମୟିକ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ। ପୌରାଞ୍ଚଳରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ନାଳମାନଙ୍କରେ ଜଳ ନିଷ୍କାସନ ସମସ୍ୟା ଦେଖାଯାଇପାରେ।

କିନ୍ତୁ ସେଠାରେ ଆବଶ୍ୟକୀୟ ସଂଖ୍ୟକ ପାଣିପମ୍ପ ଦ୍ବାରା ଜଳ ନି‌ଷ୍କାସନ କରାଯିବା ଆବଶ୍ୟକ। ପାଣିରେ ବୁଡ଼ି ଯାଇଥିବା ରାସ୍ତାରେ ଯାନବାହନର ଯିବା ଆସିବା ଓ ନିୟନ୍ତ୍ରଣ କରାଯାଇପାରେ। ବିଜୁଳି, ଘଡ଼ଘଡ଼ି ହେଉଥିବା ସମୟରେ ନିରାପଦ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପ୍ରବଳ ବୃଷ୍ଟିପାତର ବିବରଣୀକୁ ସଙ୍ଗେସଙ୍ଗେ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ବିଜୁଳି, ଘଡ଼ଘଡ଼ି, ଘୂର୍ଣ୍ଣିଝଡ଼, କୁଆପଥର ବୃଷ୍ଟି ଓ ପ୍ରବଳ ବୃଷ୍ଟିପାତ ଦ୍ବାରା ହୋଇଥିବା କ୍ଷୟକ୍ଷତିର ସମସ୍ତ ତଥ୍ୟ ସ୍ବତନ୍ତ୍ର ସାହାଯ୍ୟ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ପରାମର୍ଶ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy