ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ

0 380

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ନରସିଂହପୁର ଓ ଆଠଗଡରେ ନିର୍ମାଣାଧୀନ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉପଯୁକ୍ତ ତଦାରଖ ସହିତ ପ୍ରକଳ୍ପ ଗୁଡିକର ଉଚ୍ଚମାନ ବଜାୟ ରଖିବା ଓ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟାଗୁଡିକ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA (Supervisory Control And Data Acquisition ) କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ବିଦ୍ୟୁତ ବିଲ୍ ଆଦାୟଜନିତ ସମସ୍ୟାର ସମାଧାନ ପାଇଁ ଏକ ଫଳପ୍ରଦ ପଦ୍ଧତି ବିକାଶ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy