ସରକାରଙ୍କୁ ଧମକାଉଛି ଘରୋଇ ବସ୍ ସଂଘ!

0 650

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଘରୋଇ ବସ୍ ମାଲିକ ସଂଘର ଡାକରାରେ ଆଜିଠାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ଠପ୍ ହୋଇପଡିଛି । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏଭଳି ଡାକରା ଦେଇଛନ୍ତି । ଘରୋଇ ବସ୍ ମାଲିକ ସଂଘ ପୂଜା ସମୟରେ ଗାଡି ଠପ୍ କରି ସରକାରୀ ଯୋଜନାକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଧମକ ଦେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ ସରକାର ଲୋକଙ୍କ ସୁବିଧା ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବସ୍ ଚଳାଚଳ ଆରମ୍ଭ କରିଛନ୍ତି । ସରକାରଙ୍କ ଏଭଳି ବ୍ୟବସ୍ଥାକୁ ତୃଣମୂଳସ୍ତରରୁ ସ୍ୱାଗତ କରାଯାଉଛି । ଲୋକେ ପଞ୍ଚାୟତରୁ ବ୍ଲକ ଓ ଜିଲ୍ଲାକୁ ଯିବା ଆସିବାରେ ବହୁତ ସହାୟକ ହେଉଛି । ପୂର୍ବରୁ ପଞ୍ଚାୟତର ସଦରମହକୁମାକୁ ଆସିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା । ଏବେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଲୋକେ ନିଦ୍ଧାରିତ ସମୟରେ ଯିବା ଆସିବା କରିପାରୁଛନ୍ତି ।

ହେଲେ ଘରୋଇ ବସ୍ ମାଲିକ ସଂଘ ନିଜର ବେପାର ଲାଳସାରେ ସରକାରୀ ଯୋଜନାକୁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି । ପୂଜା ସମୟରେ ହଠାତ ବସ୍ ବନ୍ଦ କରି ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହା ଏକ ପ୍ରକାର ଧମକ ବୋଲି ମଧ୍ୟ କୁହାଯାଇପାରେ । ଘରୋଇ ବସ୍ ମାଲିକ ସଂଘ ଥରକୁ ଥର ଏଭଳି ଧର୍ମଘଟ କରି ନିଜର ଦାବିକୁ ହାସଲ କରୁଥିବାରୁ ସେମାନଙ୍କ ପାଇଁ ଏହା ଏକ ଅସ୍ତ୍ର ପାଲଟିଯାଇଛି ।

ସରକାର ମଧ୍ୟ ତାଙ୍କ ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାର ଲକ୍ଷ୍ମୀ ଯୋଜନାରେ ସମସ୍ତ ଜିଲ୍ଲା ଓ ସଦରମହକୁମାରୁ ବସ ଚଳାଚଳ କରି ସେମାନଙ୍କୁ ମୁହଁତୋଡ ଜବାବ ଦେବାକୁ ସାଧାରଣରେ ଦାବି ହେଉଛି । ବିଗତ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବାହାର ରାଜ୍ୟରୁ ବସ୍ ଆଣି ଚଳାଇ ଘରୋଇ ବସ୍ ମାଲିକ ସଂଘକୁ ମୁହଁତୋଡ ଜବାବ ଦେଇଥିଲେ । ଏହାପରେ ସେମାନଙ୍କ ଥରକୁ ଥର ଧର୍ମଘଟ ଅସ୍ତ୍ର ଫେଲ୍ ମାରିଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଭଳି କିଛି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy