ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା

0 595

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଏକ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କ ଖଣ୍ଡା ଚୋଟରେ କକ୍‌ଟେଲ ବଏ ଅଞ୍ଜନ ବେହେରାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତ ଦେହ ଜବତ କରିବା ସହ ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଚମ୍ପା ପୋଖରୀ ଅଞ୍ଚଳରେ ଘଟିଛି ।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ନିକଟରେ ରହୁଥିବା ଗୌତମ ଓ ଅଞ୍ଜନ କକଟେଲ ବଏ ଭାବେ କାମ କରନ୍ତି । ସେହି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ଗୌତମ ଭଲ ପାଉଥିଲେ । ସେହି ଯୁବତୀଙ୍କୁ ୟୁନିଟ-୫ ଅଞ୍ଚଳର ପିଙ୍କୁ ମଧ୍ୟ ପ୍ରେମ କରୁଥିଲା । ଏହି ତ୍ରିକୋଣୀୟ ପ୍ରେମକୁ ନେଇ ପିଙ୍କୁ ଓ ଗୌତମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା ।

ଗତକାଲି ରାତିରେ ପିଙ୍କୁ ତାର ୩/୪ଜଣ ସହଯୋଗୀଙ୍କ ସହ ପ୍ରେମିକାକୁ ଦେଖା କରିବାକୁ ଆସିଥିଲା । ରାତି ପ୍ରାୟ ସାଢେ ଗୋଟାଏ ବେଳେ ସେମାନେ ପିଙ୍କୁ ଓ ସଂପୃକ୍ତ ଯୁବତୀ ଚମ୍ପା ପୋଖରୀ ପାଖରେ କଥା ହେଉଥିଲେ । ଏହି ସମୟରେ ଗୌତମ ଓ ଅଞ୍ଜନ ଜଟଣୀରୁ ଏକ ବାହାଘର ଭୋଜି ସାରି ଘରକୁ ଫେରୁଥିଲେ । ତାଙ୍କ ଘର ପାଖରେ ପିଙ୍କୁ ଓ ଅନ୍ୟମାନଙ୍କୁ ଦେଖି କାହିଁକି ଏଠାରେ ଠିଆ ହୋଇଛ ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପିଙ୍କୁ ଏକ ଖଣ୍ଡାରେ ସେମାନଙ୍କୁ ଗୋଡାଇ ହାଣିଥିଲା ।

ଖଣ୍ଡା ଚୋଟରୁ ଗୌତମ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଞ୍ଜନ ଶରୀରରେ ଗଭୀର ଆଘାତ ଲାଗିଥିଲା । ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଚିତ୍କାର କରିବାରୁ ଆଖପାଖ ଲୋକେ ଉଠି ଆସିଥିଲେ । ଫଳରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଲୋକେ ଅଞ୍ଜନକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାରୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିବା ଲକ୍ଷ୍ମୀସାଗର ଥାନା ଅଧିକାରୀ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy