ବନ୍ଧା ହେଲେ ସିନେ-ପ୍ରଯୋଜକ ଟୁଟୁ ନାୟକ ଗିରଫ

0 1,657

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶେଷରେ ବନ୍ଧା ହେଲେ ସିନେ ପ୍ରଯୋଜକ ଟୁଟୁ ଓରଫ ସଞ୍ଜୟ ନାୟକ । ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ଦିନ ମାଡ଼ ମାରିବା ମାମଲାରେ ଶନିବାର କମିସନରେଟ୍ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୋଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ୱର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ଆସିବା ପରେ ପୋଲିସ ଟୁଟୁ ନାୟକଙ୍କ ବିରୋଧରେ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା ।

ଅଭିଯୋଗରେ ଦର୍ଶାଯାଇଛି ଯେ, ଅପରାହ୍ଣଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ୱସ୍ତି ସିନେମା ହଲ୍‌କୁ ଯାଇଥିଲେ । ସେମାନେ ଗେଟ୍ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍‌ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ । ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡା ମାରିଥିଲେ । ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍ ଓ ମୋବାଇଲ ଖସି ତଳେ ପଡିଥିଲା । କାହିଁକି ଚାପୁଡା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡା ମାରିଥିଲେ । ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡିଥିଲେ । ବୁମ୍ ଓ ମୋବାଇଲ୍ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ । ଖାରବେଳନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିସନ ହସ୍ତକ୍ଷେପ କରିଛନ୍ତି । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସ କମିସନରଙ୍କୁ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି । ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ । ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy