ପୁଣି ଅଶାନ୍ତ ପଟିଆ: ସୁଧ ଟଙ୍କା ପାଇଁ ଘରେ ପଶି ହାଣିଲେ

0 294

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୪ମାସ ପରେ ପୁଣି ଥରେ ରାଜଧାନୀର ପଟିଆ ଅଞ୍ଚଳର ଅଶାନ୍ତ ହୋଇଛି । ସୁଧ ଟଙ୍କାକୁ ନେଇ ଗୋଟିଏ ଗୋଷ୍ଠୀ ରାତିରେ ଘରେ ପଶି ଶ୍ୱଶୁର, ବୋହୂଙ୍କୁ ହାଣିଲେ । ଘଟଣାଟି ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ ଘଟିଥିବା ବେଳେ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମହାଜନ କାରବାର କରୁଥିବା ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପଞ୍ଚିିଥିଲେ । ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ । ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ । ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚିି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ କରି ପଳାଇଥିଲେ ।

ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଗାଁରେ ଅଶାନ୍ତି ଲାଗି ରହିଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଉଲ୍ଲେଖଥାଉ କି, ୪ମାସ ତଳେ ସୁଧ ଟଙ୍କାକୁ ନେଇ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ଗାଁରେ ପୁଲିସ ଉପସ୍ଥିତିରେ ଶାନ୍ତି କମିଟି ବସି ସମାଧାନ ହୋଇଥିଲା । କୋର କମିଟି ଗଠନ ନ ହେବା ଯାଏ ସୁଧ ଟଙ୍କା ମାଗିବେନି ଗୋଷ୍ଠୀର ଲୋକଙ୍କୁ କୁହାଯାଇଥିଲା ସୂଚନା ରହିଛି । ଏହାସ୍ୱତ୍ୱେ ଗତକାଲି ରାତିରେ ଏହି ସୁଧ ଟଙ୍କା ପାଇଁ ପଦ୍ମକେଶରପୁର ହଣାକଟା ଘଟିବା ଚିନ୍ତାର ବିଷୟ ପାଲଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy