ଲୁଟେରା ଗିରଫ ପୂର୍ବରୁ ଟଙ୍କା ଫେରସ୍ତ ହେଲା କିପରି?

0 1,204

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବଜାର ନିକଟରୁ ଗତ ୨ ତାରିଖ ରାତିରେ ଟଙ୍କା ଲୁଟ୍ ହୋଇଥିଲ । ଅଭିଯୋଗକାରୀ ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଟଙ୍କା ଲୁଟି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ବିଜୟ ନାରାୟଣ ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦାୟର କରିଥିଲେ । ହେଲେ ପରଦିନ ଥାନାର ଜଣେ ସବ୍‌-ଇନ୍ସପେକ୍ଟର ତାଙ୍କୁ ୫୩ ହଜାର ଟଙ୍କା ଫେରସ୍ତ କରିଥିଲେ । ଏହି ଘଟଣାର ପ୍ରାୟ ୧୫ଦିନ ପରେ ପୋଲିସ ଲୁଟେରାକୁ ଗିରଫ କରିଥିବା ଦର୍ଶାଇଛି । ଯଦି ଲୁଟେରା ଏବେ ଧରାପଡିଲା, ତେବେ ଅଭିଯୋଗକାରୀଙ୍କୁ ଫେରସ୍ତ ହୋଇଥିବା ଟଙ୍କା ଆସିଲା କେଉଁଠୁ? କିଏ ଦେଲା ଏତେ ଟଙ୍କା? ପୋଲିସ ନିଜ ପକେଟରୁ ଦେଲା ନା ଲୁଟେରା ସହ କିଛି ବୁଝାମଣା ରହିଛି?

ସୂଚନା ଅନୁସାରେ, ବୁଦ୍ଧନଗର ଅନ୍ତର୍ଗତ ପ୍ଳଟ ନମ୍ବର-୪୩ରେ ରହୁଥିବା ବିଜୟ ନାରାୟଣ ମହାନ୍ତି ଗତ ୨ ତାରିଖ ଦିନ ଷ୍ଟେସନରୁ ଘରକୁ ଫେରୁଥିଲେ । ରାତି ହୋଇଥିବାରୁ ଅଭିଯୁକ୍ତ ରବି ହରିଚନ୍ଦନ ଓ ତାର ଜଣେ ସହଯୋଗୀ ତାଙ୍କୁ ରାସ୍ତାରେ ଅଟକାଇ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଛଡାଇ ନେଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଘଟଣା ପ୍ରଘଟ ନକରିବାକୁ ପରାମର୍ଶ ଦେଇ ଜଣେ ସବ-ଇନ୍ସପେକ୍ଟର ତାଙ୍କୁ ତୁରନ୍ତ ୫୩ ହଜାର ଟଙ୍କା ଫେରସ୍ତ କରିଥିଲେ । ହେଲେ ଲୁଟେରା ଧରାପଡିନଥିଲା ।

ଆଜି ଅର୍ଥାତ ୧୭ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ରବିକୁ ପୋଲିସ ଗିରଫ କରିଥିବା ଦର୍ଶାଇଛି । ତା ପାଖରୁ ମୋଟ ୫୩,୫୦୦ ଟଙ୍କା ଜବତ କରିଥିବା ବେଳେ ବାକି ଟଙ୍କା ସବୁକୁ ଉଭୟ ମିଶି ଖର୍ଚ୍ଚ କରିଦେଇଥିବା ପୋଲିସ କହିଛି । ତେବେ ଯଦି ଆଜି ଟଙ୍କା ଜବତ ହେଲା, ତେବେ ସେଦିନ ଫେରସ୍ତ ହୋଇଥିବା ଟଙ୍କା କେଉଁଠୁ ଆସିଲା? ଖାଲି ଏହି ଗୋଟିଏ ଘଟଣା ନୁହେଁ ନୂଆପଲ୍ଲୀ ଥାନା ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଡିଜିଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଚୋର ଗିରଫ ପୂର୍ବରୁ ଜିନିଷ ଫେରସ୍ତ କରାଯାଇଥିଲା । ତେବେ ପୋଲିସର ଏଭଳି ନୂଆଫଣ୍ଡାକୁ ନେଇ ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy