ରାଜଧାନୀରେ ଲୁଟେରା ଆତଙ୍କ: ଲୁଟ୍ ପରେ ଯୁବକଙ୍କୁ ହତ୍ୟା

0 2,232

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ଏବେ ଲୁଟେରାଙ୍କ ରାଜ ଚାଲିଛି । କେଉଁଠି ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ସର୍ବସ୍ୱ ଲୁଟି ନେଉଛନ୍ତି ତ କେଉଁଠି ଲୁଟ୍ ପାଇଁ ହତ୍ୟାକାଣ୍ଡ ଘଟାଉଛନ୍ତି । ଲୁଟେରାଙ୍କ ଏଭଳି ଆତଙ୍କ ଜାରି ରହିଥିବା ବେଳେ ସହରବାସୀ ଅପରିପକ୍ୱ ପୁଲିସ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ଗତକିଛିର ଘଟଣାକୁ ଅନୁଧ୍ୟାନରେ ଲୁଟେରାମାନେ ଏକେ ରକ୍ତମୁଖା ହୋଇଉଠିଥିବା ସ୍ପଷ୍ଟ ଜଣାପଡୁଛି । ଏହି କ୍ରମରେ ଗତ ୧୨ ତାରିଖରେ ବଡଗଡ ଥାନା ଅଞ୍ଚଳରେ ଲୁଟ ପାଇଁ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗୌତମନଗର ବସ୍ତିର ନରସିଂହ ରାଓ ଓରଫ ନାରୋ ଓ କେ. ଦଶୁ ରାଓ ଓରଫ ଦଶୁ । ପୁଲିସ ଏମାନଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୁଲିସ ସୂଚନା ଅନୁସାରେ, ଗତ ତା.୧୨.୦୯.୨୦୨୩ ରିଖ ଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗର ବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବା ନେଇ ସୂଚନା ମିଳିବା ପରେ ବଡଗଡ ଥାନା ତରଫରୁ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡଗଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସମୟରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିଥିଲା ଏବଂ ସେ ପଶ୍ଚିମ ବଙ୍ଗର ବାସିନ୍ଦା ହୋଇଥିବା ବେଳେ ବନ୍ଧୁ ଓ ପରିଜନ ସହିତ ସେ ଧଉଳି ଥାନା ଅନ୍ତର୍ଗତ ଉତ୍ତରା ନିକଟରେ ରହି କନଷ୍ଟ୍ରକ୍ସନ କାର୍ଯ୍ୟ କରୁଥିଲେ ।

ଘଟଣା ଦିନ ମୃତବ୍ୟକ୍ତି ଜଣକ ନିଜ ପୈତୃକ ଘରକୁ ଯିବାକୁ ଥିବାରୁ ତାଙ୍କ ସମ୍ପର୍କୀୟ ଭାଇ ମହମ୍ମଦ ରହିମ ତାଙ୍କୁ ଆଣି କଳ୍ପନା ବସ ଷ୍ଟାଣ୍ଡରେ ଛାଡିଥିଲେ । ସେଠାରେ ମୃତବ୍ୟକ୍ତି ଜଣକ ନିଜ ଜୋତାର ମରାମତି କରିବା ନିମନ୍ତେ ନିକଟସ୍ଥ ମୋଚି ଦୋକାନକୁ ଯାଇଥିଲେ । ସେଠାରେ ନିଜ ଜୋତା ମରାମତି କରି ଦୋକାନୀଙ୍କୁ ଟଙ୍କା ଦେବା ସମୟରେ ଦୁଇ ଅଭିଯୁକ୍ତ ହଠାତ ଯାଇ ତାଙ୍କ ପାଖରେ ପହଞ୍ଚିବା ସହିତ ତାଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଛଡାଇ ନେଇଯାଇଥିଲେ । ମୃତ ବ୍ୟକ୍ତି ଜଣକ ଉଭୟଙ୍କୁ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ପ୍ରବଳ ମାଡ ମାରିବା ସହିତ ନିକଟସ୍ଥ ଦୋକାନରୁ ଏକ ସ୍କୃ ଡ୍ରାଇଭର ଆଣି ତା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଯାହା ଫଳରେ ସେ ଅଚେତ ହୋଇଯାଇଥିଲେ । ଦୋକାନୀମାନେ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କୁ ଟାଣିଟାଣି ନେଇ ରେଲୱେ କଳ୍ପନା ଓଭରବ୍ରିଜ ନିକଟରେ ପକାଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ତାଙ୍କର ମତ୍ୟୁ ହୋଇଯାଇଥିଲା ।

ବଡଗଡ ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ସିସିଟିଭି ଯାଞ୍ଚ କରି ଚଢଉ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ । ତଦନ୍ତ ସମୟରେ ସେମାନେ ନିଜେ ପୁଲିସ ଟିମକୁ ବାଟକଢାଇ ନେଇ ହତ୍ୟାରେ ବ୍ୟବହୃତ ସ୍କୃ-ଡ୍ରାଇଭରକୁ ହସ୍ତାନ୍ତର କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy