ନାବାଳିକା ମୃତ ଦେହ ମିଳିବା ଘଟଣା: ମାମୁଁ ହିଁ ହତ୍ୟାକାରୀ, ଦୁଇ ଗିରଫ

0 173

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରର ଏକ ପରିତ୍ୟକ୍ତ ସ୍ଥାନରୁ ଗତ ୧୧ ତାରିଖରେ ଜଣେ ନାବାଳିକାଙ୍କ ଗଳିତ ମୃତ ଦେହକୁ ପୋଲିସ ଉଦ୍ଧାର କରିଥିଲା । ଏହି ମାମଲାକୁ ଗମ୍ଭୀରତା ସହ ନେଇ ଇନଫୋସିଟି ଥାନା ପୋଲିସ ନାବାଳିକାଙ୍କ ପରିଚୟ ଖୋଜି ବାହାର କରିବାରେ ସଫଳ ହୋଇଥିଲା । ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ କାଠଫାଳିଆରେ ବାଡେଇ ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଗୁରୁବାର ହତ୍ୟାକାରୀକୁ ଚିହ୍ନଟ କରାଯାଇଛି । ନାବାଳିକାଙ୍କୁ ତାଙ୍କ ନିଜ ମାମୁଁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଫଳରେ ଗୁରୁବାର ଏହି ମାମଲାରେ ପୋଲିସ ଅଭିଯୁକ୍ତ ମାମୁଁ ନଣ୍ଡା ଓରଫ ସୁଖାଲାଲ ସଏ (୨୯)ଙ୍କ ସହ ହତ୍ୟାକାଣ୍ଡ ପରେ ଶବ ଫୋଫାଡିବାକୁ ସହଯୋଗ କରିଥିବା ନରେନ୍ଦ୍ର ସିଂ (୩୫)କୁ ଗିରଫ କରି କୋର୍ଟଚାଲଣ କରିଛି । ଏହି ମାମଲାରେ ପୋଲିସ ହତ୍ୟାରେ ବ୍ୟବହୃତ କାଠଫାଳିଆକୁ ଜବତ କରିଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗୁରୁବାର ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ମୃତ ନାବାଳିକା ଜଣଙ୍କ ବାପାମା ଛେଉଣ୍ଡ । ସେଥିପାଇଁ ସେ ନନ୍ଦନବିହାର ଅଞ୍ଚଳରେ ଥିବା ନିଜ ମାମୁଁ ଘରେ ଗତ କିଛିବର୍ଷ ହେବ ରହି ଆସୁଥିଲା । ତେବେ ନାବାଳିକା ଜଣଙ୍କ ପାଠ ପଢୁନ ଥିବାରୁ ତାଙ୍କୁ କିଛିମାସ ତଳେ ମାମୁଁ ନଣ୍ଡା ଜଟଣୀ ସ୍ଥିତ ଏକ ଅନାଥ ପିଲାଙ୍କ ପାଠପଢା ଲାଗି ରହିଥିବା ସ୍କୁଲରେ ଛାଡି ଆସିଥିଲେ । ତେବେ ନାବାଳିକା ଜଣଙ୍କ ପୁଣିଥରେ ଜଟଣୀରୁ ପଳାଇ ଆସିବା ସହ ଏଠାରେ ଆସି ରହୁଥିଲେ । ତେବେ ମାମୁଁଙ୍କ ଠାରୁ ଗାଳି ଶୁଣୁଥିବାରୁ କିଛିଦିନ ତଳେ ସେ ଘରୁ କେଉଁଆଡେ ପଳାଇ ଯାଇଥିଲା । ତେବେ ହଠାତ ଅଗଷ୍ଟ ୯ ତାରିଖ ଦିନ ନାବାଳିକା ମାମା ସୟ ମାମୁଁ ଘରକୁ ଆସିଥିଲେ । ଏହାଦେଖି ନଣ୍ଡା ରାଗି ଯିବା ସହ ତାଙ୍କୁ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ଫଳରେ ମାମାଙ୍କର ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା । ଭାଣିଜୀର ମୃତ୍ୟୁ ଜାଣିବା ପରେ ନଣ୍ଡା ଦିନ ସମୟରେ ଶବକୁ ଘରେ ଲୁଚାଇ ରଖିଥିଲେ । ପରେ ବିଳମ୍ବିତ ରାତିରେ ପଡୋଶୀ ନରେନ୍ଦ୍ରଙ୍କ ସହଯୋଗରେ କଳାରାହାଙ୍ଗ ସ୍ଥିତ ନନ୍ଦନ ଏନକ୍ଲାଭ ସ୍ଥିତ ଏକ ପରିତ୍ୟକ୍ତ ସ୍ଥାନରେ ଶବକୁ ଫୋଫାଡି ଦେଇ ଆସିଥିଲେ ।

କିପରି ଧରାପଡିଲେ : ନାବାଳିକାଙ୍କ ଶବ ମିଳିବା ପରେ ପୋଲିସ ଲାଗି ଏହା ଉପରୁ ପରଦା ଉଠାଇବା ଏକ ଚାଲେଞ୍ଜ ଥିଲା । କାରଣ ନାବାଳିକାଙ୍କ ପରିଚୟ ଜଣାପଡି ନ ଥିବା ବେଳେ ମୃତଦେହଟି ପଚି ଯାଇଥିଲା । ସେଥିପାଇଁ ପୋଲିସକୁ ପ୍ରଥମେ ନାବାଳିକାଙ୍କ ପରିଚୟ ଖୋଜିବାକୁ କିଛିଦିନ ସମୟ ଲାଗିଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା ପରେ ଏହି ଶବଟି ମାମାଙ୍କର ବୋଲି ଜଣାପଡିଥିଲା । ନିଜେ ଅଭିଯୁକ୍ତ ନଣ୍ଡା ଶବଟିକୁ ଚିହ୍ନଟ କରିଥିଲେ । ତେବେ ମାମା ତାଙ୍କ ଘରେ ବହୁଦିନରୁ ରହୁ ନ ଥିବା ନଣ୍ଡା କହିବା ପରେ ପୋଲିସ ଲାଗି ସମସ୍ୟା ବଢିଥିଲା । ତେବେ ସ୍ଥାନୀୟ ଅଳରେ ଲାଗିଥିବା ସିସିଟିଭି କ୍ୟାମେରା ପୋଲିସକୁ ତଦନ୍ତରେ ବେଶ ସହାୟକ ହୋଇଥିଲା । ପୋଲିସ ଭିନ୍ନଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ଘଟଣାଦିନ ମାମା ମାମୁଁ ଘରକୁ ଯିବା ଜଣାପଡିଥିଲା । ଏପରିକି ବିଳମ୍ବିତ ରାତିରେ ନଣ୍ଡା ଏକ ମୃତଦେହକୁ ଆଣି ଉକ୍ତ ସ୍ଥାନରେ ଫୋଫାଡୁଥିବା ଦେଖାଯାଇଥିଲା । ପରେ ନଣ୍ଡାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ଉଠିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy