ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

0 543

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଲାଗିଲା ରୋକ୍ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତି। ତେବେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରିବେ। ରାଇରଙ୍ଗପୁରକୁ ନୂଆ ଜିଲ୍ଲା ଘୋଷଣା ଦାବି କରି ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅକ୍ଷୟ କୁମାର ମହାନ୍ତି ଏହି ମାମଲା ରୁଜୁ କରିଥିଲେ। ରାଇରଙ୍ଗପୁର ଏବଂ କରଞ୍ଜିଆ ସବ୍‌-ଡିଭିଜିନକୁ ନେଇ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରିବାକୁ ଆବେଦନକାରୀ ଦାବି କରିଥିଲେ। ନୂତନ ଜିଲ୍ଲା ଗଠନ ନେଇ ଏବେ ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରକ୍ରିୟାରେ ଜଷ୍ଟିସ ରାଜକିଶୋର ଦାସ କମିଟିଙ୍କ ସୁପାରିସ୍‌ କାର୍ଯ୍ୟକାରୀ ହେଉନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ପରିସୀମା, ପଛୁଆ ବର୍ଗ ପ୍ରସଙ୍ଗକୁ ନେଇ ନୂତନ ଜିଲ୍ଲା ଗଠନ କରିବାକୁ ରାଜକିଶୋର ଦାସ କମିଟି ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ଆଧାରରେ ରାଜ୍ୟ ସରକାର ପୂର୍ବରୁ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଥିରେ ଜଷ୍ଟିସ ରାଜକିଶୋର ଦାସ କମିଟିଙ୍କ ସୁପାରିସକୁ ସଠିକ ଭାବେ ପାଳନ କରାଯାଉନାହିଁ କିମ୍ବା କ୍ୟାବିନେଟ ସବକମିଟି ମଧ୍ୟ ଗଠନ କରାଯାଇ ନାହିଁ । ତେଣୁ ରାଜ୍ୟ ସରକାର ଏବେ ନୂଆ ଜିଲ୍ଲା ଘୋଷଣା କରିପାରିବେ ନାହିଁ। କିନ୍ତୁ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଶୀତକାଳୀନ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy