ସରକାରଙ୍କ ପରାମର୍ଶ ପୋଲିସ ଲାଗି ପାଣିର ଗାର!

0 732

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାରା ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପ୍ରାୟ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର (ଏସଆରସି) ଟାଣ ଖରାକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି । ହେଲେ କମିଶନରେଟ ପୋଲିସ ସରକାରଙ୍କ ଏହି ପରାମର୍ଶକୁ ଫୁ’ କରି ନିରାଟ ଖରା ସମୟରେ ନିଜର ସଫଳତା ବଖାଣିବାକୁ ଏକାଧିକ ଥାନାରେ ସାମ୍ବାଦିକ ସମ୍ମିଳନୀ ଡାକି ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।

ସୂଚନା ଅନୁସାରେ, ଆଜି (ସୋମବାର) କମିଶନରେଟ ପୋଲିସ ପକ୍ଷରୁ ଲକ୍ଷ୍ମୀସାଗର, ଶହୀଦନଗର ଓ ଖଣ୍ଡଗିରି ଥାନାରେ ସାମ୍ବାଦିକ ସମ୍ମିଳନୀ କରାଯାଉଛି । ତାହା ପୁଣି ଅପରାହ୍ନ ୧୨.୧୦, ୧.୧୦ ଓ ୨ଟା ସମୟରେ । ଏହି ସମୟରେ ରାଜଧାନୀର ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହିଛି । ଏଭଳି ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ କମିଶନରେଟ ପୋଲିସ ନିଜର ସପଳତା ବଖାଣିବାକୁ ଡାକିବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ କରାଯାଇଛି ।

କାରଣ ରାଜ୍ୟ ସରକାର ପ୍ରତିଦିନ ଲୋକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସର୍ତକ କରୁଛି । ଏସଆରସି କହୁଛି, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ । ସେହିପରି ଭୁବନେଶ୍ୱର ପାଣିପାଗ ବିଭାଗ ରାଜଧାନୀକୁ ଆଜି ଅରେଞ୍ଜ ଆଲର୍ଟ ଜାରି କରିଛି । ପୂର୍ବାହ୍ନ ୧୧.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ଜଣାଇଛି । ଏହା ସତ୍ତ୍ୱେ କମିଶନରେଟ ପୋଲିସ ନିରାଟ ଖରା ସମୟରେ ସାମ୍ବାଦିକ ସମ୍ମିଳନୀ ଡାକିବା ନିଶ୍ଚୟ ପକ୍ଷେ ଚିନ୍ତାର ବିଷୟ ପାଲଟିଛି ।

କେତେକ କହୁଛନ୍ତି, ସାମ୍ବାଦିକମାନେ କ’ଣ ମଣିଷ ନୁହଁନ୍ତି କି? ପୋଲିସ ନିଜର ସଫଳତା ପ୍ରଚାର କରିବାକୁ ଏମାନଙ୍କ ସାମ୍ବାଦିକଙ୍କ ଜୀବନକୁ ବାଜି ଲଗାଉଛି । ଯଦି ରାସ୍ତାରେ ଯିବା ବେଳେ ସାମ୍ବାଦିକଙ୍କର କିଛି ଅସୁବିଧା ହୁଏ, ତେବେ ପୋଲିସ ଦାୟୀ ରହିବ କି? ସେପଟେ ସରକାରଙ୍କ ପରାମର୍ଶକୁ ପୋଲିସ ପାଣିର ଗାର ଭାବୁଥିବା ଜଣାପଡୁଛି । ଏଣୁ ଏଦିଗରେ ପୋଲିସ ଡିଜି, ଗୃହ ସଚିବ, ପୋଲିସ କମିଶନର ଓ ଡିସିପି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy