‘ଚାଲୁଣି କହୁଛି ଛୁଞ୍ଚିକୁ ତୋ ପଛରେ କେତେ ବଡ ସିଙ୍ଗ?’- ରୁଦ୍ର ନାରାୟଣ ପାଣି

0 763

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘ ୨୩ ବର୍ଷ ସରକାରରେ ଦାୟିତ୍ୱରେ ରହିବା ପରେ ନିର୍ବାଚନ ପାଖେଇ ଆସିବା ସମୟରେ ମହିମା ଗାଦିର ବିକାଶ କରିବା କଥା ମନେ ପଡିବା ଦୁଃଖର ବିଷୟ । ବିଶେଷ ଭାବରେ ଯୋରନ୍ଦା ମହିମା ଗାଦିର ବିକାଶ ନ କରାଇବା ପାଇଁ ଯେଉଁମାନେ ଚକ୍ରାନ୍ତକାରୀ ସେମାନେ ଆଜି ଗାଦିର ବିକାଶକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ହୋଇଥିବା କହିବା ଦୁର୍ଭାଗ୍ୟଜନକ । ତାଙ୍କର ମନ୍ତବ୍ୟ ଚାଲୁଣି କହୁଛି “ଛୁଞ୍ଚିକୁ ତୋ ପଛରେ କେଡେ ବଡ ସିଙ୍ଗ” ଭଳି ବୋଲି ବିଜେଡିର ପ୍ରେସ ବିଜ୍ଞପ୍ତିର ପ୍ରତିକ୍ରିୟାରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।

ଶ୍ରୀ ପାଣି ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ମହିମା ଗାଦିର ବିକାଶ ୨୩ ବର୍ଷ ସରକାରରେ ଯେ କରିପାରିଲେ ନାହିଁ, ସେ ଆଜି ମିଛ ଗପ ଗପୁଛନ୍ତି । ମହିମା ଧର୍ମକୁ ଯଦି ମୁଖ୍ୟମନ୍ତ୍ରୀ ଏତେ ଭଲ ପାଉଥିଲେ, ତାହା ୨୩ ବର୍ଷ ହେବ କାହିଁକି ଗାଦିକୁ ଆସି ନଥିଲେ ? ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କର ମାନସ ପୁତ୍ର ଯୋରନ୍ଦାକୁ ଆସି କେବଳ ଲୋକଙ୍କୁ ଦିବାଲୋକରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମହିମା ଗାଦିର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଗାଦିର ମଠ ଗୁଡ଼ିକରେ ଓ ଆଖ ପାଖ ଗାଁରେ ସବୁଦିନିଆ ପାନୀୟ ଜଳ ଯୋଗାଣ ପାଇଁ ୧୫.୭ କୋଟିର ବ୍ୟବସ୍ଥା କରାଯାଇଥିଲା । ମାଘ ମେଳା ସମୟରେ ଭକ୍ତ ଓ ଯାତ୍ରୀ ମାନଙ୍କ ସୁବିଧା ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଥିଲା । ମାତ୍ର ଏହି ପ୍ରକଳ୍ପକୁ ବିଳମ୍ବ କରିବାରେ କିଏ ଷଡଯନ୍ତ୍ର କରିଥିଲା ?

ପୂର୍ବରୁ ପାଣ୍ଡିଆନ କହିଥିଲେ ବାହାର ରାଜ୍ୟରୁ ଅତିଥିମାନେ ଯେତେବେଳେ ଆମ ରାଜ୍ୟକୁ ଆସନ୍ତି ତାଙ୍କୁ ତାଳପତ୍ରର ପଙ୍ଖା ଉପହାର ଦିଅନ୍ତି । ଯାହା ଆମେ କେବେ ଟିଭି ଓ ଖବରକାଗଜରେ କେବେ ଦେଖିନାହାନ୍ତି । କିଛି ଦିନ ପୂର୍ବରୁ ଦୁବାଇରେ ରହୁଥିବା ଓଡ଼ିଆ ମାନଙ୍କ ଆଗରେ ମଧ୍ୟ ସେ ଏହିଭଳି ମିଛ କହିଥିଲେ । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋରନ୍ଦାକୁ ଆସିବା ପାଇଁ ଚାହୁଁଥିଲେ । କିନ୍ତୁ ରାଜ୍ୟ ସରକାର ଏହା ନକରାଇ ଦେବା ପାଇଁ ସେଠାରେ ନାନା ପ୍ରକାର ଷଡଯନ୍ତ୍ର କରିଲେ । ଯେଉଁ ବିବାଦର ସମାଧାନ ରାଜ୍ୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା ତାହା ସେମାନେ ନକରାଇ ଦେଇ ଅଦାଲତକୁ ଯିବାକୁ ସୁଯୋଗ ଦେଲେ ଓ ଅଯଥାରେ ଯୋରନ୍ଦାରେ ବିବାଦକୁ ବଢାଇବାରେ ବଡ ଭୂମିକା ନେଇଥିଲେ ।

ଚଳିତ ବର୍ଷ ଯୋରନ୍ଦାରେ ମାଘ ମେଳାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବ୍ୟ ଆୟୋଜନର ମଧ୍ୟ ଯୋଜନା ଥିଲା, କିନ୍ତୁ ଓଡ଼ିଶା ସରକାରଙ୍କ ଅମାନବୀୟ ଓ ବେପରୁଆ ଉଚ୍ଛେଦ ଯୋଗୁ ମହିମା ଗାଦିରେ ଦଶନ୍ଧି ପୁରୁଣା ମଠ ମନ୍ଦିର ଆଜି ଧୂଳିସାତ୍ ହୋଇଥିଲା । ସମାଧାନ ଓ ମଧ୍ୟସ୍ଥତା ବଦଳରେ ଓଡ଼ିଶା ସରକାର ମହିମା ଧର୍ମର ଦୁଇ ସମାଜକୁ ପରସ୍ପର ଲଢେଇ କରାଇଥିଲେ । ଏତେ କର୍ମକାଣ୍ଡ କଲା ପରେ ଏବେ ଅଣ ଓଡ଼ିଆ ବିଜେଡି ନେତା ପାଣ୍ଡିଆନ ମହିମା ଗାଦିର ବିକାଶ ଯୋଜନାର ଭେଳିକି କଥା କହୁଛନ୍ତି । ଏପଟେ ଡାହାଣୀ ହେଇ ଲାଗୁଛନ୍ତି ଆଉ ସେପଟେ ଗୁଣିଆ ହେଇ ଝାଡୁଛନ୍ତି । ସାଧୁ ସନ୍ଥ ମାନଙ୍କ ଆଗରେ ଏହି ପ୍ରହସନ ନିହାତି ଲଜ୍ଜା ଜନକ । ନିଜ ବିବେକ ଦୃଷ୍ଟିରୁ ଏଥିରେ ସଂଶ୍ଳିଷ୍ଟ ବ୍ୟକ୍ତି ମାନେ ସଚେତନ ହେବା ଆବଶ୍ୟକ ବୋଲି ପୂର୍ବତନ ସାଂସଦ ଶ୍ରୀ ପାଣି କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy