ପ୍ରଶାସନ ପାରୁନି, ଏକଜୁଟ ହେଲେ ଲୋକେ

0 742

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜୟଦେବ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳକୁ ଯିବା ଲାଗି ଏକ ମାତ୍ର ସଂକୀର୍ଣ୍ଣ ରାସ୍ତାକୁ ନେଇ ଉପୁଜୁଥିବା ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେଉନାହିଁ । ବାରମ୍ବାର ଆପତ୍ତି-ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀର ୧୨ ପଞ୍ଚାୟତର ମୂରବୀମାନେ ଏକାଠୀ ହୋଇଥିଲେ । ସାଇମନ୍ଦିରରୁ ଟଙ୍କାପାଣି ବ୍ରିଜ ରାସ୍ତାରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ୧୨ ପଞ୍ଚାୟତର ଲୋକେ ଆଗକୁ ଆସିବେ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମତପ୍ରକାଶ ପାଇଛି ।

ମଙ୍ଗଳବାର ବାସୁଆଘାଇ ମନ୍ଦିର ପ୍ରାଗଣରେ ବାଙ୍କୁଆଳ ଗ୍ରାମ କମିଟିର ସଭାପତି କବିରାଜ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ଟଙ୍କପାଣିରୋଡ ସାଇବାବା ମନ୍ଦିର ରାସ୍ତା କୁଆଖାଈ ନଦୀବ୍ରିଜ ପର୍ଯ୍ୟନ୍ତ ରାସ୍ତା କଡରେ ଅନେକ କଲ୍ୟାଣ ମଣ୍ଡପ ଗଢିଉଠିଛି । ଯେଉଁମାନଙ୍କର ପାକିଂ ବ୍ୟବସ୍ଥା ନାହିଁ । ଫଳରେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଉଥିବା ବିବାହ, ଭୋଜି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମୟରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ଠପ ହୋଇପଡୁଛି । ସେହି ରାସ୍ତା ଉପରେ ନିର୍ଭରଶୀଳ ଲୋକେ ଯିବାଆସିବା କରିପାରୁନାହାନ୍ତ ।

ସନ୍ଧ୍ୟା ପରିସ୍ଥିତି ଏମିତି ହେଉଛି ଯେ, ଗହଳି ଯୋଗୁଁ ଆମ୍ବୁଲାନ୍ସ ଓ ଶିକ୍ଷାନୁଷ୍ଠାନ ବସ ଦୀର୍ଘ ସମୟ ଧରି ଫସି ରହୁଛ । ବରଯାତ୍ରୀ ପ୍ରୋସେସନ ସମୟରେ ରାସ୍ତାରେ ପିମ୍ପୁଡି ଯିବା ମଧ୍ୟ କଷ୍ଠକର ହୋଇପଡୁଛି । ଏଥିସହିତ ରାସ୍ତା କଡରେ ଦୁଇଚକିଆ ଠାରୁ ଚାରିଚକିଆ ପର୍ଯ୍ୟନ୍ତ ମନଇଛା ପାର୍କିଂ ହେଉଛି । ଫଳରେ ଭିଡ ଯୋଗୁଁ ଲୋକେ ହଇରାଣ ହୋଇ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହୁଛନ୍ତ । ବାଙ୍କୁଆଳ, ବାସୁଆଘାଈ (ଦୁର୍ଗାପୁର) ଓ ଜୟଦେବ ନିର୍ବାଚନ ମଣ୍ଡଳୀବାସିନ୍ଦା ପ୍ରାୟତଃ ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଏହି କମିଶନରେଟ ପୋଲିସ ଓ ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇ ରାସ୍ତା ପ୍ରଶସ୍ତିକରଣ ସହ କଲ୍ୟାଣ ମଣ୍ଡପଗୁଡିକୁ ପାର୍କିଂ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେବାକୁ ବୈଠକରେ ଦାବି କରାଯାଇଛି । ସେହିପରି ବର୍ଷା ଦିନେ ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହୁଛି । ଏହି ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି । ଖାଲି ଏତିକି ନୁହେଁ, ରାସ୍ତାରେ ଷ୍ଟିଟ ଲାଇ ବ୍ୟବସ୍ଥା ଓ ସାଇମନ୍ଦିର ପରିଚାଳନା କମିଟିକୁ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ଯଦି ପ୍ରଶାସନ ଏହି ଦାବିକୁ ନଶୁଣେ, ତେବେ ଆଗାମୀ ଦିଗରେ ଉକ୍ତ ଅଞ୍ଚଳରେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ବାଙ୍କୁଆଳ, ବାସୁଆଘାଇ, ବଇଁଚୁଆଁ, ହୀରାପୁର, ବାଳକାଟୀ ଆଦି ଅଞ୍ଚଳର ଅନେକ ମୂରବୀମାନେ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy