ରାଜ୍ୟ ସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ମହିଳା ଆରକ୍ଷଣ ବିଲ୍‍

0 745

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଳମ୍ବିତ ସନ୍ଧ୍ୟାରେ ପୂର୍ଣ୍ଣ ସହମତିରେ ପାରିତ ହୋଇଛି ମହିଳା ଆରକ୍ଷଣ ବିଲ୍‍ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଲୋଚନା ପରେ ରାତି ପ୍ରାୟ ୧୦ଟା ୮ ମିନିଟ୍‍ ସମୟରେ ଗୃହର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସଦସ୍ୟମାନଙ୍କ ଭୋଟ୍‍ ଗ୍ରହଣ କରିଥିଲେ । ପ୍ରଥମେ ବାଚନୀକ ଭୋଟ୍‍ ପରେ ସଦସ୍ୟମାନେ ନିଜର ମତକୁ ବ୍ୟକ୍ତିଗତ ଭାବେ ଇଲେକ୍ଟ୍ରନିକ ଉପାୟରେ ଭୋଟ୍‍ ପଞ୍ଜୀକୃତ କରିଥିଲେ । ଯେଉଁଥିରେ ଗୃହର ସମସ୍ତ ସଦସ୍ୟ ମହିଳା ବିଲ୍‍କୁ ପାରିତ କରିବା ପାଇଁ ମତ ଦେଇଥିଲେ । ଫଳରେ ବିଲ୍‍ଟିକୁ ୨୧୫-୦ ଭୋଟ୍‍ ରେ ଗୃହୀତ କରାଯାଇଥିବା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଗୃହକୁ ସୂଚନା ଦେଇଥିଲେ । ଏହାକୁ ଏକ ଐତିହାସିକ ସଫଳତା କହି ସଦସ୍ୟମାନଙ୍କୁ ଅଭିନନ୍ଦନ କରିଥିଲେ ଧନକଡ଼ କହିଥିଲେ ।
 
ସେ କହିଥିଲେ ଯେ, ଆଜି ହିନ୍ଦୁ ରୀତି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ଏହି ଦିନରେ ଏହି ଐତିହାସିକ ବିଲ୍‍ ପାରିତ ହୋଇଛି । ଏହା ଏକ ସଂଯୋଗ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷଙ୍କ ଏହି ଅଭିନନ୍ଦନ ଶୁଣୁ ସଦସ୍ୟମାନଙ୍କୁ ନମସ୍କାର କରି କୃତଜ୍ଞତା ପ୍ରକାଶ କରିଥିଲେ। ଅନ୍ୟ ସଦସ୍ୟମାନେ ଟେବଲ୍‍ ବାଡ଼େଇ ସମ୍ମତି ଜଣାଇଥିଲେ । ନୂତନ ସଂସଦରେ ଏହା ପ୍ରଥମ ବିଲ୍‍ ଭାବେ ଦୁଇ ସଦନରେ ଗୃହୀତ ହୋଇଛି । ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ  ଆଲୋଚନା ପାଇଁ  ଗତକାଲି  ଏହି ବିଧେୟକ ଉପସ୍ଥାପନ କରାଯାଇଥିଲା । ସମ୍ବିଧାନର ଏହି ୧୨୮ ତମ ସଂଶୋଧନ ବିଧେୟକକୁ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ଭାବରେ ନାମିତ କରାଯାଇଛି । 

ରାଜ୍ୟସଭାରେ ବିଲ୍‍ ସମ୍ପର୍କରେ ଭାଟ୍‍ ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଉପସ୍ଥିତ ଥିଲେ । ଏହାଙ୍କ ସହ ଆଇନ ମନ୍ତ୍ରୀ ମେଘୱାଲ୍‍ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗୃହରେ ଉପସ୍ଥିତ ଥିଲେ । ନୂତନ ଗୃହରେ ପ୍ରଥମ ବିଲ୍‍  ପାଇଁ ଭୋଟ୍‍ ଗ୍ରହଣ କରାଯାଇଥିବାରୁ ରାଜ୍ୟସଭାର ମହାସଚିବ ପିସି ମୋଦୀ ଉଭୟ ଇଂରାଜୀ ଓ ହିନ୍ଦି ଭାଷାରେ ଭୋଟିଂ ପ୍ରକ୍ରିୟାକୁ ସାଂସଦଙ୍କୁ ବୁଝାଇଥିଲେ । ଏହା ପରେ ଭୋଟ୍‍ଗ୍ରହଣ ଆାରମ୍ଭ କରାଯାଇଥିଲା । 

ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‍ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସର୍ବଦଳ ସହମତିରେ ପାରିତ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ଗତକାଲି ଲୋକସଭାରେ ୪୫୪-୨ ଭୋଟରେ ଲୋକସଭାରେ ଏହି ବିଲ୍‍  ପାରିତ ହୋଇଛି ।  ଏଆଇଏମ୍‍ଏମ୍‍ ର ଦୁଇ ସଦସ୍ୟ ଏହାକୁ ବିରୋଧ କରିଥିଲେ । 

୧୯୯୬ ମସିହାରୁ ୧୧ ଥର ଏହା ସଂସଦରେ ଉପସ୍ଥାପିତ ହୋଇଛି କିନ୍ତୁ କେବେ ତାହା ପାରିତ ହୋଇପାରି ନାହିଁ । ଏ ଭିତରେ ୪ ଜଣ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳରେ ଏହି ବିଲ୍‍କୁ ଆଗତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ବିଲ୍‍ ଦୁଇ ସଦନରେ ଗୃହୀତ ହୋଇଛି । କନ୍ତୁ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ପରେ ଯାଇ ଏହାକୁ ଲାଗୁ କରାଯିବ । ଏହି ବ୍ୟବସ୍ଥାକୁ ନେଇ  ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛି । ଏହି ବିଲ୍‍ ଆଇନରେ ପରିଣତ ହୋଇ ଲାଗୁ କରାଗଲେ ସଂସଦରେ ମହିଳାଙ୍କ ସଂଖ୍ୟା ୧୮୧ରେ ପହଞ୍ଚିବ । ୧୫ ବର୍ଷ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ପ୍ରତି ସୀମା ନିର୍ଦ୍ଧାରଣ ସମୟରେ ଏହି ଆରକ୍ଷଣ ବ୍ୟବସ୍ଥା ବଦଳିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy