କଂଗ୍ରେସ ସ୍ଥିର, ବିଜେପି ଅସ୍ଥିର ଓ ବିଜେଡି ଭାଗ ଭାଗ

0 399

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱ ରହିଛି । ଏହି ନିର୍ବାଚନ ମଣ୍ଡଳୀ ଅଣ-କଂଗ୍ରେସର ଗଡ ଭାବେ ପରିଚିତ । ହେଲେ ଚଳିତ ଥର ଏହି ଆସନରେ କଂଗ୍ରେସର ଭୋଟ ସ୍ଥିର ଥିବା ବେଳେ କ୍ରେଜ ବଢୁଥିବା ଲକ୍ଷ୍ୟ କରାଯାଉଛି । ବିଜେପି ତୃତୀୟ ସ୍ଥାନରେ ଅସ୍ଥିର ମନେହେଉଥିବା ବେଳେ ବିଜେଡି ସଂଗଠନ ଭାଗ ଭାଗ ହୋଇଯାଇଛି । ତେଣୁ ଏଥର ନିର୍ବାଚନ ଫଳାଫଳ ସ୍ଥିତି ଆକଳନ କରିବା ସମୀକ୍ଷକଙ୍କ ଲାଗି କଷ୍ଟକର ହୋଇପଡିଛି ।

୨୦୧୯ରେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେଡିର ଶଶୀଭୂଷଣ ବେହେରା ବିଜୟ ଲାଭ କରିଥିଲେ । ଶ୍ରୀବେହେରା ମୋଟ ୬୬ ହଜାର ୧୩୨ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସର ଗଣେଶ୍ୱର ବେହେରା ୫୯ହଜାର ୫୪୭ ଖଣ୍ଡ ଭୋଟ ପାଇଥିଲେ । ଶଶୀଭୂଷଣ ପାଖାପାଖି ୬ହଜାର ଭୋଟରେ ବିଜୟ ହୋଇଥିଲେ । ୨୦୧୪ରେ ବିଜେଡିର କିଶୋର ତରାଇ ୬୫ ହଜାର ୩୭ ଖଣ୍ଡ ଭୋଟ ପାଇôଥବା ବେଳେ କଂଗ୍ରେସ ୫୯ ହଜାର ୬୦୬ ଖଣ୍ଡ ଭୋଟ ପାଇଥିଲା । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ପାଖାପାଖି ମାତ୍ର ୬ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଛି । ସେହିପରି ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ୬,୮୬୧, ୯,୯୮୧ ଓ ୨୨,୮୪୨ ହଜାର ଭୋଟ ପାଇଥିଲା ।

ଏହି ତଥ୍ୟକୁ ଅନୁଧ୍ୟାନ କଲେ, ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସର ନିଜସ୍ୱ ଭୋଟ ପ୍ରାୟ ସମାନ ରହିଛି । କିନ୍ତୁ, ୨୦୨୪ ନିର୍ବାଚନରେ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟକ କଂଗ୍ରେସ ଦଳରୁ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ଗଣେଶ୍ୱର ବେହେରା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ଏହି ନେତା ନିକଟରେ ଦଳବଦଳ କରିଥିବାରୁ ମୂଳ ସଂଗଠନ ସହ ଭଲ ଭାବରେ ମିଶି ପାରୁନାହାନ୍ତି । ଯଦିଓ ସିପ୍ରାଙ୍କୁ କଂଗ୍ରେସ ସଂଗଠନ ଆପଣାଇ ନେଇଛି, ହେଲେ ବିଜେଡି ଗଣେଶ୍ୱର ବେହେରାଙ୍କୁ ଗ୍ରହଣ କରିପାରୁନାହିଁ । ଗଣେଶ୍ୱର ନେଇ ବିଜେଡି ସଂଗଠନ ଭାଗ ଭାଗ ହୋଇଯାଇଛି ।

ଶଶୀଭୂଷଣ ବିଧାୟକ ହେବା ପରେ ତୃଣମୂଳସ୍ତର ନେତା ଓ କର୍ମୀଙ୍କୁ ଅଣଦେଖା କରିବା ପରେ ଅଧାରୁ ଅଧିକ ବିଜେଡି ସଂଗଠନ ସିପ୍ରା ମଲ୍ଲିକ ଓ କିଶୋର ତରାଇଙ୍କ ପାଖକୁ ଚାଲିଆସିଥିଲା । ଶଶୀଙ୍କ ପାଖରେ ଅଳ୍ପ କେତେକ କର୍ମୀ ଓ ନେତା ଥିଲେ । ଆଶା କରାଯାଉଥିବା ଏଥର ବିଜେଡି ସିପ୍ରାଙ୍କୁ ଟିକେଟ ଦେବ । ହେଲେ ଗଣେଶ୍ୱରଙ୍କୁ ଦଳ ଆପଣାଇ ନେବା ସହ ଟିକେଟ ଦେଇଥିଲା । ଏହାକୁ ବିଜେଡିରେ ବିଦ୍ରୋହ ଦେଖାଦେଇଥିଲା । ସିପ୍ରା ମୂଳ ବିଜେଡି ସଂଗଠନ ସହ କଂଗ୍ରେସକୁ ଚାଲିଆସିଥିଲେ । ଆଉ କିଛି ନେତା ଓ କର୍ମୀ କିଶୋର ତରାଇଙ୍କ ସହ ରହିଯାଇଛନ୍ତି । କିଶୋର ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି । ତେବେ ବିଜେଡି ୩ ଭାଗ ହେବା ଫଳରେ କଂଗ୍ରେସ ଅଧିକ ସୁଦୃଢ ହୋଇଛି ।

ଯଦି ଏଭଳି ସ୍ଥିତି ନିର୍ବାଚନ ପର୍ଯ୍ୟନ୍ତ ରୁହେ, ତେବେ ମାତ୍ର ୬ହଜାର ଭୋଟ ବ୍ୟବଧାନରେ ପରାଜିତ ହେଉଥିବା କଂଗ୍ରେସ ପାଇଁ ଲାଭଦାୟକ ହେବ । ଏଥିସହିତ ନିର୍ବାଚନର ଢେର ପୂର୍ବରୁ ଲୋକେ କଂଗ୍ରେସକୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଜନମତ ସିପ୍ରାଙ୍କ ସପକ୍ଷରେ ରହିଛି । ସେପଟେ ଦଳରେ ବିଦ୍ରୋହ ଓ ନିଜ ସ୍ୱାର୍ଥ ପାଇଁ ଗଣେଶ୍ୱର ବିଜଡିରେ ସାମିଲ ହେବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy