ବିଜେଡି ଚକ୍ରବ୍ୟୁହରେ ଧର୍ମେନ୍ଦ୍ର! ଖସିବେ ନା ଫସିବେ?

0 299

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲାଗି ବିଜେଡି ଏକ ପ୍ରକାର ଚକ୍ରବ୍ୟୁହ ରଚନା କରିଛି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ ବିଧାନସଭାରେ ବିଜେଡି ମହାରଥିଙ୍କୁ ନେଇ ସମରସଜ୍ଜା କରିଛି । ଏଥିସହିତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ଖୋଦ ମୁଖ୍ୟମନ୍ତ୍ରୀ ସେନାପତି ସାଜି ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡିର ଏଭଳି ଚକ୍ରବ୍ୟୁହକୁ ଧର୍ମେନ୍ଦ୍ର ପ୍ରଧାନ ଭେଦ କରିପାରିବେ ନା ମହାଭାରତର ଅଭିମନ୍ୟୁ ଭଳି ଫସିଯିବେ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚୋର ଧରିଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାର୍ଥୀମାନେ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି । ସାରା ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ସମ୍ବଲପୁର ଲୋକସଭା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଏକ ବିଗ୍‌ଫାଇଟ ହେବାକୁ ଯାଉଛି । ରାଜ୍ୟର ଦୁଇ ପ୍ରମୁଖ ଚେହେରା ବିଜେଡିର ପ୍ରଣବ ପ୍ରକାଶ ଦାସ ଓ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେବାକୁ ଯାଉଛି । ଏହି ଫାଇଟରେ ‘ଯିଏ ଜିତିବ ସେଏ ହିରୋ ଓ ପରାଜିତ ହେଲେ ଜିରୋ’ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

ଏହାକୁ ଦୁଇ ଦଳ ଗମ୍ଭୀରତାର ସହ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରୁ ବିଜେଡି ୭ ମହାରଥିଙ୍କୁ ଲଢାଇଛି । କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରରିଆ, ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ସମ୍ବଲପୁରରୁ ରୋହିତ ପୂଜାରି, ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ, ଦେବଗଡରୁ ଅରୁନ୍ଧତୀ ଦେବୀ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା ଓ ଆଠମଲ୍ଲିକରୁ ନଳିନୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏହି ଆସନ ମଧ୍ୟରୁ ବିଜେଡି ଦଖଲରେ ୪ଟି ଥିବା ବେଳେ ବିଜେପି ୩ଟି ବିଧାନସଭା ଦଖଲ କରିଛି । ମାତ୍ର ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେପି ଦଖଲରେ ରହିଛି । ଏଥର କିନ୍ତୁ ଉଭୟ ଦଳ ସଂସଦୀୟ କ୍ଷେତ୍ର ସହ ସମସ୍ତ ୭ଯାକ ବିଧାନସଭା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ବିଜେପି ଦଖଲରେ ଥିବା ଏହି ସଂସଦୀୟ କ୍ଷେତ୍ରକୁ ବିଜେଡି ଦଖଲ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଛି । ତେଣୁ ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରି, ଅରୁନ୍ଧତୀ ଦେବୀଙ୍କ ଭଳି ସେନାପତିଙ୍କୁ ରଣାଙ୍ଗନଙ୍କୁ ଓହ୍ଲାଇଛି । ସେହିପରି ବିଜେଡିର ପ୍ରଭାବଶାଳୀ ସାଂସଦ ମାନସ ମଙ୍ଗରାଜଙ୍କ ଭଳି ନେତାଙ୍କୁ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ମାନସ ବିଜେଡି ପ୍ରୀର୍ଥୀ ତଥା ପ୍ରଣବ ପ୍ରକାଶ ଦାସଙ୍କ ରଥର ସାରଥି ସାଜି ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ନିଶ୍ଚିତ ହୋଇଛି । ଏସବୁ ସତ୍ୱେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି । ଏସବୁ ସମରସଜ୍ଜା କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବାକୁ ରଚା ଯାଇଛି ।

ବିଜେଡିର ଏଭଳି ଚକ୍ରବ୍ୟୁହକୁ ଧର୍ମେନ୍ଦ୍ର ଭେଦ କରିବା ସହଜ ହେବ ନାହିଁ । ଯଦିଓ ଧର୍ମେନ୍ଦ୍ରଙ୍କ ଲାଗି ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ରଙ୍କ ଭଳି ଯୋଦ୍ଧା ମୈଦାନକୁ ଓହ୍ଲାଇବେ ତଥାପି ଚକ୍ରବ୍ୟୁହ ଭେଦ କରିବା ସହଜ ହେବ ନାହିଁ । ବିଜେଡିର ସମରସଜ୍ଜା ଦେଖି ଧର୍ମେନ୍ଦ୍ର କେନ୍ଦ୍ରୀୟ ନେତା ଅମିତ ସାହା ଓ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଥିବା ଜଣାପଡିଛି । ତେବେ ସେ ଯାହା ହେଉ ସମ୍ବଲପୁର ସମରସଜ୍ଜା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy