ବଢୁଛି ଚାନ୍ଦା ଜୁଲମରେ ଲୋକେ ଅତିଷ୍ଠ

0 435

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ପାର୍ବଣ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସିଛି । ପୂଜା କମିଟିର ସଦସ୍ୟମାନେ ଘର ଘର ବୁଲି ଚାନ୍ଦା ଆଦାୟ କରୁଛନ୍ତି । ବିଶେଷ କରି ସହରାଞ୍ଚଳରେ ଏହି ଚାନ୍ଦା ଜୁଲମ ବଢିବାରେ ଲାଗିଛି । ଭଡାଟିଆ ଓ ଛୋଟ ଦୋକାନୀଙ୍କ ଉପରେ ପୂଜା କମିଟି ଏକ ପ୍ରକାର ଜୋରଜବରଦସ୍ତ କରୁଥିବା ଦେଖିବାକୁ ମିଳିଛି । ଏହି ଚାନ୍ଦା ଜୁଲମକାରୀଙ୍କ ଉତ୍ପାତ ଏତେ ବଢି ଯାଇଛି ଯେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ଭୟରେ କେହି ପୋଲିସରେ ଅଭିଯୋଗ କରୁନଥିବା ଜଣାପଡିଛି । ସେପଟେ ପୋଲିସ କହିଛି, ଏହା ବେଆଇନ ପୋଲିସକୁ ସହାୟତା କରନ୍ତୁ, କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଭିଯୋଗ ଅନୁସାରେ, କରୋନା ଯିବା ପରେ କିଛିଦିନ ହେଲା ଭୁବନେଶ୍ୱରରେ ରହୁଥିବା ଛୋଟମୋଟ ବ୍ୟବସାୟୀ ଓ ଭଡାଟିଆମାନେ ଅଣ୍ଟା ସଳଖିବାକୁ ଚେଷ୍ଠା ଚଳାଇଛନ୍ତି । ଏହି ସମୟରେ ବିଭିନ୍ନ ପୂଜା କମିଟିର ସଦସ୍ୟ ହାତରେ ରସିଦ ଧରି ଜୋରଜବରଦସ୍ତ ଚାନ୍ଦା ଆଦାର କରୁଛନ୍ତି । ମନଇଚ୍ଛା ସର୍ବନିମ୍ନ ୩ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରୁଛନ୍ତି । ଯଦି କେହି ଏତେ ଟଙ୍କା ଦେବାକୁ ଅମଙ୍ଗ ହେଉଛି, ତେବେ ଏହି ଜୁଲମକାରୀମାନେ ତାଙ୍କୁ ଧମକଚମକ ଦେଉଛନ୍ତି । ଭଡାରେ ରହୁଥିବା ଲୋକେ ଓ ଛୋଟମୋଟ ବ୍ୟବସାୟ ଭୟରେ ତାଙ୍କୁ ଚାନ୍ଦା ଦେବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ମଞ୍ଚେଶ୍ୱର, ଚକେଇସିହାଣୀ, ରସୁଲଗଡ, ପଳାଶୁଣୀ, ନୂଆପଲ୍ଲୀ, ଶହୀଦନଗର, ପଟିଆ, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ବରମୁଣ୍ଡା ଆଦି ଅଞ୍ଚଳରେ ଏହି ଚାନ୍ଦା ଜୁଲମ ଅତ୍ୟଧିକ ମାତ୍ରାରେ ହେଉଥିବା ଅଭିଯୋଗ ହେଉଛି । କମିଶନରେଟ ପୋଲିସର ନିରବଦ୍ରଷ୍ଟା ଚାନ୍ଦା ଜୁଲମକାରୀଙ୍କୁ ବେଶ ସୁହାଉଛି ।

ପୋଲିସ ପକ୍ଷରୁ କୁହାଯାଇଛିି, ଚାନ୍ଦା ବା ବଟି ଆଦାୟକୁ ବେଆଇନ । ସାଧାରଣତଃ ପର୍ବପର୍ବାଣି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରିବା ଘଟଣା ନଜରକୁ ଆସିଥାଏ । ଯଦି କୌଣସି ବ୍ୟକ୍ତି ଆପଣଙ୍କଠୁ ବଟି ନେବାକୁ ଧମକ ଦିଅନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବାକୁ ଭୁଲନ୍ତୁ ନାହିଁ । ହେଲେ ଚାନ୍ଦା ଜୁଲମକାରୀଙ୍କ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇନାହିଁ । ସାହି-ଗଳିରେ ପୋଲିସ ଟିମ ବୁଲି ତଥ୍ୟ ସଂଗ୍ରହ କରୁନି । ଫଳରେ ଚାନ୍ଦା ଆଦାୟକାରୀଙ୍କ ଜୁଲମ ବଢିବାରେ ଲାଗିଛି । ପୂର୍ବରୁ ପୋଲିସ ବ୍ୟବସ୍ଥା ବ୍ୟବହାର କରି ଦାୟିତ୍ୱରେ ଥିବା ଅଧିକାରୀ ମାନେ ବିଭିନ୍ନ ଜନବସତି, କଲୋନୀ, ସାହିଗୁଡିକରୁ ବେଆଇନ ଭାବେ ହେଉଥିବା ଚାନ୍ଦା ଆଦାୟ ସଂପର୍କରେ ତଥ୍ୟ ହାସଲ କରୁଥିଲେ ।

ଅପରପକ୍ଷରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବ୍ୟବସାୟୀ, ଶିଳ୍ପପତିମାନଙ୍କୁ ଧମକ ଦିଆଯାଇ ଚାନ୍ଦା ଆଦାୟ କରାଯାଉଥିଲେ ଥାନାରେ ଏତଲା ଦେବାକୁ ପରାମର୍ଶ ଦିଆଯାଇଛି । ବରିଷ୍ଠ ନାଗରିକମାନଙ୍କ ସହଯୋଗରେ ପୋଲିସ ବେଆଇନ ଚାନ୍ଦା ଆଦାୟ ସଂପର୍କରେ ତଥ୍ୟ ହାସଲ କରିବାକୁ କୁହାଯାଇଛି । ସେହିପରି ବସ, ଟ୍ରକ ମାଲିକମାନେ ବି ନିର୍ଦ୍ଦିଷ୍ଟ ଚାନ୍ଦା ଆଦାୟକାରୀଙ୍କ ନା ଓ ଠିକଣା ପୋଲିସକୁ ଗୋପନରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ପୋଲିସ ଉପରେ ଭରସା କରି ବେଆଇନ ଚାନ୍ଦା ଆଦାୟକାରୀଙ୍କ ସମ୍ପର୍କରେ ତଥ୍ୟ ଦେଲେ, ଏଭଳି ଅପରାଧକୁ ରୋକାଯାଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ କମିଶନରେଟ ପୋଲିସ ପକ୍ଷରୁ ଚାନ୍ଦା ଜୁଲମକାରୀଙ୍କ ଉପରେ ନଜର ରଖିଛି । ଏୟାରଫିଲ୍ଡ ଥାନା ପୋଲିସ ଚାନ୍ଦା ମାଗୁଥିବା କିଛି ଯୁବକଙ୍କୁ ମଧ୍ୟ ଗିରଫ କରିଛି । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy