ଶୈଳବାଳା ଓମେନ୍ସ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

0 234

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଶୈଳବାଳା ଓମେନ୍ସ କଲେଜର ଜନୈକ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରଖାଯାଇଛି । ଏହି ଘଟଣାକୁ ଯଥା ସମ୍ଭବ ଚାପି ଦେବାକୁ ବିଭିନ୍ନସ୍ତରରେ ଉଦ୍ୟମ ଜାରି ରହିଛି । ତେବେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ସଂପୃକ୍ତ କଲେଜର ଯୁକ୍ତ ୩ ଛାତ୍ରୀଙ୍କୁ ସହକାରୀ ପ୍ରଫେସର ପ୍ରଥମେ ପ୍ରେମ ଜାଲରେ ଫସାଇଥିଲେ । ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଅସଦାଚରଣ କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ଯୁବତୀ ଜଣଙ୍କ ପ୍ରଫେସରଙ୍କୁ ବାହା ହେବାକୁ ଜିଦ୍ ଧରିଥିଲେ । ହେଲେ ପ୍ରଫେସର ଜଣଙ୍କ ବିବାହିତ ଏବଂ ତାଙ୍କ ପତ୍ନୀ ଜେଲ ବିଭାଗର ଜଣେ ବରିଷ୍ଠ କର୍ମଚାରୀ ଥିବାରୁ ଘଟଣାକୁ ଯଥା ସମ୍ଭବ ଚାପି ଦେବାକୁ ଚେଷ୍ଟା କରାଯାଇଥିଲା ।

ସେପଟେ ଛାତ୍ରୀ ଜଣଙ୍କ ଲୋକ ଲଜ୍ୟା ଭୟରେ ଥାନାକୁ ଯାଇନଥିଲେ । କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ଉଚ୍ଚ ଶିକ୍ଷାବିଭାଗ ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣା କିଛିଦିନ ପୂର୍ବରୁ ହୋଇଥିଲେ ମଧ୍ୟ ଏହାକୁ ଗଣମାଧ୍ୟମ ଠାରୁ ଯଥା ସମ୍ଭବ ଦୂରେଇ ରଖାଯାଇଥିଲା । ଏହି ଘଟଣା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ପ୍ରଫେସରଙ୍କ ବିରୋଧରେ ପ୍ରମାଣ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy