ନୂଆମୁହଁଙ୍କୁ ଅପରାଧୀଙ୍କ ଖାତିର ନାହିଁ, ବଢୁଛି ଲୁଟ୍‌ତରାଜ!

0 1,601

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ଲୁଟ୍‌ତରାଜ ବଢିବଢି ଚାଲିଛି । ଘରେ ପଶି ହେଉ ଅବା ରାସ୍ତାଘାଟରେ ଅପରାଧୀମାନେ ଲୁଟ୍‌ପାଟ କରି ମହାବଳଶାଳୀ ବୋଲାଉଥିବା କମିଶନରେଟ୍ ପୋଲିସକୁ ଖୋଲାଚାଲେଞ୍ଜ ଦେଉଛନ୍ତି । ପୋଲିସ ଏଭଳି ଅପରାଧ ରୋକିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ମଧ୍ୟ ଏଥିରେ ସଫଳ ପାଇପାରୁନାହିଁ । ତେବେ ନୂଆ ପୋଲିସ ଅଧିକାରୀ ଓ ସେମାନଙ୍କ ଅନଭିଜ୍ଞତାର ସୁଯୋଗ ନେଇ ଅପରାଧୀମାନେ ଏଭଳି ଅପରାଧ ଘଟାଉଥିବା କୁହାଯାଉଛି ।

ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସରେ ଇନ୍ସପେକ୍ଟର ଓ ଏସିପିସ୍ତରରେ ବଡ ଅଦଳବଦଳ କରାଯାଇଛି । ଆଗକୁ ଆହୁରି ବଦଳି ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ଅଦଳବଦଳଳ ଫଳରେ ଭୁବନେଶ୍ୱରକୁ ଅନେକ ନୂଆ ଅଫିସର ଆସିଛନ୍ତି । ଯେଉଁମାନଙ୍କର ଭୁବନେଶ୍ୱର ବା କମିଶନରେଟରେ କାମ କରିବାର ଅଭିଜ୍ଞତା ନାହିଁ । ଏପରିକି ରାଜଧାନୀର କ୍ରାଇମ ଓ କ୍ରିମିନାଲଙ୍କ ସମ୍ପର୍କରେ ସାମ୍ୟକ୍ ଧାରଣା ମଧ୍ୟ ନାହିଁ । ଅନେକ ଥାନା ଅଧିକାରୀ ଏବେ ବି ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜାଣିପାରୁନାହାନ୍ତି । ସେମାନଙ୍କର ଲୋକ ସମ୍ପର୍କ ନାହିଁ କିମ୍ବା ସେମାନେ ଲୋକଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସାମ୍ବାଦିକମାନଙ୍କ ସହ ଯୋଗାଯୋଗ ରଖିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଫଳସ୍ୱରୂପ ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି ।

ଅପରାଧ ସମ୍ପର୍କରେ ପୋଲିସକୁ ଖବର ମିଳିବାର କୌଣସି ରାସ୍ତା ନଥିବାରୁ ଅପରାଧୀମାନେ ପୁରା ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋଟିକ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଗତ ମାସକ ଭିତରେ ରାଜଧାନୀରୁ ପ୍ରାୟ ୧୦୦ରୁ ଅଧିକ ଚୋରି, ଲୁଟ୍ ଓ ଛିନତାଇ ଭଳି ଅପରାଧ ଘଟାଇ ଖସିଯାଇଛନ୍ତି । ପୋଲିସ ଅପରାଧୀଙ୍କୁ ଦମନ କରିବା ଲାଗି କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଥିଲା । ଭାବିଥିଲା ଏହି ଏନ୍‌କାଉଣ୍ଟର ପରେ ସହରରରୁ ଅପରାଧ କମିବ । ମାତ୍ର ତାହା ହେଲା ନାହିଁ । ଏହା ପରେ ଅପରାଧୀମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି । ଯାହାର ନମୁନା ନିକଟରେ ଦେଖିବାକୁ ମିଳିଛି ।

ମଙ୍ଗଳବାର ଭୋରୁ ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଦୋକାନୀ ଶିବାନନ୍ଦ ବାରିକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୬ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେ ଭୋରୁ ଘରର ଗେଟ୍ ଖୋଲି ଦୋକାନକୁ ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗ୍‌କୁ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ । ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଶିବାନନ୍ଦଙ୍କ ବେକ କଟି ଯାଇଥିଲା । ଏହା ପରେ ଲୁଟେରାମାନେ ତାଙ୍କ ଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ ।

ସେହିପରି ଗତକାଲି ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ବିହାର ଲେନ-୮ରୁ ଚୋରି ହୋଇଛି । ସେଠାରେ ରହୁଥିବା ସାବିତ୍ରୀ ପଣ୍ଡାଙ୍କ ଘରୁ ଦୁର୍ବୃତ୍ତମାନେ ସୁନା-ରୂପା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି । ଏଥିସହିତ ମଞ୍ଚେଶ୍ୱର ଥାନା ଚକେଇସିଆଣି ପ୍ଲଟ ନମ୍ବର ୩୩୧୧ରେ ରହୁଥିବା ଯାଜପୁର ଅଞ୍ଚଳର ଦେବଦତ୍ତ ସାମଲଙ୍କ ଘରୁ ଚୋରି ହୋଇଥିଲା । ଗତ ୨୪ ତାରିଖ ଦିନ ସେ ସପରିବାର ଦେଓଘର ବୁଲିବାକୁ ଯାଇଥିଲେ । ୨୫ ତାରିଖ ଭୋରୁ କେହି ତାଙ୍କ ତାଲା ଭାଙ୍ଗି ଆଲମାରୀରେ ଥିବା ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଆଲମୀରା ଲକର ତାଡି ସର୍ବସ୍ୱ ଲୁଟି ନେଇଛନ୍ତି । ଏଥିସହିତ ଚନ୍ଦ୍ରଶେଖରପୁରରେ ଅପରାଧୀମାନେ ଖଣ୍ଡା ବୁଲାଇବା ସହ ନୂଆବର୍ଷରେ କେତେକ ସ୍ଥାନରେ ରକ୍ତାକ୍ତ ଆକ୍ରମଣ ମଧ୍ୟ ଘଟିଛି । ଏହି ଗୋଟିଏ କି ଦୁଇଟି ଘଟଣା ନୁହେଁ ବରଂ ପ୍ରାୟ ପ୍ରତିଦିନ ସହରରେ ଲୁଟପାଟ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଅନ୍ୟପକ୍ଷରେ ଏଭଳି ଅପରାଧ ରୋକିବାକୁ ହେଲେ କିଛି ପୁରୁଣା ଓ ଅଭିଜ୍ଞ ଅଫିସରକୁ ଭୁବନେଶ୍ୱରରେ ଅବସ୍ଥାପିତ କରାଯିବାର ଆବଶ୍ୟକତା ରହିଛି । ବିଗତଦିନରେ ଯେଉଁ ଅଫିସରମାନେ ଭୁବନେଶ୍ୱରରେ କାମ କରି ବାହରକୁ ବଦଳି ହୋଇଯାଇଛନ୍ତି, ସେମାନଙ୍କୁ ପୁଣି ଥରେ ଭୁବନେଶ୍ୱର ଅଣାଯିବାର ଆବଶ୍ୟକତା ପଡୁଛି । କାରଣ ନୂଆ ମୁହଁ ସହ କିଛି ପୁରୁଣା ଓ ଅଭିଜ୍ଞ ଅଫିସରଙ୍କ ଉପସ୍ଥିତି ଅପରାଧ ଦମନରେ ବେଶ ସହାୟକ ହୋଇପାରିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy