ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ, ଜଣେ ଗିରଫ

0 672

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଲୋକଙ୍କୁ ଆକ୍ରମଣ ଉଦ୍ୟମ ମାମଲାରେ ଧଉଳି ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଲିପାଟଣାର ତୁଷାର କୁମାର ଦେବ ଓରଫ ସୋନୁ । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ତା ୨୮.୦୮.୨୦୨୩ ରିଖ ରାତି ପ୍ରାୟ ୯.୩୦ ରେ ଅଭିଯୁକ୍ତ ଏବଂ ତାଙ୍କର କିଛି ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧଉଳି ଥାନା ଅନ୍ତର୍ଗତ ପତିତପାବନ ଯୁବ ପାଠାଗାର ନିକଟକୁ ୩ଟି ମୋଟର ସାଇକେଲରେ ସାଙ୍ଗରେ କିଛି ଖଣ୍ଡା ଓ ଲୁହ ରଡ ନେଇ ଆସିଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରେ ରଖା ଯାଇଥିବା ମୋଟରସାଇକେଲ ଗୁଡିକୁ ଖଣ୍ଡାରେ ହାଣିବା ସହ ସେଠାରେ ଥିବା ଲୋକମାନଙ୍କୁ ଖଣ୍ଡା ଏବଂ ଲୁହା ରଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ଏହା ଦେଖି ଅଭିଯୋଗକାରୀ ସୌରଭ ନାୟକଙ୍କ ସମେତ ଅନ୍ୟମାନେ ପତିତପାବନ ଯୁବ ପାଠାଗାର ଭିତରକୁ ଦୌଡି ଯାଇ କବାଟ ବନ୍ଦ କରୁଥିବା ସମୟରେ ଅଭିଯୁକ୍ତ ମାନେ ଅଭିଯୋଗକାରିଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ବେକରୁ ସୁନା ଚେନ ଲୁଟ କରି ନେଇଯାଇଥିଲେ । ନିଜ ଜୀବନ ବଞ୍ଚାଇବାକୁ ଯାଇ ଆକ୍ରମଣରୁ ବର୍ତ୍ତିବାକୁ ପାଇଁ ୌଡୁଥିବା ସମୟରେ ଅଭିଯୋଗକାରୀ ଚଟାଣରେ ପଡିଯାଇଥିଲେ ଏବଂ ଗଭୀର ଆଘାତ ପାଇଥିଲେ । ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ପତିତପାବନ ଯୁବ ପାଠାଗାରର କବାଟକୁ ବାରମ୍ବାର ଖଣ୍ଡାରେ ଚୋଟ ପକାଇଥିଲେ ଓ ଘଟଣାସ୍ଥଳ ଛାଡିବା ପୂର୍ବରୁ ସେଠାରେ ଥିବା ଲୋକମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ।

ଏନେଇ ଧଉଳି ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ପୂର୍ବରୁ ଦୁଇ ଅଭିଯୁକ୍ତ, ଗୋପୀନାଥ ରାଉତ ଓରଫ ଗୋପୀ ଏବଂ ଓମପ୍ରକାଶ ମହାନ୍ତି ଓରଫ ଓମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଥିବା ବେଳେ ଏବେ ଅନ୍ୟ ଜଣେ ଅଭିଯୁକ୍ତ ସାନୁ ଓରଫ ତୁଷାର କୁମାର ଦେବଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଥିଲେ । ଧଉଳି ଥାନା ପୁଲିସ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ମିଶାଇ ମୋଟ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲେଣି । ଅଭିଯୁକ୍ତଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ ବେଳେ ତାଙ୍କ ନାମରେ କ୍ୟାପିଟାଲ ଥାନା ଓ ଧଉଳି ଥାନାରେ ଦୁଇଗୋଟି ମାମଲା ରହିଥିବା ଜଣାପଡିଛି । ଏହି ମାମଲାର ତଦନ୍ତ ଜାରି ରହିଥିବା ସ୍ଥଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy