ୱାରେଣ୍ଟି ବୁଲୁଛି, ପୋଲିସ ଧରୁନି

0 495

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ଚେକ ବାଉନ୍ସ କେସ୍‌ରେ ଅଭିଯୁକ୍ତ ବିରୋଧରେ ହାଇକୋର୍ଟ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହିଁ । ଥାନା ଆଖପାଖରେ ଅଭିଯୁକ୍ତ କ୍ରିଷ୍ଣା ରେଡ୍ଡି ବୁଲୁଥିଲେ ମଧ୍ୟ ପୋଲିସ ଆଖିରେ ସେ ଫେରାର ରହିଛି । ଏଭଳି ଅଭିଯୋଗ ଇନଫୋସିଟି ପୋଲିସ ବିରୋଧରେ ଆସିଛି ।

ଅଭିଯୋଗ ଅନୁସାରେ, ଶହୀଦନଗରରେ ବ୍ୟବସାୟ କରୁଥିବା ସେକ୍ ସିନ୍ଦୱାଦଙ୍କ ଠାରୁ ମାଲ୍ ନେଇ ଅଭିଯୁକ୍ତ କ୍ରିଷ୍ଣା ରେଡ୍ଡି ଅଣ୍ଡା ବ୍ୟବସାୟ କରୁଥିଲେ । କିଛିଦିନ ବ୍ୟବସାୟ କରିବା ପରେ ସେ ପ୍ରାୟ ୩ଲକ୍ଷ ଟଙ୍କାର ବାକି ଅଣ୍ଡା ନେଇଥିଲେ । ପରେ ଏନେଇ ଦୁଇଟି ଚେକ ପ୍ରଦାନ କରିଥିଲେ । ଗୋଟିଏ ଚେକ କ୍ଲିୟର ହୋଇଥିବା ବେଳେ ଗୋଟିଏ ବାଉନ୍ସ ହୋଇଥିଲା । ଏହା ପରେ ସେ ଆଉ ଦୁଇଟି ଚେକ ଦେଇ ପୁଣି ମାଲ ନେଇଥିଲେ । କହିଥିଲେ, ଏହି ଦୁଇଟି ଚେକ କ୍ଲିୟର ହୋଇଯିବ । ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଦୁଇଟି ଚେକ ଥିଲା ।

ଏହି ଦୁଇଟି ଚେକ ବାଉନ୍ସ ହେବାରେ ଉଭୟଙ୍କ ମଧ୍ୟରେ ଟଙ୍କା-ପଇସାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ଏନେଇ ସେକ୍ ସିନ୍ଦୱାଦ କୋର୍ଟରେ ମାମଲା ଦାୟର କରିଥିଲେ । କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତ ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ପ୍ରାୟ ୩ ମାସ ହେଲା ୱାରେଣ୍ଟ ଜାରି କରାଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିପାରୁନାହିଁ । ଅଭିଯୁକ୍ତ ଶିଖରଚଣ୍ଡି ନଗରରେ ରହି ବ୍ୟବସାୟ ଚଳାଇଥିଲେ ମଧ୍ୟ ପୋଲିସ ତାକୁ ଧରିନପାରିବା ଚିନ୍ତାର ବିଷୟ ପାଲଟିଛି । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy